Wed. Oct 14th, 2026

କବି ରବି ଶତପଥୀ

“ଶରତ ପଠେଇ ସାରିଲାଣି
ଶ୍ରଦ୍ଧାର ସାଦର ନିମନ୍ତ୍ରଣ।
“

ତୁମେ ଆସୁଛ ବୋଲି
କାଶତଣ୍ଡି ସରାଗରେ
ସଜେଇ ଦେଲାଣି ତୋରଣ,
ଶରତ ପଠେଇ ସାରିଲାଣି
ଶ୍ରଦ୍ଧାର ସାଦର ନିମନ୍ତ୍ରଣ।
ଅବୁଝା ଅମାନିଆ ପବନ
ଦେହସାରା ବୋଳି ସାରିଲାଣି
ଚୁଆ ଚନ୍ଦନର ବାସ୍ନା,

ତୁମ ବାଟବରଣ ପାଇଁ
କେତେବେଳୁ ସଜେଇ ହେଲେଣି
ଫୁଲେଇ ଫୁଲ ସବୁ।
ଗାଆଁ ମୁଣ୍ଡ ବରଗଛ ମୂଳେ
ମଥାରେ ସିନ୍ଦୂର ମାଖି
ଠିଆ ହେଲେଣି ମାଟିଘୋଡା
ସଜ ହେଲାଣି ଖଣ୍ଡା ଖର୍ପର।

ତୁମେ ଆସୁଛ ବୋଲି
ଅନ୍ଧାର ଖୋଲି ଦେଲାଣି କବାଟ

”ଦୂରରୁ ଚକ୍ ଚକ୍ ଦିଶିଲାଣି
ତୁମ ତ୍ରିଶୂଳ,
ସକାଳର ସୂର୍ଯ୍ୟ ପରି
ଝଲସିଲାଣି ତୁମ ସିନ୍ଦୂର ଟୋପା
”


ଫାଟିଲାଣି ସିନ୍ଦୂରା,
ଝାପ୍ସା ଝାପ୍ସା ଦିଶିଲାଣି
ପ୍ରତୀକ୍ଷିତ ଆଲୁଅର ବାଟ।
କିଏ ଜଣେ ଗାଇଲାଣି
ତୁମ ଆବାହନୀ ମନ୍ତ୍ର,
ମନ୍ଦିରରେ ବାଜିଲାଣି ଘଣ୍ଟି ଘଣ୍ଟା
ଠାକୁରାଣୀଙ୍କ ମଥାନରେ
ଉଡିଲାଣି ଗୋଟେ ଲାଲ୍ ରଙ୍ଗର
ଝଲମଲ୍ ପତାକା।

ତୁମେ ଆସୁଛ ବୋଲି
ଦୂରରୁ ଚକ୍ ଚକ୍ ଦିଶିଲାଣି
ତୁମ ତ୍ରିଶୂଳ,
ସକାଳର ସୂର୍ଯ୍ୟ ପରି
ଝଲସିଲାଣି ତୁମ ସିନ୍ଦୂର ଟୋପା।
ଏବେ କଣ ଶୁଖିଯିବକି ଲୁହ
ହଟି ଯିବକି ଭୟ,
ନା, ଏମିତି ଗୋଟେ ଭାଗ୍ୟ
ଆମ କପାଳରେ
ଲେଖା ହୋଇଯିବ ଦେବୀ ?
ମହିଷାସୁର ନଥିବା
ଗୋଟେ ଦୁନିଆରେ
ପୁଣି ଥରେ ହସି ଉଠିବ
ଆମ ବାକି ଦିନର ଜୀବନ ।।

ଅଧ୍ୟାପକ ଓଡିଆ ବିଭାଗ
ନନ୍ଦପୁର କଲେଜ, କୋରାପୁଟ
ସଂପର୍କ – ୯୪୩୭୭୮୪୮୫୯
One thought on “ଦେବୀ “ଶରତ ପଠେଇ ସାରିଲାଣି ଶ୍ରଦ୍ଧାର ସାଦର ନିମନ୍ତ୍ରଣ””

Leave a Reply

Your email address will not be published. Required fields are marked *