ଆୟୋଜିତ ହେବ ୩୧ତମ ରାଜ୍ୟ ଚଳଚ୍ଚିତ୍ର ଓ ଟେଲି ପୁରସ୍କାର ଉତ୍ସବ,କପି ଫିଲ୍ମକୁ ପୁରଷ୍କାର ନେଇ ବିବାଦ

ଶବ୍ଦମିଡ଼ିଆ ବ୍ୟୁରୋ:ଭୁବନେଶ୍ୱର,୦୮/୦୨: ପୁଣି ଥରେ ସେହି ପୁରୁଣା କଥାର ପୁନରାବୃତ୍ତି କରିଛନ୍ତି ରାଜ୍ୟ ଭାଷା ସାହିତ୍ୟ ସଂସ୍କୃତି ବିଭାଗ । ଏଇ ନ୍ୟାୟରେ ପୁଣି କପି ଫିଲ୍ମକୁ ମିଳିପାରେ ପୁରସ୍କାର । ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପୁନଃ ଚୟନ ପରେ ଏନେଇ ଆସିଛି ଅଭିଯୋଗ । କିଛି କଳାକାର ଓ ସିନେ ସମୀକ୍ଷକ କହିଛନ୍ତି, ଯେଉଁ ପୁରସ୍କାର ଚୟନକୁ ଭର୍ତ୍ସନା କରି ହାଇକୋର୍ଟ ଏହି ତାଲିକାକୁ ଅଳିଆଗଦାକୁ ଫିଙ୍ଗି ଦିଆଯାଉ ବୋଲି ରାୟ ଦେଇଥିଲେ ତାକୁ ସୁଧାରିବା ପରିବର୍ତ୍ତେ ପୁନଃ ସେହି ଭୁଲ କରିବାକୁ ଯାଉଛନ୍ତି ।

ଯଦି ଏହା ସତ ହୋଇଥାଏ ଏବଂ ଆଉ ଏକ କପି ଓଡ଼ିଆ ସିନେମାକୁ ପୁରସ୍କାର ଦିଆଯାଉଥାଏ ତେବେ ଏହା ସାଂଘାତିକ କଥା ହେବ । ଅନ୍ତତଃ ପକ୍ଷେ ନ୍ୟାୟାଳୟଙ୍କ ନିର୍ଦ୍ଦେଶ ପରେ ଏପରି ଧୃଷ୍ଟତା କରିବା କଥା ନୁହେଁ । ଏବେ ଏବେ ଚୟନ ବାହାରକୁ ଯାଇ କଥା ବୁଲୁଛି କି ଅନ୍ୟ ଭାଷାର ଚଳଚ୍ଚିତ୍ରର କପି ହୋଇଥିବା ଏକ ଓଡ଼ିଆ ସିନେମାକୁ ପୁଣି ପୁରସ୍କାର ଦିଆଯାଉଛି । ମାତ୍ର ପୁରସ୍କାର ପ୍ରଦାନ ତଥା ଆୟୋଜକ ସଂସ୍ଥା ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଏ ସମ୍ପର୍କରେ ସ୍ପଷ୍ଟ କରାଯାଇନାହିଁ ।

