ବିଜୟ କୁମାର ଜେନା, ଦାମନଯୋଡି
କେଉଁ ଅୟୁତ ଯୁଗରୁ ଦେଓମାଳି ପାହାଡ଼ ଶ୍ରେଣୀକୁ ଆଧାର କରି ଘେରି ରହିଛି ପଞ୍ଚପଟ୍ଟମାଳି ସମେତ ଅନେକ ପାହାଡ଼। ଏବଂ ପାହାଡ଼ ସନ୍ଧିରୁ ଝରି ଆସୁଛି ଛୋଟ ବଡ଼ ଅନେକ ଝରଣା। ସେଇ ଝରଣା ସମୂହର ପ୍ରାୟ ଅଧିକାଂଶ ଝରଣା ପାଣିକୁ ଧରିରଖି ନିର୍ମିତ ହେଇଛି କୋଲାବ ଜଳଭଣ୍ଡାର ଓ ସେହି ସମସାମୟିକ ସମୟରେ ହିଁ, ପଞ୍ଚପଟ୍ଟମାଳିରେ ଗଚ୍ଛିତ ଥିବା ବକ୍ସାଇଟ୍ କୁ ଆଧାର କରି ଦାମନଯୋଡିରେ ଗଢ଼ି ଉଠିଛି ରାଷ୍ଟ୍ରାୟତ ଉଦ୍ୟୋଗ – ନାଲକୋ – ଦାମନଯୋଡି। ଜାତୀୟ ରାଜପଥ ଠାରୁ ମାତ୍ର ୧୧ କିମି ଓ କୋରାପୁଟ ରାୟଗଡ଼ା ରେଳ ମାର୍ଗକୁ ଛୁଇଁ ଥିବା ଏହି ଶିଳ୍ପ ନଗରୀ। କୋରାପୁଟ ଜିଲ୍ଲାର ନାଲକୋ ଆଲୁମିନା ପ୍ରକଳ୍ପ ଏସିଆର ବୃହତ୍ତମ ଆଲୁମିନା ରିଫାଇନେରୀ। ଭାରତର ପ୍ରାୟ ପ୍ରତ୍ୟେକ ଅଞ୍ଚଳର ଲୋକ ଏହି ଜାତୀୟ ପ୍ରକଳ୍ପରେ କାର୍ଯ୍ୟ କରି ଜୀବିକା ଉପାର୍ଜନ କରିବାର ସୁଯୋଗ ପାଇଛନ୍ତି। ତେଣୁ ଦାମନଯୋଡି ଶିଳ୍ପ ନଗରୀ ଏକ ଜାତୀୟ ସଂହତିର ସୁନ୍ଦର ଉଦାହରଣ।
ପାହାଡ଼ ପର୍ବତ ଘେରା ସବୁଜ ବଳୟ ଭିତରେ ଦାମନଯୋଡି ବିଭିନ୍ନ ରଙ୍ଗରେ ରଙ୍ଗାୟିତ; କେବଳ ଭାଷା ସଂସ୍କୃତିରେ ନୁହେଁ, ଏହାର ପ୍ରାକୃତିକ ସୌନ୍ଦର୍ଯ୍ୟ ଓ ନାଲକୋ ପ୍ରାଶାସକଙ୍କ ଦ୍ଵାରା ଯତ୍ନରେ ପରିବର୍ଦ୍ଧିତ ଉଦ୍ୟାନ ହ୍ରଦ ଓ ନିର୍ମଳ ପରିବେଶ ଦ୍ଵାରା ବି। ବିଦେଶୀ ଶୈଳୀରେ ନିର୍ମିତ ସହର ଓ ସେହି ସହର ଭିତରେ ବିଭିନ୍ନ ମନ୍ଦିର ମସଜିଦ ଗିର୍ଜା, ହନୁମାନ ବାଟିକା ସମେତ ଅଛି ପାହାଡ଼ ଉପରେ ଶ୍ରୀ ଜଗନ୍ନାଥ ମନ୍ଦିର। ପୁଣି ଅଛି କେଉଁ ଆଦିମ ଯୁଗରୁ ଏକ କଣ୍ଟାବାଉଁଶ ଜଙ୍ଗଲ ଓ ଜଙ୍ଗଲ ମଧ୍ୟରେ ମା କଣ୍ଟାବାଉଁଶୁଣିଙ୍କ ଆସ୍ଥାନ। ଯାହାକି ଦିନେ ସିନ୍ଧିପାର ଗାଆଁ ନମରେ ଖ୍ୟାତ ଥିଲା; ଏବେ ବି ସେଇ ଅଞ୍ଚଳର ସମସ୍ତ ଆଦିବାସୀଙ୍କ ଆଶା ଭରସା ବିଶ୍ୱାସ ଓ ଭକ୍ତିର ପୀଠ ଏହି ମା କଣ୍ଟାବାଉଁଶୁଣି।
