Wed. Oct 14th, 2026

ବଡ଼ ଦେଉଳ ରେ ସବୁ କିଛି ଶ୍ରେଷ୍ଠ। ମହାପ୍ରଭୁଙ୍କ ପାଇଁ ବ୍ୟବହାର ହେଉଥିବା ପ୍ରତ୍ୟେକ ବସ୍ତୁ ର ସ୍ଵାତନ୍ତ୍ରତା ଓ ମହତ୍ତ୍ଵ ରହିଛି। ସେ ତେଣିକି ଭଙ୍ଗା କୁଡୁଆ ହେଉ ନା କାହିଁକି, ତାହା ମଧ୍ୟ ଭକ୍ତ ଙ୍କ ର ଅତି ପ୍ରିୟ। କୁଡୁଆ ର ଖଣ୍ଡେ ଅଂଶ କୁ ଖାଣ୍ଡି କୁହନ୍ତି। ଏହି ଖାଣ୍ଡି ରେ ମହମହ ବାସୁଥିବା ଟିକିଏ ଖେଚେଡ଼ି ଆଉ ଡାଲମା କୁ ଗୁଣ୍ଡାକରି ପାଇ ଦେବାରେ ଯେଉଁ ଶାନ୍ତି, ତାହା ଶୀତତାପ ନିୟନ୍ତ୍ରିତ କୋଠରୀ ରେ ବସି ଦାମି ବାସନରେ ମିଳେନାହିଁ। ସେ ତୃପ୍ତି କେବଳ ଅନୁଭବି ହିଁ ବୁଝିପାରିବ। ମୋର ମନେ ଅଛି ବହୁତ ଥର ବାଇଶି ପାହାଚ ରେ ଦୌଡ଼ି ଦୌଡ଼ି ଯାଇ ଆନନ୍ଦ ବଜାର ରେ ମାତ୍ର ୧୦ ଟଙ୍କାରେ ଖାଣ୍ଡି ରେ ମହାପ୍ରସାଦ ସେବନ କରି ଆସିଛି। ମୋ ଠାରୁ ଯେଉଁ ମାନେ ବଡ ସେମାନେ ଆହୁରି କମ୍ ଅର୍ଥ ବିନିମୟ ରେ ବି ଖାଣ୍ଡି ରେ ମହାପ୍ରସାଦ ପାଇଥିବେ।
ଆଜି କାଲି ଖଲିପତ୍ର ରେ ଅବଢ଼ା , ଡାଲି, ତରକାରୀ ଦେଇ ଦେଉଛନ୍ତି। କିନ୍ତୁ କାହିଁକି କେଜାଣି ପୁରୀ ଲୋକ ଙ୍କର ଖାଣ୍ଡି ରେ ମହାପ୍ରସାଦ ଟିକିଏ ପାଇ ଦେଲେ ପେଟ ପୁରିଯାଏ। ଆନନ୍ଦ ବଜାର ରୁ ଡାହାଣ ହାତ ପାପୁଲି ରେ ଖାଣ୍ଡି ରେ ମହାପ୍ରସାଦ କିଏ ନେଉଥିବାର ଦେଖିଲେ ହିଁ ମହାପ୍ରସାଦ ପାଇବାର ଅନୁଭୁତି ହେଇଥାଏ।
ସୁଆର ଯେତେବେଳେ ଅନ୍ନ କୁଡୁଆ ଟେ ଯତ୍ନ ର ସହ ହାଲକା ହାଲକା ବାଡେଇ ଖାଣ୍ଡି କରନ୍ତି,ତା ଭିତରେ ମଧ୍ୟ କୈବଲ୍ୟ କଣିକା କିଛି ଥାଏ ଓ ବହୁତ ଥର ମୁଁ ତାକୁ ବି ପୋଛି ପାଛି ପାଇଛି।
ଆମେ ମାନେ ମହାଲକ୍ଷ୍ମୀ ଙ୍କ ମାଣବସା ଗୁରୁବାର ର ପୁରାଣ ରେ ପଢ଼ିଛେ ଯେ, ମହାପ୍ରଭୁ କଥା ଦେଇଥିଲେ ଯେ ସମସ୍ତେ ଏକାଠି ବସି ମହାପ୍ରସାଦ ପାଇବେ। ଏହା କେବେ ଅଇଁଠା ହେବନାହିଁ। ଖାଣ୍ଡି ମଧ୍ୟ ଏକାଧିକ ବାର ବ୍ୟବହାର ହୁଏ।

Leave a Reply

Your email address will not be published. Required fields are marked *