କମିଶନରେଟ ପୋଲିସ ଗୃହକୁ ସାମ୍ବାଦିକଙ୍କୁ ପ୍ରବେଶ ଅନୁମତି ନାହିଁ





ଶବ୍ଦମିଡ଼ିଆ ବ୍ୟୁରୋ:ଭୁବନେଶ୍ୱର,୮/୦୨:: କମିଶନରେଟ୍‌ ପୁଲିସ୍‌ ମୁଖ୍ୟାଳୟରେ ସାମ୍ବାଦିକଙ୍କ ପାଇଁ ରହିଛି ମିଡିଆ ହଲ୍‌ । ସବୁ ଦିନ ସେଠାକୁ ଯାଉଥିଲେ । ହେଲେ ହଠାତ୍‌ ଏହା ଉପରେ ବ୍ରେକ୍‌ ଲାଗିଛି । ସୁରକ୍ଷାକର୍ମୀ ଭିତକୁ ଯିବାକୁ ବାରଣ କରିଛନ୍ତି । ତା’ପୁଣି କମିଶନରଙ୍କ ନିର୍ଦ୍ଦେଶ ପାଇବା ପରେ । କରୋନା କଟକଣା ହଟିବା ପରେ ବିଧାନସଭା ଓ ଲୋକସଭା ଭବନାକୁ ସାମ୍ବାଦିକ ପ୍ରବେଶ ପାଇଁ ଅନୁମତି ମିଳିଛି ।

ହେଲେ ପୁଲିସ୍‌ କମିଶନରଙ୍କ କାର୍ଯ୍ୟାଳୟକୁ କଟକଣା ସମସ୍ତଙ୍କୁ ହତବାକ୍‌ କରିଛି । ଯାହାକୁ ନେଇ ସବୁ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି । କିଛି ବରିଷ୍ଠ ସାମ୍ବାଦିକ ଏହି ନିଷ୍ପତ୍ତିକୁ ତୀବ୍ର ନିନ୍ଦା କରିଛନ୍ତି ।
ଦୀର୍ଘ ବର୍ଷ ହେଲା କମିଶନେରଟ୍‌ ପୁଲିସ୍‌ ମୁଖ୍ୟାଳୟରେ ଖୋଲିଥିଲା ‘ଅଭିଯୋଗ ପ୍ରକୋଷ୍ଠ’ ।

ସପ୍ତାହକୁ ଗୋଟିଏ ଦିନ ପୁଲିସ୍‌ କମିଶନର, ଅତିରିକ୍ତ ପୁଲିସ୍‌ କମିଶନର ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ସାଧାରଣ ଲୋକଙ୍କ କଥା ବୁଝୁଥିଲେ । ଗୋଟିଏ ଦିନରେ ଶହ ଶହ ଲୋକ ନିଜର ଅଭିଯୋଗ ନେଇ ଆସୁଥିଲେ । କରୋନା ପାଇଁ ଏହାକୁ ବନ୍ଦ କରି ଦିଆଯାଇଥିଲା । କରୋନା କଟକଣା ସବୁଆଡ଼ୁ ଉଠିଗଲା । ହେଲେ କମିଶନରେଟ୍‌ ପୁଲିସ୍‌ ବିଲ୍ଡିଂରୁ ଏପର୍ଯ୍ୟନ୍ତ ହଟି ପାରିଲା ନାହିଁ । ଅଭିଯୋଗ ନେଇ ଆସୁଥିବା ବ୍ୟକ୍ତିଙ୍କୁ ଭିତରକୁ ଯିବାକୁ ଅନୁମତି ଦିଆଗଲା ନାହିଁ । ଏମିତି ‘ଅଭିଯୋଗ ପ୍ରକୋଷ୍ଠ’ କକ୍ଷରେ ତାଲା ପଡି ରହିଲା । କୌଣସି ଲୋକ କମିଶନର କି ଅତିରିକ୍ତ କମିଶନରଙ୍କୁ ଭେଟିବାକୁ ଗଲେ ସୁରକ୍ଷାକର୍ମୀ ଓ ଅନ୍ୟ କର୍ମଚାରୀମାନେ ବିଭିନ୍ନ ବାହାନା କରି ତାଙ୍କୁ ବିଦା କରି ଦେଉଥିଲେ । ତା’ଛଡା କମିଶନରେଟ୍‌ ପୁଲିସ୍‌ ବିଲ୍ଡିଂ ଭିତରେ ଘଟୁଥିବା ଘଟଣାକୁ ସାମ୍ବାଦିକମାନେ ବାହାରକୁ ଆଣୁଥିଲେ । ଫଳରେ ଅଧିକାରୀଙ୍କ ଗୁମର ପଦାରେ ପଡୁଥିଲା । ଏହାପରେ ସୋମବାର ଦିନ ଖୋଦ୍‌ କମିଶନର ବୈଦ୍ୟୁତିକ ଗଣମାଧ୍ୟମର ସାମ୍ବାଦିକଙ୍କୁ ଗୋଡ଼ାଇ ଗୋଡ଼ାଇ ବାହାର କରି ଦେଇଥିଲେ । ସୁରକ୍ଷା ଦାୟିତ୍ୱରେ ଥିବା କର୍ମଚାରୀଙ୍କୁ ଦାଗିଦ କରି କହିଥିଲେ, ଯଦି କୌଣସି ସାମ୍ବାଦିକ ଭିତକୁ ଆସନ୍ତି ତା’ହେଲେ ସସ୍‌ପେଣ୍ଡ କରି ଦିଆଯିବ ।