ଏଠାରେ ଅଛି ଏକ ସୁଦୃଶ୍ୟ ଶିରିଡ଼ି ସାଇ ମନ୍ଦିର, ସେଇ ମନ୍ଦିର ସମ୍ମୁଖରେ ରଙ୍ଗୀନ୍ ମ୍ୟୁଜିକାଲ ଫାଉଣ୍ଟେନ୍ ସହ ପଞ୍ଚସଖାଙ୍କ ମୂର୍ତ୍ତି ସମେତ ଏକ ସୁନ୍ଦର ଗୋଲାପ ଉଦ୍ୟାନ। ନେତାଜୀ ଷ୍ଟାଡିୟମ୍, ଆମ୍ବେଦକର ଷ୍ଟାଡିୟମ୍, ବିଜୁ ପଟ୍ଟନାୟକ ସାଇନ୍ସ ପାର୍କ, କ୍ଳବ୍ କମ୍ୟୁନିଟି ସେଣ୍ଟର୍, ଆଶୀର୍ବାଦ ମଣ୍ଡପ, ଶୈଳ ନିବାସ – ଯାତ୍ରୀ ନିବାସ, ମୁକ୍ତ ରଙ୍ଗମଞ୍ଚ, ପ୍ରିୟଦର୍ଶିନୀ ବିହାର ପାର୍କ, ନେହୁରୁ ବାଳ ଉଦ୍ୟାନ, ଦାମନଯୋଡି ସପିଙ୍ଗ ମଲ୍ ସମେତ ଏଠାକାର ପ୍ରତ୍ୟେକ ସ୍ଥାନର ଏକ ବିଶେଷ ଆକର୍ଷଣ ଥାଏ। ଏପରିକି ଭିନ୍ନ ଶୈଳୀରେ ନିର୍ମିତ ଏଠାକାର ଛୋଟ ରେଳଷ୍ଟେସନ ବି ଖୁବ୍ ଆକର୍ଷଣୀୟ। ବିଭିନ୍ନ ମହାପୁରୁଷ ତଥା ସ୍ଵାଧିନତା ସଂଗ୍ରାମୀ ମାନଙ୍କ ମୂର୍ତ୍ତି ସବୁ ଏଠାର ପାର୍କ ଓ ଛକ ମାନଙ୍କରେ ସ୍ଥାପିତ ହୋଇ ଲୋକଙ୍କୁ ଜାତୀୟ ଭାବନାରେ ବାନ୍ଧି ରଖିଛି। ଦାମନଯୋଡି ଆଲୁମିନା ରିଫାଇନେରୀ, ସମୁଦ୍ର ପତନ ଠାରୁ ୯୫୦ ମିଟର ଉଚ୍ଚ ଏବଂ ଏହାଠାରୁ ଆହୁରି ଉଚ୍ଚତାରେ ରହିଛି ପଞ୍ଚପଟ୍ଟମାଳି ବକ୍ସାଇଟ୍ ଖଣି। ପ୍ରାୟ ୧୭ କିଲୋମିଟର ଦୀର୍ଘର ଏକ ସର୍ପିଳ ସଡ଼କ ଦାମନଯୋଡିରୁ ଉଠିଛି ବକ୍ସାଇଟ ଖଣିକୁ। ଏହି ରାସ୍ତାରେ ଉଠି ଉଠି ଗଲେ ଧୀରେ ଧୀରେ ଶୀତଳ ପବନ ଛୁଇଁ ଛୁଇଁ ଯାଏ; ରାସ୍ତା ଯେମିତି ଖଣିକୁ ନୁହେଁ, ମେଘ ବାଦଲ ଭିତରକୁ ଯାଇଛି। ରାସ୍ତାର ଦୁଇ ପାଖରେ କାକିରିଗୁମା ପୋଡ଼ାଗଡ ସମେତ ଅନେକ ସୁନ୍ଦର ସୁନ୍ଦର ପ୍ରାକୃତିକ ଉପତ୍ୟକା। ସେହି ରାସ୍ତାର ମଝିରେ ପଡ଼େ ଏକ କୁନି ଜଳ ପ୍ରପାତ ଓ ସବୁଠାରୁ ଉଚ୍ଚରେ ଅଛି ଏକ ଭିଉ ପଏଣ୍ଟ୍। ସେଠାରୁ ରଙ୍ଗୀନ୍ ଉପତ୍ୟକା, ତରଙ୍ଗାୟିତ ପାହାଡ଼ ପୁଣି ମେଘ ବାଦଲର ଲୁଚକାଳି ଖେଳ ଅତି ରମଣୀୟ।
ଋତୁ ଅନୁସାରେ ଦାମନଯୋଡିର ରଙ୍ଗ ବଦଳେ। ଏଠାରେ ବର୍ଷା ଏକ ଦୀର୍ଘସ୍ଥାୟୀ ଋତୁ। ବର୍ଷାରେ ଦାମନଯୋଡି ପୋଷାକ ବଦଳାଏ; ଧୁସରରୁ ସବୁଜ। ଝିପି ଝିପି ବର୍ଷା ଏଠି ନିରନ୍ତର କବିତା ଗାଏ, ଧଳାକଳା ମେଘ ଏଠି ଗୀତ ଶୁଣାଏ। ଏହାପରେ ଆସେ ଶୀତ। ଶୀତ ଆସିଗଲେ ସହର ଭିତରେ ବିଭିନ୍ନ ଫୁଲ ଫୁଟେ। ପୁଣି ଦାମନଯୋଡି ଆଖ ପାଖର ଅଞ୍ଚଳରେ ଚାଷ ହୋଇଥିବ କିଆରୀ ମାନଙ୍କରେ ଫୁଟେ ଅଳସି ଫୁଲ।
