Thu. Oct 15th, 2026

ଜୟପୁର: ବୈଷୟିକ ଜ୍ଞାନ କୌଶଳ ବ୍ୟବହାର ଦ୍ଵାରା ମହିଳା ସଶକ୍ତିକରଣ ସମ୍ଭବ ହୋଇ ପାରିବ ବୋଲି ପଦ୍ମଶ୍ରୀ ଡ଼ଃ ଅଜୟ ପରିଡା ମତବ୍ୟକ୍ତ କରିଛନ୍ତି । ଆଜି ଜୟପୁର ସ୍ଥିତ ସ୍ବାମୀ ନାଥନ୍ ଗବେଷଣା ଫାଉଣ୍ଡେସନ ଠାରେ ମହିଳା ସଶକ୍ତିକରଣ କ୍ଷେତ୍ରରେ ସମ୍ମିଳିତ କୃଷି ବ୍ୟବସ୍ଥା ମହିଳା ସମାବେଶ ରେ ମୁଖ୍ୟ ଅତିଥି ଭାବେ ଜୀବ ବିଜ୍ଞାନ ସଂସ୍ଥାନର ନିର୍ଦ୍ଦେଶକ ଅଜୟ ପରିଡା ଯୋଗ ଦେଇ ଜାତୀୟ ବୈଷୟିକ ଦିବସ ପାଳନ ଅବସରରେ ବୈଷୟିକ ଜ୍ଞାନ କୌଶଳ ବ୍ୟବହାର ଦ୍ଵାରା ସମନ୍ୱିତ କୃଷି ର ବିକାଶ ହେବା ସଙ୍ଗେ ସଙ୍ଗେ ମହିଳା ମାନଙ୍କ ସର୍ବାଙ୍ଗୀନ ଉନ୍ନତି ହୋଇ ପାରିବ ବୋଲି କହିଥିଲେ । ଜୟପୁର ଅତିରିକ୍ତ ଉଦ୍ୟାନ କୃଷି ଉପ ନିର୍ଦ୍ଦେଶକ ସଞ୍ଜିବ କୁମାର ମହନ୍ତ ଯୋଗ ଦେଇ ଉଦ୍ୟାନ କୃଷି କ୍ଷେତ୍ରରେ ମହୁ ଚାଷ,ଛତୁ ଚାଷ ଔଷଧ ବୃକ୍ଷ ଓ ସୁଗନ୍ଧି ଫସଲ‌ ସହ ପ୍ରକ୍ରିୟାକରଣ ଦ୍ଵାରା ଉଦ୍ୟୋଗୀ ହୋଇ ପାରିବେ ବୋଲି କହିଥିଲେ । ଭାରତୀୟ ଜଳ ଓ ମୃତ୍ତିକା ସଂରକ୍ଷଣ ସଂସ୍ଥାନ ସୁନାନଡା ର ମୁଖ୍ୟ ଡ଼ଃ ଧ୍ରୁବ ଚରଣ ସାହୁ ଯୋଗ ଦେଇ ମୃତ୍ତିକା ଓ ଜଳର‌ ସୁବିନିଯୋଗ ଦ୍ଵାରା ସମନ୍ୱିତ କୃଷି କ୍ଷେତ୍ରର ବୈଷୟିକ ପରିବର୍ତ୍ତନ ହୋଇ ପାରିବ ବୋଲି କହିଥିଲେ । ନବରଙ୍ଗପୁର ମହିଳା ମହାବିଦ୍ୟାଳୟ ଅର୍ଥନୀତି ର ଅଧ୍ୟାପିକା ସୁନିତା ପାତ୍ର ଯୋଗ ଦେଇ ମହିଳା ମାନେ ନିଜର ବାଡି ବଗିଚା ରେ ପନିପରିବା, ଫଳମୂଳ ଲଗାଇବା ଦ୍ବାରା ପରିବାର ର ଅର୍ଥନୀତି ସୁଦୃଢ କରିପାରିବେ ଓ ଏହାଛଡା କୁକୁଡ଼ା ଓ ବତକ ପାଳନ ଓ ଗାଈ ପାଳନ ଦ୍ଵାରା ପାରିବାରିକ କୃଷି ଅର୍ଥନୀତିକୁ ସୁଦୃଢ କରିପାରିବ ବୋଲି କହିଥିଲେ ।

ଆଦିବାସୀ ଗବେଷକ ଡଃ ନରେନ୍ଦ୍ର କୁମାର ରଥ ଯୋଗ ଦେଇ ମହିଳା ମାନେ କେବଳ ଚାଷ ନକରି ମୂଲ୍ୟଯୁକ୍ତ ସାମଗ୍ରୀ ପ୍ରସ୍ତୁତ କରିପାରିଲେ ଆୟ ଦ୍ୱିଗୁଣିତ ହୋଇ ପାରିବ ବୋଲି କହିଥିଲେ । ସ୍ବାମୀ ନାଥନ୍ ଫାଉଣ୍ଡେସନ ର ମୁଖ୍ୟ ସଂଯୋଜକ ପ୍ରଶାନ୍ତ କୁମାର ପରିଡ଼ା ଓ ସଂଯୋଜକ ଅକ୍ଷୟ କୁମାର ପଣ୍ଡା ଉନ୍ନତ ବିହନ ଓ ଜ୍ଞାନ କୌଶଳ ବ୍ୟବହାର ଦ୍ଵାରା କୋରାପୁଟ ଜିଲ୍ଲାର କିଭଳି ବିକାଶ ହୋଇ ପାରିବ ତାହା ସମ୍ପର୍କରେ ସବିଶେଷ ତଥ୍ୟ ପ୍ରଦାନ କରିଥିଲେ । ନବରଙ୍ଗପୁର ଜିଲ୍ଲା ଓରମାସର ଉପ କାର୍ଯ୍ୟ ନିର୍ବାହୀ ଏ ଉମା ମହେଶ ଯୋଗ ଦେଇ ସରକାରଙ୍କ ପକ୍ଷରୁ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ କହିଥିଲେ ।ଜୀବ ବିଜ୍ଞାନ ସଂସ୍ଥାନର ବୈଜ୍ଞାନିକ ଡଃ ରାଜୀବ ସ୍ବାଇଁ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ବିଜ୍ଞାନ ସଂଚାରକ ଲକ୍ଷ୍ମୀ ନାରାୟଣ ବକ୍ସି ଧନ୍ୟବାଦ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଅମିତାଭ ରାଉତରାୟ ଓ କମଲେଶ ସାହୁ ସହଯୋଗ କରିଥିବା ବେଳେ ନବରଙ୍ଗପୁର ଓ କୋରାପୁଟ ର ୧୦୦ ମହିଳା ଯୋଗ ଦେଇଥିଲେ ।

Leave a Reply

Your email address will not be published. Required fields are marked *