କ’ଣ କୁହେ ମହାପ୍ରଭୁଙ୍କ ଟାହିଆ

ଘଣ୍ଟ, ଘଣ୍ଟା, ମୃଦଙ୍ଗ ସାଙ୍ଗକୁ ହରିବୋଲ ହରିବୋଲ ଧ୍ବନିରେ ପ୍ରକମ୍ପିତ ହେଉଥିବ ବଡଦାଣ୍ଡ । ହଲି ଝୁଲି, ଟାହିଆ ହଲେଇ ରତ୍ନବେଦୀରୁ ରଥ ଅଭିମୁଖେ ମହାପ୍ରଭୁ । କୋଟି କୋଟି ଆଖି ଅନାଇ ବସିଥିବ ଚକାଆଖିକୁ । ଦୂରରୁ ଜନସମୁଦ୍ର ମଧ୍ୟରେ ଦିବ୍ୟ, ସୁନ୍ଦର ଟାହିଆକୁ ଦେଖି ଭାବବିହ୍ବଳ ହେବ ଭକ୍ତ ।

ପଲକେ ଆଗକୁ, ପଲକେ ପଛକୁ ଯାଉଥିବା ଟାହିଆକୁ ଦେଖି ସାଆନ୍ତେ ଆସିଲେ ସାଆନ୍ତେ ଆସିଲେ କହି ଆନନ୍ଦିତ ହୁଏ ଭକ୍ତ । ଅପୂର୍ବ ଏ ଦୃଶ୍ୟ, ମନଲୋଭ ମହାପ୍ରଭୁଙ୍କ ଏ ଟାହିଆ କହିଯାଏ, ‘ବ୍ରହ୍ମ ସତ୍ୟ, ଜଗତ୍ ମିଥ୍ୟା’ । ମନଲୋଭ, ଅପୂର୍ବ ଏ ଟାହିଆକୁ ପ୍ରସ୍ତୁତ କରେ ରାଘବ ଦାସ ମଠ । ବାଉଁଶ, କଦଳୀ ପଟୁଆ, ସୋଲ, ଜରି, ରଙ୍ଗୀନ କନା, ପଇତା ସୂତାରେ ପ୍ରସ୍ତୁତ ହୋଇଥିବା ଏହି ଟାହିଆରେ ଖଞ୍ଜାଯାଏ ମଲ୍ଲି, ମାଳତୀ, ରଙ୍ଗଣୀ, ଟଗର, ପଦ୍ମ, ତୁଳସୀ, ଦୟଣା ଓ ଦୁବ । ମୟୂର ପୁଚ୍ଛ ସଦୃଶ ଟାହିଆର ଶୀର୍ଷରେ ଥାଏ ଦୁବ ।ଶ୍ରୀଜଗନ୍ନାଥ ଏବଂ ବଡ ଠାକୁର ବଳଭଦ୍ରଙ୍କ ମସ୍ତକରେ ଟାହିଆ ଲଗାଯାଉ ଥିବାବେଳେ ଦେବୀ ସୁଭଦ୍ରା ଏବଂ ଚକ୍ରରାଜ ସୁଦର୍ଶନଙ୍କ ମସ୍ତକରେ ଟୋପର ଶୋଭାପାଏ । ପହଣ୍ଡି ସମୟରେ ସାତ ପାହାଚରେ ମହାପ୍ରଭୁଙ୍କ ମସ୍ତକରେ ଟାହିଆ ଲଗାଯାଏ । ସ୍ନାନ ପୂର୍ଣ୍ଣିମାରୁ ନୀଳାଦ୍ରିବିଜେ ପର୍ଯ୍ୟନ୍ତ ସମୁଦାୟ ୬ ଥର ପହଣ୍ଡି ଅବସରରେ ମହାପ୍ରଭୁଙ୍କ ମସ୍ତକରେ ଟାହିଆ ଲଗାଯାଏ ।

ସ୍ନାନବେଦୀକୁ ଗୋଟି ପହଣ୍ଡି ସମୟରେ, ସ୍ନାନବେଦୀରୁ ଅଣସର ପିଣ୍ଡିକୁ ଧାଡ଼ି ପହଣ୍ଡିରେ, ଅଣସର ପିଣ୍ଡିରୁ ଧାଡ଼ି ପହଣ୍ଡିରେ ରଥକୁ, ରଥରୁ ଆଡ଼ପ ମଣ୍ଡପରେ ଆବସ୍ଥାନ ନିମନ୍ତେ ଗୋଟି ପହଣ୍ଡିରେ, ଯଜ୍ଞବେଦୀରୁ ବାହୁଡ଼ା ରଥକୁ ଧାଡ଼ି ପହଣ୍ଡିରେ, ନୀଳାଦ୍ରୀବିଜେ ସମୟରେ ଗୋଟି ପହଣ୍ଡିରେ ବିଗ୍ରହମାନଙ୍କୁ ଟାହିଆ ଲାଗି କରାଯାଇଥାଏ। ପହଣ୍ଡି ସମୟରେ ଟାହିଆର ଅପୂର୍ବ ସମ୍ଭାରକୁ ଦେଖି ଭକ୍ତ ଗାଇ ଉଠେ ଆହେ ରାଘବ ଦାସେ, କାଳିଆ ମୁଣ୍ଡରେ ତମ ଟାହିଆ ହସେ, କେଡେ ଭାଗ୍ୟ ସତେ ଏହି ଟାହିଆର, ମହାପ୍ରଭୁଙ୍କ ମସ୍ତକରେ ଶୋଭାପାଇ ଜଗତକୁ ବ୍ରହ୍ମ ସତ୍ୟର ବାର୍ତ୍ତା ଦେଉଛି।

You May Also Like

More From Author

+ There are no comments

Add yours