ଭୁବନେଶ୍ବର – ଭାରତୀୟ କୃଷି ଅନୁସନ୍ଧାନ ପରିଷଦ ଅନ୍ତର୍ଗତ ଭାରତୀୟ ଜଳ ପରିଚାଳନା ପ୍ରତିଷ୍ଠାନ, ଭୁବନେଶ୍ବରର ୩୫ତମ ସ୍ଥାପନା ଦିବସ ପାଳିତ ହୋଇଯାଇଛି । ଡେୟାର ସଚିବ ତଥା ଭାରତୀୟ କୃଷି ଅନୁସନ୍ଧାନ ପରିଷଦ, ନୂଆଦିଲ୍ଲୀ ର ମହାନିର୍ଦ୍ଦେଶକ ଡକ୍ଟର ତ୍ରିଲୋଚନ ମହାପାତ୍ର , ମୁଖ୍ୟ ଅତିଥି ରୂପେ ଏହାକୁ ଉଦଘାଟନ କରିଥିଲେ। ଡକ୍ଟର ମହାପାତ୍ର ତାଙ୍କ ଉଦଘାଟନି ଭାଷଣରେ କହିଲେ ଯେ ଆଗାମୀ ଦିନରେ ଜଳ ସମସ୍ଯା ଉତ୍କଟ ରୂପ ଧାରଣ କରିବାକୁ ଯାଉଛି । ଜଳର ଆପୂର୍ତ୍ତି ହିସାବରେ ଆମକୁ ଫସଲର ଖସଡା ପ୍ରସ୍ତୁତ କରିବାକୁ ପଡିବ । ସବୁ ଚାଷୀ ଯେପରି ଜଳ ସଞ୍ଚୟକାରୀ ଜଳ ସେଚନ ପ୍ରଣାଳୀ ଆପଣେଇବେ, ସେ ଦିଗରେ ସମସ୍ତଙ୍କୁ କାର୍ଯ୍ୟ କରିବାକୁ ପଡିବ । ସେ ବୈଜ୍ଞାନିକ ମାନଙ୍କୁ ଅଧିକ ଜଳ ସଞ୍ଚୟକାରୀ ପ୍ରଦ୍ୟୋଗିକିର ବିକାଶ ପାଇଁ ପରାମର୍ଶ ଦେଇଥିଲେ । ସମ୍ମାନୀତ ଅତିଥି ଭାବେ ଭାରତୀୟ କୃଷି ଅନୁସନ୍ଧାନ ପରିଷଦ, ନୂଆଦିଲ୍ଲୀ ର ଉପମହାନିର୍ଦ୍ଦେଶକ ଡକ୍ଟର ସୁରେଶ କୁମାର ଚୌଧୁରୀ ଯୋଗଦେଇ ଜନସାଧାରଣଙ୍କ ମନରେ ଜଳ ଅପଚୟ ରୋକିବା ଚିନ୍ତା ଉଦ୍ରେକ କରିବା ଉପରେ ଗୁରୁତ୍ଵ ଆରୋପ କରିଥିଲେ। ସେ ଆହୁରି ମଧ୍ୟ କହିଲେ ଯେ ମୃତ୍ତିକାର ଜଳ ଧାରଣ କ୍ଷମତା ବୃଦ୍ଧି ଦିଗରେ ଚାଷୀଭାଇ ଜୋର ଦେବା ଆବଶ୍ୟକ । ଏହି ଅବସରରେ ଡକ୍ଟର ରାଜେନ୍ଦ୍ର ପ୍ରସାଦ କେନ୍ଦ୍ରୀୟ କୃଷି ବିଶ୍ୱବିଦ୍ୟାଳୟର କୁଳପତି ଡକ୍ଟର ରମେଶ ଚନ୍ଦ୍ର ଶ୍ରୀବାସ୍ତବ, କୃଷି ଜଳ ପରିଚାଳନା ଗବେଷଣା ସମୁଖୀନ ହେଉଥିବା ଆହ୍ଵାନ ଓ ସୁଯୋଗ ବିଷୟରେ ବକ୍ତବ୍ୟ ରଖିଥିଲେ । ପ୍ରତିଷ୍ଠାନର ନିର୍ଦ୍ଦେଶକ ଡକ୍ଟର ଆତ୍ମାରାମ ମିଶ୍ର ବିଗତ ବର୍ଷରେ ଭାରତୀୟ ଜଳ ପରିଚାଳନା ପ୍ରତିଷ୍ଠାନ ଦ୍ଵାରା ଉଦ୍ଭାବିତ ହୋଇଥିବା ଟେକ୍ନୋଲୋଜି ବିଷୟରେ ସୂଚନା ଦେଇଥିଲେ ଓ ଆଗାମୀ ଦିନରେ ଆହୁରି ପାରଦର୍ଶୀ ପ୍ରଦ୍ୟୋଗିକିର ବିକାଶ ଉପରେ ସମସ୍ତଙ୍କୁ ଧ୍ୟାନ ଦେବାକୁ କହିଥିଲେ । ଶେଷରେ ପ୍ରତିଷ୍ଠାନର ପ୍ରଧାନ ବୈଜ୍ଞାନିକ ଡକ୍ଟର ହେମନ୍ତ ଦାଶ ଧନ୍ୟବାଦ ପ୍ରସ୍ତାବ ଜ୍ଞାପନ କରିଥିଲେ । ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଆସିଥିବା ଉଦ୍ଯୋଗୀ ଚାଷୀ ମାନଙ୍କୁ ପୁରସ୍କୃତ କରଯାଇଥିଲା। ଏହି ଅବସରରେ ଏକ କୃଷି ପ୍ରଦର୍ଶନୀ ଆୟୋଜିତ ହୋଇଥିଲା ଏବଂ ସନ୍ଧ୍ୟାରେ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।