ମାତ୍ର ଆଜି ବିଭାଗର ଜଣେ ଉଚ୍ଚପଦସ୍ଥ ଅଧିକାରୀ କହିଛନ୍ତି, ଦିଆଯିବ ବହୁ ପ୍ରତୀକ୍ଷିତ, ବିବାଦୀୟ ତଥା ଚର୍ଚ୍ଚିତ ୩୧ ତମ ରାଜ୍ୟ ଚଳଚ୍ଚିତ୍ର ଏବଂ ୮ମ ରାଜ୍ୟ ଟେଲି ପୁରସ୍କାର । ସବୁ ବିବାଦର ଅନ୍ତ ଘଟିଥିବାବେଳେ ପୁରସ୍କାର ପ୍ରଦାନ ନେଇ ପ୍ରସ୍ତୁତି ପର୍ବ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ୨୦୧୯ ବର୍ଷ ଲାଗି ଅଟକି ରହିଥିବା ଏହି ପୁରସ୍କାର ପ୍ରଦାନ ନେଇ କାର୍ଯ୍ୟ ଆରମ୍ଭ ହୋଇଛି । ଆସନ୍ତା ୧୩ ଓ ୧୪ ତାରିଖରେ ଭୁବନେଶ୍ୱରରେ ଏକ ସ୍ୱତନ୍ତ୍ର ଉତ୍ସବରେ ଏହି ପୁରସ୍କାର ଦିଆଯିବ । ଉତ୍ସବକୁ ସରସ ସୁନ୍ଦର ଏବଂ ଶୃଙ୍ଖଳିତ କରିବା ଲାଗି ଗତକାଲି ଓଡ଼ିଶା ସିନେ ଏବଂ ଟେଲି କଳାକାରଙ୍କ ସହିତ ସହାୟତା ନେଇ ସଂସ୍କୃତି ବିଭାଗ ଉଚ୍ଚପଦସ୍ଥ ଅଧିକାରୀଙ୍କ ମଧ୍ୟରେ ଆଲୋଚନାରେ ସରିଛି । ତେବେ କପି ଫିଲ୍ମକୁ ପୁରସ୍କାର ପ୍ରଦାନ ସମ୍ପର୍କରେ ଅଧିକାରୀ ଜଣକ ପ୍ରଶ୍ନକୁ ଏଡ଼ାଇ ଯିବା ସହ କହିଥିଲେ ଯେ ସମୟକୁ ଅପେକ୍ଷା କରନ୍ତୁ । ଚୟନ କର୍ତ୍ତା କ’ଣ ଚୟନ କରିଛନ୍ତି ପୁରସ୍କାର ପ୍ରଦାନ ସମୟରେ ଜାଣିପାରିବେ । ନ୍ୟାୟାଳୟଙ୍କ ନିର୍ଦ୍ଦେଶକ୍ରମେ ସ୍ୱଚ୍ଛତା ଭିତିରେ ଠିକ୍‌ ଭାବେ ଚୟନ ହୋଇଛି ।

କପି ଫିଲ୍ମକୁ ପୁରସ୍କାର ପ୍ରଦାନ ସମ୍ପର୍କରେ ବରିଷ୍ଠ ସିନେ ସମାଲୋଚକ ଦିଲ୍ଲୀପ ହାଲି କହିଛନ୍ତି, ହାଇକୋର୍ଟ ତାଙ୍କ ରାୟରେ ସ୍ପଷ୍ଟ ଭାବରେ ଉଲ୍ଲେଖ କଲେ କି, କପି ସିନେମା ଓଡ଼ିଆ ଚଳଚ୍ଚିତ୍ରକୁ ଧ୍ୱଂସ କରିଦେବ । ଏହି ଧାରା ରୋକିବାକୁ କଠୋର ବ୍ୟବସ୍ଥା ଲାଗୁ କରିବା ଆବଶ୍ୟକ । ଏହିଭଳି ସିନେମା କାରଣରୁ ହିଁ ଓଡ଼ିଆରେ ଆଉ ନିଜସ୍ୱ କାହାଣୀକୁ ନେଇ ଚଳଚ୍ଚିତ୍ର ହେଉନାହିଁ ବୋଲି ଏକ ଧାରଣା ସୃଷ୍ଟି ହୋଇଛି । ତେଣୁ ଏଥିପାଇଁ କଡ଼ା ପଦକ୍ଷେପ ସହ ଜୁରି ବା ବିଚାରକ କମିଟି କିପରି ହେବା ଉଚିତ୍‌ ଏବଂ ସେମାନେ କିପରି କାର୍ଯ୍ୟ କରିବେ ସେଥିପାଇଁ ବି ନିୟମାବଳୀ ଆଣନ୍ତୁ । ଏହା ସହ ଯେମିତି କେହି କପି ସିନେମାକୁ ପୁରସ୍କାର ଲାଗି ଆବେଦନ କରିବେ ନାହିଁ ତା’ର ବ୍ୟବସ୍ଥା ହେବା ଜରୁରି । ଆମର କପି ଫିଲ୍ମ ପ୍ରତି ଏତେ ଦରଦ କାହିଁକି? ଯଦି କୌଣସି ପୁରସ୍କାରକୁ ନେଇ ବିବାଦ ହେଉଛି ବା ପୁରସ୍କାର ପାଇବାକୁ କୌଣସି ମୌଳିକ ସିନେମା ମିଳୁନି ତେବେ ଉକ୍ତବର୍ଷ ଲାଗି ତାକୁ ବାଦ୍‌ ଦିଆଯାଉ । ଅତୀତରେ ଏମିତି ଅନେକ ଉଦାହରଣ ରହିଛି । ଖୋଦ୍‌ ସଂସ୍କୃତି ବିଭାଗ ବି ତା’ର ଅନ୍ୟ ପୁରସ୍କାରରେ ଏହିପରି ନୀତି ଆପଣାଉଛି । ତାହାଲେ ଏ ପୁରସ୍କାର ବେଳକୁ ନୂଆ ନିୟମ କାହିଁକି ବୋଲି ସେ ପ୍ରଶ୍ନ କରିଛନ୍ତି ।

