ରମାଦେବୀ ବିଶ୍ୱବିଦ୍ୟାଳୟରେ ୧୮ କୋଟି ଟଙ୍କାରେ ନିର୍ମିତ ନୂତନ ଅଡ଼ିଟୋରିୟମ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ।

ଶବ୍ଦ ଓଡିଶା:ଭୁବନେଶ୍ୱର, ୮।୨: ମଙ୍ଗଳବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରମାଦେବୀ ବିଶ୍ୱବିଦ୍ୟାଳୟରେ ‘ରମାଦେବୀ ପ୍ରେକ୍ଷାଳୟ’କୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଉପସ୍ଥିତ ଛାତ୍ରୀମାନଙ୍କୁ ପଚାରିଥିଲେ ନୂଆ ପ୍ରେକ୍ଷାଳୟ ଉଦ୍‌ଘାଟନ ହେଲା ଆପଣମାନେ ଖୁସି ତ? ମୁଁ ବି ଖୁସି । ମୁଖ୍ୟମନ୍ତ୍ରୀଙ୍କ ପ୍ରଶ୍ନରେ ଛାତ୍ରୀମାନେ ଆମେ ବି ଖୁସି ବୋଲି କହିଥିଲେ ।ଏହି ଉକ୍ତିରୁ ନିଜର କଥା ଆରମ୍ଭ କରିଥିଲେ ମୁଖ୍ୟମନ୍ତ୍ରୀ

ପ୍ରେକ୍ଷାଳୟରେ ଆସନ୍ତା ୧୦ ତାରିଖରେ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବ ଅନୁଷ୍ଠିତ ହେବ । ଏଥିରେ ମୁଖ୍ୟଅତିଥି ଭାବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଯୋଗଦେବେ । ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ମା’ ରମାଦେବୀଙ୍କ ନାମରେ ନାମିତ ଏହି ପ୍ରେକ୍ଷାଳୟରେ ୧ହଜାର ଲୋକ ବସିବାର କ୍ଷମତା ରହିଛି । ୧୮ କୋଟି ଟଙ୍କା ବ୍ୟୟରେ ନିର୍ମିତ ହୋଇଥିବା ଏହି ପ୍ରେକ୍ଷାଳୟରେ ବିଭିନ୍ନ ପ୍ରକାର ଅତ୍ୟାଧୁନିକ ବ୍ୟବସ୍ଥା ଖଞ୍ଜା ହୋଇଛି ବୋଲି ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ୍‌ ପୂଜାରୀ ସୂଚନା ଦେଇଛନ୍ତି । କାର୍ଯ୍ୟକ୍ରମରେ କୁଳପତି ପ୍ରଫେସର ଅପରାଜିତା ଚୌଧୁରୀ ସ୍ୱାଗତ ଭାଷଣ ଦେଇଥିବା ବେଳେ ବିଧାୟକ ଅନନ୍ତ ନାରାୟଣ ଜେନା, ମେୟର ସୁଲୋଚନା ଦାସ, ୫ଟି ସଚିବ ଭି କେ ପାଣ୍ଡିଆନ୍‌, ରାଜ୍ୟ ଉଚ୍ଚଶିକ୍ଷା ସଚିବ ବିଷ୍ଣୁପଦ ସେଠୀ ପ୍ରମୁଖ ଉପସ୍ଥିତ ଥିଲେ ।
ଅପରାହ୍ଣ ୫ଟା ୪୦ରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କ୍ୟାମ୍ପସରେ ପହଞ୍ଚିଥିଲେ । ସେଠାରେ କୁଳପତି ପ୍ରଫେସର ଅପରାଜିତା ଚୌଧୁରୀଙ୍କ ସମେତ ଅଧ୍ୟାପକ, ଅଧ୍ୟାପିକା ଓ ଛାତ୍ରଛାତ୍ରୀଗଣ ତାଙ୍କୁ ସ୍ୱାଗତ କରିଥିଲେ । ଶ୍ରୀ ପଟ୍ଟନାୟକ ଛାତ୍ରଛାତ୍ରୀଙ୍କୁ ସମ୍ବୋଧିତ କରିବା ଅବସରରେ ବିଶ୍ୱବିଦ୍ୟାଳୟ ତରଫରୁ ତାଙ୍କୁ ମା’ ରମାଦେବୀଙ୍କ ଏକ ତୈଳଚିତ୍ର ଉପହାର ଦିଆଯାଇଥିଲା । ଅନ୍ୟପକ୍ଷରେ ସମାବର୍ତ୍ତନ ଉତ୍ସବରେ ବିଶ୍ୱବିଦ୍ୟାଳୟର କୁଳାଧିପତି ତଥା ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।

ସମାବର୍ତ୍ତନ ଉତ୍ସବରେ ପଦ୍ମଶ୍ରୀ ପୂର୍ଣ୍ଣମାସୀ ଜାନୀଙ୍କ ସମେତ ୪ଜଣଙ୍କୁ ସମ୍ମାନସୂଚକ ଡକ୍ଟରେଟ୍‌ ମିଳିବ ବୋଲି ବିଶ୍ୱସ୍ତସୂତ୍ରରୁ ସୂଚନା ମିଳିଛି । ତେବେ ଏ ନେଇ ଆସନ୍ତାକାଲି ସାମ୍ବାଦିକ ସମ୍ମିଳନୀରେ କୁଳପତି ପ୍ରଫେସର ଚୌଧୁରୀ ବିଧିବଦ୍ଧ ଭାବେ ସୂଚନା ଦେବେ । ରାଷ୍ଟ୍ରପତିଙ୍କ ଗସ୍ତ ସମୟରେ ଗଣମାଧ୍ୟମ ପ୍ରତିନିଧିମାନେ ସୂଚନା ଓ ଲୋକସମ୍ପର୍କ ବିଭାଗ ନିକଟରୁ ଖବର ସଂଗ୍ରହ କରିପାରିବେ ବୋଲି କୁଳପତି ସୂଚନା ଦେଇଛନ୍ତି ।

You May Also Like

More From Author

+ There are no comments

Add yours