Thu. Oct 15th, 2026

ଶବ୍ଦମିଡ଼ିଆ ବ୍ୟୁରୋ:ରାଜ୍ୟରେ ପର୍ଯ୍ୟଟନର ବିକାଶ ହେବାର ଆବଶ୍ୟକତା ରହିଛି।ଏହାକୁ ବାସ୍ତବରେ ଅନୁଭବ କରିଛନ୍ତି ରାଜ୍ୟ ସରକାର ସେଥିପାଇଁ ବର୍ତ୍ତମାନ ଅନେକ ପର୍ଯ୍ୟଟନ ସ୍ଥଳୀ ସହ ପ୍ରସିଦ୍ଧ ମନ୍ଦିର ସମସ୍ତ ଉନ୍ନତି କରଣ କରାଯାଉଛି।ତେବେ ଏସବୁଭିତରେ ଓଡ଼ିଆ ପୁଅ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟ ପ୍ରତି ନିଜର କର୍ତ୍ତବ୍ୟ କରିବାକୁ ଯାଇ ରାଜ୍ୟରେ କିପରି ପର୍ଯ୍ୟଟନର ବିକାଶ ହେବ ସେଥିପାଇଁ ଦୃଷ୍ଟି ନିକ୍ଷେପ କରିଛନ୍ତି।କେନ୍ଦ୍ରୀୟ ପର୍ଯ୍ୟଟନ ଯୋଜନା ଆଧାରରେ ରାଜ୍ୟର ପର୍ଯ୍ୟଟନ ବିକାଶ ସମେତ ମହାନ ସ୍ୱାଧୀନତା ସଂଗ୍ରାମୀ ବିର ସୁରେନ୍ଦ୍ର ସାଏଙ୍କ ଜନ୍ମସ୍ଥାନ ଉନ୍ନତିକରଣ ନିମନ୍ତେ ନିଜ ଆଡୁ କେନ୍ଦ୍ର ପର୍ଯ୍ୟଟନ ବିକାଶ ମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି।ଏହା ମଧ୍ୟରେ ମହାନ ସ୍ୱାଧୀନତା ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମସ୍ଥାନ ଖିଣ୍ଡା ସମେତ ସମ୍ବଲପୁର ଓ ଦେବଗଡ଼ ଜିଲ୍ଲାରେ ପର୍ଯ୍ୟଟନ କ୍ଷେତ୍ରର ବିକାଶ ପାଇଁ ଏକ ସ୍ୱତନ୍ତ୍ର ପ୍ୟାକେଜ୍ ମଞ୍ଜୁର କରିବା ନିମନ୍ତେ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜି. କିଷନ ରେଡ୍ଡୀଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଶ୍ରୀ ପ୍ରଧାନ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ, ପଶ୍ଚିମ ଓଡ଼ିଶାର ସମ୍ବଲପୁର ଏବଂ ଦେବଗଡ଼ ଜିଲ୍ଲାରେ ପର୍ଯ୍ୟଟନର ବିକାଶ ପାଇଁ ଅପାର ସମ୍ଭାବନା ରହିଛି। ପୁରୀ ଓ ଭୁବନେଶ୍ୱର ଭଳି ସମ୍ବଲପୁର ଜିଲ୍ଲାର ମହାନଦୀ ତଟରେ ଅବସ୍ଥିତ ଥିବା ବିଶ୍ୱର ଦୀର୍ଘତମ ନଦୀବନ୍ଧ ହୀରାକୁଦ, ହୁମା ମନ୍ଦିର ଉଭୟ ଘରୋଇ ଏବଂ ଆନ୍ତର୍ଜାତିକ ପର୍ଯ୍ୟଟକଙ୍କ ଦୃଷ୍ଟିଗୋଚର ହୋଇନାହିଁ। ସମୃଦ୍ଧ ସାଂସ୍କୃତିକ ଐତିହ୍ୟର ସହର ସମ୍ବଲପୁର ପାରମ୍ପରିକ ହସ୍ତଶିଳ୍ପ, ବସ୍ତ୍ର ଏବଂ ଶାଢି ପାଇଁ ଅଧିକ ପରିଚିତ। ଏଠାରେ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ପାଇଲେ ସେମାନେ ସମ୍ବଲପୁରୀ ବସ୍ତ୍ରାଳୟକୁ ଯାଇ ପୋଷାକ ବୁଣିବା ପଦ୍ଧତି ଶିଖିବା ସହ ସ୍ଥାନୀୟ ସାମଗ୍ରୀ ମଧ୍ୟ କିଣିବେ।

