ଭୁବନେଶ୍ୱରରେ ଆଜିଠୁ ଆରମ୍ଭ ହେବ ଖଦି ମେଳା,୧୦ ଦିନ ଧରି ଚାଲୁ ରହିବ ଖଦି ମେଳା

ଶବ୍ଦମିଡ଼ିଆ ବ୍ୟୁରୋ:ଓଡ଼ିଶାର ପାରମ୍ପରିକ ପୋଷାକକୁ ଉନ୍ନତମାନର କରି ଏହାର ଚାହିଦାକୁ ରାଜ୍ୟ ଦେଶ ଏବଂ ଦେଶ ବାହାରେ ପରିଚିତ କରାଇବା ପାଇଁ ରାଜ୍ୟ ସରକାର ଖଦି ଓ ଗ୍ରାମୋଦ୍ୟୋଗବୋର୍ଡ଼ ନିର୍ମାଣ କରିଛନ୍ତି।ଏହାର ପ୍ରମୁଖ ଉଦ୍ଦେଶ୍ୟ ହେଉଛି ଖଦି ନିର୍ମାଣଜାତ ପୋଷାକର ଚାହିଦା ବଜାରରେ ତିଆରି କରିବା।ସେଥିପାଇଁ ରାଜ୍ୟ ସରକାର ଆଜିଠାରୁ ଓଡ଼ିଶା ଖଦି ଓ ଗ୍ରାମୋଦ୍ୟୋଗ ବୋର୍ଡ ଆନୁକୁଲ୍ୟରେ ମଙ୍ଗଳବାରଠୁ ଆରମ୍ଭ ହେବ ଖଦି ମେଳା । ଏହି ମେଳା ଖାରବେଳନଗରସ୍ଥିତ ଓଡ଼ିଶା ଖଦି ଓ ଗ୍ରାମୋଦ୍ୟୋଗ ବୋର୍ଡ ପରିସରରେ ଆସନ୍ତା ୨୩ ତାରିଖ ପର୍ଯ୍ୟନ୍ତ ଚାଲିବ । ଓଡ଼ିଶା ସହ ଅନ୍ୟ ରାଜ୍ୟର ବିଭିନ୍ନ ଗ୍ରାମ୍ୟ ଶିଳ୍ପୋଦ୍ୟୋଗୀ ସେମାନଙ୍କର ପାରମ୍ପରିକ ଉତ୍ପାଦ ସବୁ ଏହି ମେଳାରେ ପ୍ରଦର୍ଶନ ଓ ବିକ୍ରୟ କରିବେ ବୋଲି ବୋର୍ଡର ସଭାପତି ସଂଗ୍ରାମ କେଶରୀ ପାଇକରାୟ ସୋମବାର ଏଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

ମେଳାରେ ୬୫ଟି ଷ୍ଟଲର ବ୍ୟବସ୍ଥା କରାଯାଇଛି । ଲୋକେ ବିଭିନ୍ନ ଖଦି ଓ ଗ୍ରାମୋଦ୍ୟୋଗ ସାମଗ୍ରୀ ଯଥା ଘଣା ପେଡ଼ା ସୋରିଷ ତେଲ, ମହୁ, କନ୍ଧମାଳ, ହଳଦୀ, ବିଭିନ୍ନ ମସଲା, ଆଚାର, ଧୂପ କାଠି, ଚାନ୍ଦୁଆ, ଶାଢ଼ୀ, ଗାମୁଛା ଆଦି କିଣିପାରିବେ । ଏଥିସହିତ ଏଠାରେ ଅରଟରେ ସୂତାକଟା, ତନ୍ତରେ ଲୁଗା ବୁଣା ଇତ୍ୟାଦିର ଜୀବନ୍ତ ପ୍ରଦର୍ଶନର ଅନୁଭୁତି ସାଉଁଟି ପାରିବେ । ଏହା ସହ ପ୍ରତ୍ୟେକ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମର ମଧ୍ୟ ମଜା ନେଇପାରିବେ । ଏହି ମେଳା ଅପରାହ୍ଣ ୩ଟାରୁ ରାତି ୯ଟା ପର୍ଯ୍ୟନ୍ତ ଚାଲିବ । ରାଜ୍ୟର ବିଭିନ୍ନ ସାହାଯ୍ୟପ୍ରାପ୍ତ ହିତାଧିକାରୀମାନଙ୍କ ଉତ୍ପାଦର ବଜାର ସୃଷ୍ଟି ଏହି ମେଳାର ଉଦ୍ଦେଶ୍ୟ ବୋଲି ଶ୍ରୀ ପାଇକରାୟ କହିଥିଲେ । ଏହି ସାମ୍ବାଦିକ ସମ୍ମିଳନୀରେ ବୋର୍ଡର ସଚିବ ସୁଦାମ ଚରଣ ମଣ୍ଡଳ, ଉପସଚିବ ସଞ୍ଜୟ କୁମାର ମିଶ୍ର ଉପସ୍ଥିତ ଥିଲେ ।

ମେଳାକୁ ବୋର୍ଡର ସଭାପତିଙ୍କ ସହ ଅଣୁ,କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ ପ୍ରତାପ କେଶରୀ ଦେବ, ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା, ବିଭାଗୀୟ ପ୍ରମୁଖ ଶାସନ ସଚିବ ଶାଶ୍ୱତ ମିଶ୍ର ଉଦ୍‌ଘାଟନ କରିବାର କାର୍ଯ୍ୟକ୍ରମ ରହିଛି ।

You May Also Like

More From Author

+ There are no comments

Add yours