ସୁରକ୍ଷାକର୍ମୀ ମଧ୍ୟ କମିଶନର ନିର୍ଦ୍ଦେଶକୁ ଅକ୍ଷରେ ଅକ୍ଷରେ ପାଳନ କରିଥିଲେ । କମିଶନରେଟ୍‌ ପୁଲିସ୍‌ ବିଲ୍ଡିଂ ଭିତରେ ଚାଲିଥିବା କାର୍ଯ୍ୟକଳାପକୁ ଲୁଚାଇବାକୁ ମୁଖିଆ ଏମିତି ନିଷ୍ପତ୍ତି ନେଇଥିବା ଜଣାପଡିଛି । ଏହି ଘଟଣାରେ ବରିଷ୍ଠ ସାମ୍ବାଦିକମାନେ ନିଜ ପ୍ରତିକ୍ରିୟା ରଖି କହିଛନ୍ତି, କମିଶନରେଟ୍‌ ପୁଲିସ୍‌ ମୁଖ୍ୟାଳୟ କାହାର ପୈତୃକ ସମ୍ପତ୍ତି ନୁହେଁ । ଏହା ସାଧାରଣ ଲୋକଙ୍କ ପାଇଁ । ସେମାନେ ଏଠାକୁ ଆସି ଅଭିଯୋଗ ଜଣାଇ ପାରିବେ । ହେଲେ ଉକ୍ତ ବିଲ୍ଡିଂକୁ ପୁଲିସ୍‌ କମିଶନର ତାଙ୍କର ନିଜର ବୋଲି ଭାବିବା ଠିକ୍‌ ନୁହେଁ । କମିଶନରଙ୍କ ଏଭଳି ଆଚରଣ ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ଏନେଇ ବରିଷ୍ଠ ଆଇନଜୀବୀମାନେ କହିଛନ୍ତି, ସାଧାରଣ ଲୋକଙ୍କ ପାଇଁ କମିଶନରେଟ୍‌ ପୁଲିସ୍‌ । ଲୋକଙ୍କ ସମସ୍ୟା ପଦାକୁ ଆଣିବା ସାମ୍ବାଦିକଙ୍କ କାମ । ହେଲେ ପୁଲିସ୍‌ କମିଶନର ଏହା ଉପରେ କଟକଣା କରିବା ଠିକ୍‌ ନୁହେଁ । ଏମିତି ବାରଣ କରିବା ମାନେ ହୁଏତ ଭିତରେ କିଛି ଖରାପ କାର୍ଯ୍ୟ ଚାଲୁଛି । ନ’ହେଲେ ପୁଲିସ୍‌ କମିଶନର ଏମିତି କରି ନଥାନ୍ତେ ।

You May Also Like

More From Author

+ There are no comments

Add yours