ସୁନାରଙ୍ଗରେ ରଙ୍ଗାୟିତ ଅଳସି କିଆରୀ ସବୁ, ସମଗ୍ର ନଭେମ୍ବର ମାସ ପାଇଁ ଏହି ଅଞ୍ଚଳର ଆକର୍ଷଣର ବିଭବ ପାଲଟି ଯାଏ। ଅଜସ୍ର ମହୁମାଛି ଦାମନଯୋଡିର ପ୍ରତ୍ୟେକ ଉଚ୍ଚ ସ୍ଥାନରେ ଘର କରି ରହିଥାନ୍ତି। ଏଠି ଅଛି ଅସୁମାରୀ ଚନ୍ଦନ ଓ ଅର୍ଜୁନ ଗଛ। ସହରର କେନ୍ଦ୍ର ସ୍ଥଳରେ ଅବସ୍ଥିତ ସାବେରୀ ଲେକ୍ ଓ ଡାଇନୋସର ମୂର୍ତ୍ତି ସଂଲଗ୍ନ ପାର୍କ; ସବୁ ଋତୁରେ ସମସ୍ତଙ୍କ ଆକର୍ଷଣର କେନ୍ଦ୍ର ବିନ୍ଦୁ। ଜଗନ୍ନାଥ ମନ୍ଦିର ପଛପରେ ତିଆରି ହେଇଛି ଏକ କୁତ୍ରିମ ଝରଣା; ଯାହାକି ପାହାଚ ପରେ ପାହାଚ ଅତିକ୍ରମ କରି ଓହ୍ଲେଇ ଆସୁଛି ସାବେରୀ ଲେକ ଭିତରକୁ। ସନ୍ଧ୍ୟାରେ ଏହି କୁତ୍ରିମ ଝରଣା ‘ସୁଦର୍ଶନ ଝର’ ବିଭିନ୍ନ ରଙ୍ଗର ଆଲୋକରେ ଝଲମଲ କରି ଉଠେ। ତା’ସହ ଝଲସି ଉଠେ ସାବେରୀ ଲେକ୍ ଭିତରେ ବିଭିନ୍ନ ରଙ୍ଗୀନ୍ ପାଣିଫୁଆରା।
ଦାମନଯୋଡିରୁ ଅଳ୍ପ ଦୂରରେ ଅଛି ଓଡ଼ିଶାର ଉଚ୍ଚତମ ଶୃଙ୍ଗ ଦେଓମାଳି, ଦୁଧାରି ଜଳ ପ୍ରପାତ ଓ ପ୍ରାଚୀନ ଇଟା ନିର୍ମିତ ମନ୍ଦିର, ପୁଞ୍ଜିଶିଲ ଝରଣା, କୁଟୁଣି ପଦର ପ୍ରାଚୀନ ଶୈବ ପୀଠ, ନନ୍ଦପୁର ବତ୍ରିସ ସିଂହାସନ ଇତ୍ୟାଦି। ଏସବୁ ଦେଖିବା ବୁଲିବା ଓ ରହିବା ପାଇଁ ସେମିଳିଗୁଡା ଓ ଦାମନଯୋଡିରେ ଅଛି ଛୋଟ ବଡ଼ ଅନେକ ହୋଟେଲ, ଲଜିଂ; ତାହା ସମେତ ମିଳିଯାଏ ଟ୍ୟାକ୍ସି ଓ ଟ୍ରାଭେଲ ସର୍ଭିସ୍। ଯଦି ଆପଣ ପ୍ରକୃତିକୁ ଛୁଇଁବାକୁ ଚାହୁଁଛନ୍ତି, ଶାନ୍ତିରେ କିଛିଦିନ ରହିବାକୁ ଚାହୁଛନ୍ତି, କୋରାପୁଟ ର ଦେଶୀ ଖାଦ୍ୟର ମଜା ନେବାକୁ ଚାହୁଁଛନ୍ତି; ତେବେ ଆସନ୍ତୁ ଏଠାକୁ। ବର୍ଷା, ଶୀତ, ବସନ୍ତ ଓ ବୈଶାଖ – ପ୍ରତ୍ୟେକ ଋତୁ ଆପଣଙ୍କୁ ଏଠି ଆଣିଦେବ ରୋମାଞ୍ଚକର ଅନୁଭୂତି।
+ There are no comments
Add yours