ସେହିପରି ସଂସ୍କୃତି ବିଭାଗ ଅଧୀନ ସବୁ ପୁରସ୍କାର ରାଶି ବଢ଼ିଲା, ରାଜ୍ୟ ଚଳଚ୍ଚିତ୍ର ଓ ଟେଲି ପୁରସ୍କାର ରାଶି ବଢ଼ିଲା ନାହିଁ ବୋଲି ଅଭିଯୋଗ ହେଉଥିଲା । ଓଡ଼ିଶା ସିନେ କ୍ରିଟିକ୍‌ ଆସୋସିଏସନ ଏ ସମ୍ପର୍କରେ ମୁଖମନ୍ତ୍ରୀଙ୍କୁ ଚିଠି ଲେଖିଥିଲା । ଏହାପରେ ମୁଖ୍ୟ ତଥା ସର୍ବୋଚ୍ଚ ଜୀବନବ୍ୟାପୀ ସାଧନା ପୁରସ୍କାରର ଅର୍ଥରାଶି ୧ ଲକ୍ଷରୁ ୨ ଲକ୍ଷ ଟଙ୍କା କରିଦେଲେ । ମାତ୍ର ଅନ୍ୟ ପୁରସ୍କାର ବିଭାଗରେ ଯେତିକି ଅର୍ଥରାଶି ଥିଲା, ସେତିକି ରହିଲା । ଏହାପରେ ବି ଆସୋସିଏସନ ପୁରସ୍କାର ଅର୍ଥ ରାଶି ବୃଦ୍ଧି ଦାବି କରି ଆସୁଥିଲା । ଏ ପ୍ରସଙ୍ଗରେ ସୋମବାର ଧର୍ମପଦ ପୁରସ୍କାର ପ୍ରଦାନ ଅବସରରେ ସଂସ୍କୃତି ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ କହିଥିଲେ, ସବୁ ପୁରସ୍କାର ଏଇ ମାର୍ଚ୍ଚ ଭିତରେ ଦିଆଯିବ । ତା’ ସହିତ ବାକି ଥିବା ଚଳଚ୍ଚିତ୍ର ପୁରସ୍କାର ବି । ଏହାଛଡ଼ା ଚଳଚ୍ଚିତ୍ର ପୁରସ୍କାର-୨୦୧୯ ପ୍ରଦାନ ପରେ ପରବର୍ତ୍ତୀ ପୁରସ୍କାର ବେଳକୁ ଅର୍ଥରାଶି ନିଶ୍ଚିୟ ବଢ଼ିବ ବୋଲି ସେ କହିଥିଲେ । ଏହାକୁ ଓଡ଼ିଶା ସିନେ କ୍ରିଟିକ୍‌ ଆସୋସିଏସନ ସମ୍ପାଦକ ଶ୍ରୀ ହାଲି ସ୍ୱାଗତ ଜଣାଇବା ସହ ୨୦୧୯ ପାଇଁ ଏହା ଲାଗୁ ହେଲେ ଭଲ ହେବ ବୋଲି କହିଛନ୍ତି ।

You May Also Like

More From Author

+ There are no comments

Add yours