Sat. Oct 17th, 2026

ଶବ୍ଦ ମିଡ଼ିଆ ବ୍ୟୁରୋ: ଭୟଙ୍କର ଭୂମିକମ୍ପ ଯୋଗୁଁ ତୁର୍କୀରେ ୩୪୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି । ୮ ହଜାରରୁ ଅଧିକ ଲୋକଙ୍କୁ ଉଦ୍ଧାର କରାଯାଇଥିବା ବେଳେ ତୁର୍କୀ ଏବେ ଧ୍ୱଂସସ୍ତୁପ । ବିଗତ ୨ ଦିନରେ ସେଠାରେ ଏକାଧିକ ଭୂମିକମ୍ପ ହୋଇଛି । ଭାରତରେ ପ୍ରତିବର୍ଷ ଅତିକମରେ ହଜାରେ ଥର ଭୂମିକମ୍ପ ହେଉଛି ।
ଭୂମି ୨ରୁ ୬ ସେକେଣ୍ଡ ଯାଏ ଥରୁଛି । ଦେଶର ପ୍ରାୟ ୫୯ ପ୍ରତିଶତ ଅଞ୍ଚଳ ଭୂମିକମ୍ପ ପ୍ରବଣ ଜୋନରେ ଆସୁଛି । ସବୁଠୁ ଅଧିକ ଭୂମିକମ୍ପ ବିପଦ ରହିଛି ହିମାଳୟ କ୍ଷେତ୍ର ପ୍ରତି । ପୂର୍ବରୁ ମଧ୍ୟ ଉକ୍ତ ଅଞ୍ଚଳରେ ଶକ୍ତିଶାଳୀ ଭୂମିକମ୍ପ ଆସିଛି ।
୧୮୯୭ରେ ସିଂଲର ପଠାରରେ ୮.୧ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଥିବା ବେଳେ ୧୯୦୫ରେ କାଙ୍ଗଡ଼ାରେ ୭.୮ ତୀବ୍ରତାର, ୧୯୩୪ରେ ବିହାର-ନେପାଳ ସୀମାରେ ୮.୩ ତୀବ୍ରତାର, ୧୯୫୦ରେ ଅରୁଣାଚଳ-ଚୀନ ସୀମାରେ ୮.୫ ତୀବ୍ରତାର ଏବଂ ୨୦୧୫ରେ ନେପାଳରେ ୭.୯ ତୀବ୍ରତାର ଭୂମିକମ୍ପ ଆସିଥିଲା ।
ଏହି ଅଞ୍ଚଳ ମଧ୍ୟମରୁ ବିପଜ୍ଜନକ ଭୂମିକମ୍ପ ସ୍ତରରେ ଆସୁଛି । କାରଣ ଏହି ଅଞ୍ଚଳରେ ୨ ମହାଦ୍ୱୀପର ଟେକ୍ଟୋନିକ ପ୍ଲେଟ୍ ମିଶିଥାଏ । ଇଣ୍ଡିଆନ୍ ଟେକ୍ଟୋନିକ ଏବଂ ତିବ୍ବତନ ପ୍ଲେଟ୍ସ ସ୍ପରସ୍ପର ମଧ୍ୟରେ ମାଡ଼ ହେବା ଫଳରେ ଚାପ ସୃଷ୍ଟି ହୋଇ ଭୂମିକମ୍ପ ହୋଇଥାଏ । ଯାହା ଫଳରେ ୨୪୦୦ କିଲୋମିଟର ଅଞ୍ଚଳ ପ୍ରତି ବିପଦ ସୃଷ୍ଟି ହୁଏ । ବିଆଇଏସ୍ ଦେଶର ଭୂମିକମ୍ପ ପ୍ରବଣ ଅଞ୍ଚଳକୁ ୫ଟି ଭାଗରେ ବାଣ୍ଟିଛି । ଯେଉଁଠି ପଞ୍ଚମକୁ ସବୁଠୁ ଅଧିକ ବିପଜ୍ଜନକ ଓ ସକ୍ରିୟ ବିବେଚନା କରାଯାଏ ।
ପଞ୍ଚମ ଜୋନରେ ଆସୁଥିବା ଅଞ୍ଚଳରେ ଭୂମିକମ୍ପ ଓ କ୍ଷୟକ୍ଷିତର ଆଶଙ୍କା ଅଧିକ । ପଞ୍ଚମ ଜୋନରେ ଭାରତର ୧୧ ପ୍ରତିଶତ ଅଞ୍ଚଳ ଆସୁଛି । ସେହିଭଳି ଚତୁର୍ଥ ଜୋନରେ ୧୮ ପ୍ରତିଶତ, ତୃତୀୟ ଜୋନରେ ୩୦ ପ୍ରତିଶତ ଅଞ୍ଚଳ ରହିଛି । ସବୁଠୁ ଅଧିକ ବିପଦ ପଞ୍ଚମ ଓ ଚତୁର୍ଥ ଜୋନରେ ରହୁଥିବା ରାଜ୍ୟକୁ ରହୁଛି ।
ପଞ୍ଚମ ଜୋନରେ ଜମ୍ମୁ କାଶ୍ମୀରର କାଶ୍ମୀର ଘାଟି, ହିମାଚଳ ପ୍ରଦେଶର ପଶ୍ଚିମ ଭାଗ, ଉତ୍ତରାଖଣ୍ଡର ପୂର୍ବାଞ୍ଚଳ, ଗୁଜରାଟର କଚ୍ଛ, ଉତ୍ତର ବିହାର, ଭାରତର ସମସ୍ତ ପୂର୍ବୋତ୍ତର ରାଜ୍ୟ ସହ ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ ରହିଛି ।ସେହିଭଳି ଚତୁର୍ଥ ଜୋନରେ ରହିଛି, ଜମ୍ମୁ ଓ କାଶ୍ମୀର, ଲଦାଖ, ହିମାଚଳ ଓ ଉତ୍ତରାଖଣ୍ଡ, ହରିୟାଣା, ପଞ୍ଜାବ, ଦିଲ୍ଲୀ, ସିକ୍କିମ, ଉତ୍ତରପ୍ରଦେଶର କିଛି ଅଞ୍ଚଳ । ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ଅନୁସାରେ, ଓଡ଼ିଶା ଜୋନ୍ ଦୁଇ ଓ ତିନିରେ ଆସୁଛି ।ଜୋନ୍ ୨ରେ ଆସୁଥିବା ଜିଲ୍ଲାରେ ଭୂମିକମ୍ପ ଜନିତ କ୍ଷୟକ୍ଷତି ଆଶଙ୍କା କମ୍ ଥିବା ବେଳେ ଜୋନ୍ ୩ରେ ଆସୁଥିବା ଜିଲ୍ଲାରେ ମଧ୍ୟମଧରଣର କ୍ଷୟକ୍ଷତି ଆଶଙ୍କା ରହିଥାଏ । ତେବେ ମଧ୍ୟମଧରଣର ରିସ୍କ ଜୋନରେ ସମ୍ପୂର୍ଣ୍ଣ ଜଗତସିଂହପୁର ଜିଲ୍ଲା ରହିଛି । ଓଡ଼ିଶାର ୧୬ଟି ଜିଲ୍ଲା ମଧ୍ୟମଧରଣର ରିସ୍କ ଜୋନରେ ରହିଥିବା ବେଳେ ୧୪ଟି ଜିଲ୍ଲା କମ୍ କ୍ଷୟକ୍ଷତି ରିସ୍କ ଜୋନରେ ଆସୁଛି ।

By

Leave a Reply

Your email address will not be published. Required fields are marked *