Thu. Oct 15th, 2026

“ଦୋଳେଶ୍ଚ ଦୋଳଗୋବିନ୍ଦଂ ଚାପେଷୁ ମଧୁସୁଦନମ୍
ରଥେ ତୁ ବାମନଂ ଦୃଷ୍ଟ୍ବା ପୁନର୍ଜନ୍ମଂ ନ ବିଦ୍ୟତେ”। ଦୋଳରେ ଦୋଳଗୋବିନ୍ଦ, ଚାପରେ ମଧୁସୂଦନ ଆଉ ରଥରେ ବାମନଙ୍କୁ ଦର୍ଶନ କଲେ ମଣିଷ ପୁନର୍ଜନ୍ମରୁ ମୁକ୍ତିଲାଭ କରେ ବୋଲି କୁହାଯାଏ। ଏ ତିନୋଟି ପ୍ରମୁଖ ଯାତ୍ରା ଓଡ଼ିଆ ଜାତୀର ପ୍ରାଣ ଶ୍ରୀ ଜଗନ୍ନାଥଙ୍କୁ ହିଁ ସମର୍ପିତ ହୋଇଛି। ଆଜି ହେଉଛି ପବିତ୍ର ଦୋଳ ଉତ୍ସବ। କାଳିଆ ଠାକୁର ରଙ୍ଗ ଖେଳିବେ, ଦେହରେ ମାଖିହେବେ ଝିମିରି ଫଗୁ। ମା’ ଭୁଦେବୀ, ଶ୍ରୀଦେବୀଙ୍କ ସହ ମିଶି ଦୋଳବେଦିରେ ଦୋଳି ଖେଳିବେ।ଇତିହାସର କଥା ଶୁଣିଲେ ଆପଣ ଚମକି ପଡିବେ। ଦିନ ଥିଲା ଯେତେବେଳେ ଆମ କାଳିଆ ସାଆନ୍ତ ନିଜେ ଦୋଳ ବେଦୀକୁ ବିଜେ କରୁଥିଲେ। ବଡ଼ ଦୋଳୀରେ ବସି ଦାରୁ ଦିଅଁ ଝୁଲୁଥିଲେ। ହେଲେ ୧୪୮୨ ଶକାବ୍ଦରେ ଘଟିଲା ବଡ଼ ଅଘଟଣ। ଉତ୍କଳରେ ଗଉଡ଼ିଆ ଗୋବିନ୍ଦ ଦେବଙ୍କ ଶାସନ କାଳର ଏ କଳା ଇତିହାସ ଆଜି ବି ପ୍ରତି ଓଡ଼ିଆକୁ ଦୁଃଖରେ ମ୍ରିୟମାଣ କରି ପକାଇବ।

ସାରା ଶ୍ରୀକ୍ଷେତ୍ର ଅବିର ରଙ୍ଗରେ ରଙ୍ଗମୟ ହୋଇଥାଏ। ବଡ଼ ଦେଉଳରେ ସବୁ ଉପକ୍ରମ ସାରି ଦିଅଁ ଦୋଳମଣ୍ଡପ ସାହିକୁ ପହଣ୍ଡି ବିଜେ କରନ୍ତି। ଦୋଳିରେ ବସି ଝୁଲନ୍ତି କାଳିଆ ହାତୀ। ହେଲେ କଥାରେ ଅଛି…

‘ସାତଗୋଟି ପର୍ବତରୁ ଅଟଇ ଯେ ଗରୁ, ନାମ ବହିଛନ୍ତି ଯେ ଅଚଳ ମହାମେରୁ’। ସେଦିନ ସେଇଆ ହେଲା। ଦୋଳି ସମ୍ଭାଳି ପାରିଲାନି ଦାରୁ ଦିଅଁଙ୍କ ଭାର। ମହାପ୍ରଭୁ ଖସିପଡିଲେ ଦୋଳୀରୁ। ଶ୍ରୀ ବିଗ୍ରହଙ୍କ ଶ୍ରୀହସ୍ତ ଭଗ୍ନ ହେଲା। ଖାଲି ଶ୍ରୀକ୍ଷେତ୍ର ନୁହେଁ, ସାରା ଉତ୍କଳରେ ଚହଳ ପଡିଗଲା। ଏ ଜାତିର ମଉଡମଣୀଙ୍କ ଶ୍ରୀହସ୍ତ ବିଘ୍ନ ହୋଇଛି। ଦୋଳପୂର୍ଣ୍ଣିମାରେ ଘଟିଛି ମହା ଅଘଟଣ।

ପରେ ଦଇତା ମାନେ ମଣିମାଙ୍କ ଅଙ୍ଗଲାଗି ହୋଇ ସୁସ୍ଥ କରାଇବା ପରେ ବଡ଼ ଦେଉଳକୁ ବିଜେ କଲେ ବଳିଆରଭୂଜ। ଆଉ ସେବେଠାରୁ ଦାରୁ ଦିଅଁ ଦୋଳକୁ ବିଜେ କଲେନାହିଁ। ସେବେଠୁ ଦୋଳଗୋବିନ୍ଦ, ମା’ ଭୂଦେବୀ, ଶ୍ରୀଦେବୀ ସେହିଦିନଠାରୁ ଦୋଳବେଦୀକୁ ବିଜେ କରୁଛନ୍ତି।

Leave a Reply

Your email address will not be published. Required fields are marked *