ସେହିପରି ଭାରତୀୟ ସ୍ୱାଧୀନତା ସଂଗ୍ରାମର ଅନ୍ୟତମ ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମମାଟି ହେଉଛି ସମ୍ବଲପୁର ଜିଲ୍ଲାର ଖିଣ୍ଡା। ୧୮୫୭ ମସିହାରେ ବ୍ରିଟିଶଙ୍କ ବିରୋଧରେ ସଂଗ୍ରାମ କରି ସୁରେନ୍ଦ୍ର ସାଏ ଦୀର୍ଘ ୪୦ ବର୍ଷରୁ ଅଧିକ କାଳ କାରାଦଣ୍ଡ ଭୋଗ କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୀର ସୁରେନ୍ଦ୍ର ସାଏଙ୍କ ସମ୍ମାନାର୍ଥେ ଝାରସୁଗୁଡା ଏୟାରପୋର୍ଟକୁ ତାଙ୍କ ନାଁରେ ନାମିତ କରିଥିଲେ। ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମସ୍ଥାନ ଏ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ। ପର୍ଯ୍ୟଟକ ଓ ଐତିହାସିକମାନେ ତାଙ୍କ ଜନ୍ମସ୍ଥାନକୁ ଯାଇ ସୁରେନ୍ଦ୍ର ସାଏଙ୍କ ଜୀବନ ଓ ଦେଶ ସ୍ୱାଧୀନତା ପାଇଁ ତାଙ୍କ ସଂଗ୍ରାମ ବିଷୟରେ ଜାଣିପାରିବେ।

ଅନୁରୂପ ଭାବେ ଜଙ୍ଗଲ, ଝରଣା, ପର୍ବତର ସବୁଜିମା ମଧ୍ୟରେ ଅବସ୍ଥିତ ଦେବଗଡ ସହର। ପ୍ରକୃତିପ୍ରେମୀଙ୍କ ପାଇଁ ଏହା ଉପଯୁକ୍ତ ସ୍ଥାନ। ପ୍ରଧାନପାଟ ଝରଣା, ଦେବଗଡ ରାଜଉଆସ, ଗୋପୀନାଥ ମନ୍ଦିର ସମେତ ସେଠାରେ ଅନେକ ପୁରାତନ ମନ୍ଦିର ଓ ଦୁର୍ଗ ରହିଛି। ଏହା ଅଞ୍ଚଳର ଗୌରବମୟ ଇତିହାସକୁ ବର୍ଣ୍ଣନା କରେ।

ଏହି ସବୁ ସ୍ଥାନ ପାଇଁ ସ୍ୱତନ୍ତ୍ର ପ୍ୟାକେଜ୍ ମଞ୍ଜୁର କରାଗଲେ ପର୍ଯ୍ୟଟନ ଭିତ୍ତିଭୂମି ବୃଦ୍ଧି ହେବ। ଏହାଦ୍ୱାରା ସ୍ଥାନୀୟ ଅଞ୍ଚଳର ଆର୍ଥିକ ବିକାଶ ତ୍ୱରାନ୍ୱିତ ହେବ। ଏହାକୁ ଦୃଷ୍ଟିରେ ରଖି ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମସ୍ଥାନ ସମେତ ଦୁଇଟି ଜିଲ୍ଲାରେ ପର୍ଯ୍ୟଟନ ଭିତ୍ତିଭୂମି ଓ ସୁବିଧାକୁ ବଢାଇବା ଦିଗରେ ସ୍ୱତନ୍ତ୍ର ପ୍ୟାକେଜ୍ ମଞ୍ଜୁର କରିବା ପାଇଁ ଶ୍ରୀ ପ୍ରଧାନ ଶ୍ରୀ ରେଡ୍ଡୀଙ୍କୁ ନିବେଦନ କରିଛନ୍ତି।
ଉଲ୍ଲେଖନୀୟ ଯେ, ଗତ ଜାନୁଆରୀ ୨୩ ତାରିଖରେ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ ଅବସରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଖିଣ୍ଡାଠାରେ ଆୟୋଜିତ ‘ପଦଯାତ୍ରା’ରେ ସାମିଲ ହୋଇଥିଲେ। ଅନୁରୂପ ଭାବରେ ନିକଟରେ ଶ୍ରୀ ପ୍ରଧାନ ଦେବଗଡ ଓ ସମ୍ବଲପୁର ଜିଲ୍ଲା ଗସ୍ତ କରି ପର୍ଯ୍ୟଟନ କ୍ଷେତ୍ରକୁ ବୃଦ୍ଧି କରିବା ନେଇ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରିଥିଲେ।

By

Leave a Reply

Your email address will not be published. Required fields are marked *