Wed. Oct 14th, 2026

ମଣିପୁର: ଘର ତିଆରି ପାଇଁ ମାଟି ଖୋଳୁଥିଲେ, ହେଲେ ମାଟି ଖୋଳୁ ଖୋଳୁ ମିଳିଲା ଗୋଟିଏ ପରେ ଗୋଟିଏ ଅଫୁଟା ବୋମା। ଗତ ମଙ୍ଗଳବାର ଦିନ ଏହି ଘଟଣାଟି ମଣିପୁରର ମୋରେହ ସହରରେ ଘଟିଛି। ଯାହାକି ଭାରତ ଏବଂ ମିଆଁମାରର ସୀମା ଅଞ୍ଚଳ। ମଣିପୁର ମୋରେହର ଜାଙ୍ଗ ଭେଙ୍ଗ ନିକଟସ୍ଥ ଗାଣ୍ଟେ ଭେଙ୍ଗ ଅଞ୍ଚଳର ଏକ ଜାଗାରେ ଘର ନିର୍ମାଣ ପାଇଁ ଖନନ କାର୍ଯ୍ୟ ଚାଲିଥିଲା। ହେଲେ ଖନନ ସମୟରେ ସେଠାରୁ ବୋମା ବାହାରିବା ଆରମ୍ଭ ହୋଇଥିଲା। ଏଥିରେ ଭୟଭୀତ ହୋଇ ଜମିଦାର ପୋଲିସକୁ ଡାକିଥିଲେ। ପୋଲିସ୍‌ ତୁରନ୍ତ ସେହି ସ୍ଥାନରେ ପହଞ୍ଚି ଖନନ କାର୍ଯ୍ୟ ଜାରି ରଖିଥିଲା ଏବଂ ୧୨୨ଟି ଅଫୁଟା ବୋମାକୁ ଉଦ୍ଧାର କରିଥିଲା।

ଏହି ବୋମା ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟର। ଯାହାକି ଜମି ଭିତରେ ରହିଯାଇଥିଲା। ଏହାର ବ୍ୟବହାର ହୋଇପାରିନଥିଲା। ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଏଠାରେ ଜାପାନ ସେନା କ୍ୟାମ୍ପ ପକାଇଥିଲେ। ଏହି ସ୍ଥାନରୁ ହିଁ ସୁଭାଷ ଚନ୍ଦ୍ର ବୋଷଙ୍କ ଆଜାଦ ହିନ୍ଦ ଫୌଜ ଭାରତର ସ୍ୱାଧୀନତା ପାଇଁ ସଂଗ୍ରାମ କରିଥିଲା। ତେବେ ଏହି ଅଫୁଟା ବୋମା ଗୁଡ଼ିକର ଉଦ୍ଧାର ପରେ ମଣିପୁର ପୋଲିସ୍‌  ମୋରେହ ଥାନାକୁ ନେଇଯାଇଥିଲା ଏବଂ ସେଠାରେ ଏଗୁଡ଼ିକୁ ସୁରକ୍ଷାର ସହ ରଖାଯାଇଛି।

ଏହାପୂର୍ବରୁ ଚଳିତ ବର୍ଷ ଜୁଲାଇ ୧୭ରେ ମୋରେହ ଅଞ୍ଚଳରୁ ୨୭ ଟି ଜୀବନ୍ତ ବୋମା, ୪୩ଟି ଖାଲି କିଓସ୍କ ଏବଂ ୧୫ଟି ଖାଲି ବାକ୍ସ ମିଳିଥିଲା। ଏହି ଅଞ୍ଚଳ ମିଆଁମାର ଏବଂ ଭାରତର ସୀମାରେ ଅଛି, ତେଣୁ ସେଠାରେ ବହୁ ସଂଖ୍ୟକ ବିସ୍ଫୋରଣ ବୋମା ଥିବା କୁହାଯାଉଛି।

Leave a Reply

Your email address will not be published. Required fields are marked *