ବର୍ଡର-ଗାଭାସ୍କର ଟ୍ରଫି:ଚତୁର୍ଥ ଟେଷ୍ଟ ଡ୍ର, ୨-୧ ରେ ସିରିଜ ଜିତିଲା ଭାରତୀୟ ଦଳ

ଶବ୍ଦମିଡ଼ିଆ ବ୍ୟୁରୋ:ଭାରତୀୟ ଘରୋଇ ମାଟିରେ ଚାଲିଥିବା ଭାରତ-ଅଷ୍ଟ୍ରେଲିଆ ବର୍ଡର-ଗାଭାସ୍କର ଟ୍ରଫି ଚାରି ମ୍ୟାଚ ବିଶିଷ୍ଠ ଟେଷ୍ଟ ସିରିଜ ୩୩ ଦିନର ଅବଧିର ଏହି ସଂଘର୍ଷ ଓ ରୋମାଞ୍ଚକ ମଧ୍ୟରେ ଟେଷ୍ଟ ସିରିଜ ଶେଷ ହୋଇଛି।ଚତୁର୍ଥ ଟେଷ୍ଟ ଡ୍ର’ ରହିବା ସହ ଭାରତ ୨-୧ରେ ସିରିଜ ଜିତି କ୍ରମାଗତ ଚତୁର୍ଥ ଥର ପାଇଁ ଟ୍ରଫି ବଜାୟ ରଖିଛି । ଅନ୍ୟ ପଟରେ ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଟେଷ୍ଟରେ ନ୍ୟୁଜିଲାଣ୍ଡର ରୋମାଞ୍ଚକର ବିଜୟ ଫଳରେ ଭାରତ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍‌ (ଡବ୍ଲ୍ୟୁଟିସି) ଫାଇନାଲ୍‌କୁ ଯୋଗ୍ୟତା ଅର୍ଜନ କରିବାରେ ସଫଳ ହୋଇଛି ।

ଜୁନ ମାସ ୭ରୁ ୧୧ ତାରିଖ ମଧ୍ୟରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଇଂଲଣ୍ଡର ଐତିହାସିକ ଓଭାଲ ଗ୍ରାଉଣ୍ଡରେ ଡବ୍ଲ୍ୟୁଟିସି ଫାଇନାଲ୍‌ ମୁକାବିଲା ଖେଳାଯିବ। ଭାରତ ଚଳିତ ଡବ୍ଲ୍ୟୁଟିସି ଚକ୍ରରେ ମୋଟ୍‌ ୧୮ଟି ଟେଷ୍ଟ ଖେଳି ୧୦ଟି ମ୍ୟାଚ୍‌ ଜିତିଥିଲା ଓ ୫ଟି ମ୍ୟାଚ୍‌ରେ ପରାଜିତ ହୋଇଥିଲା । ଅନ୍ୟ ୩ଟି ମ୍ୟାଚ୍‌ ଡ୍ର’ ରହିଥିଲା । ଭାରତ ଘରୋଇ ଗ୍ରାଉଣ୍ଡ୍‌ରେ ନ୍ୟୁଜିଲାଣ୍ଡ, ଶ୍ରୀଲଙ୍କା ଓ ଅଷ୍ଟ୍ରେଲିଆ ବିପକ୍ଷରେ ଟେଷ୍ଟ ସିରିଜ ଜିତିଥିଲା ।ଇଂଲଣ୍ଡ ଗସ୍ତରେ ଟେଷ୍ଟ ସିରିଜ ୨-୨ରେ ଡ୍ର’ ରହିଥିଲା । ସେହିପରି ଦକ୍ଷିଣ ଆଫ୍ରିକା ଗସ୍ତରେ ଭାରତ ୧-୨ରେ ପରାଜିତ ହୋଇଥିଲା ।

ଚତୁର୍ଥ ଟେଷ୍ଟର ଅନ୍ତିମ ଦିବସ ଉତ୍ସାହହୀନ ରହିଥିଲା । ଅଷ୍ଟ୍ରେଲିଆ ଷ୍ଟମ୍ପ ଘୋଷଣା ପର୍ଯ୍ୟନ୍ତ ବ୍ୟାଟିଂ ଜାରି ରଖିବାକୁ ଯୋଜନା କରିଥିଲା । ୭୮.୧ ଓଭର ଖେଳ ଶେଷ ସୁଦ୍ଧା ଭ୍ରମଣକାରୀ ଦଳ ୨/୧୭୫ ରନ୍‌ କରିଥିବାବେଳେ ଉଭୟ ଦଳର ଅଧିନାୟକଙ୍କ ନିଷ୍ପତ୍ତି କ୍ରମେ ଅମ୍ପାୟାର ଶେଷ ଦିବସ ଘୋଷଣା କରିଥିଲେ । ୩ବର୍ଷ ୩ମାସ ଓ ୧୭ ଦିନ ପରେ ଟେଷ୍ଟ କ୍ରିକେଟ୍‌ରେ ଶତକ(୧୮୬) ଅର୍ଜନ କରିଥିବା ବିରାଟ କୋହଲି ପ୍ଲେୟାର ଅଫ ଦ ମ୍ୟାଚ୍‌ ବିବେଚିତ ହୋଇଥିଲେ । ସେହିପରି ସିରିଜରେ ୪୭ଟି ୱିକେଟ୍‌ ହାସଲ କରିଥିବା ରବି ଚନ୍ଦ୍ରନ ଅଶ୍ୱିନ ଓ ରବିନ୍ଦ୍ର ଜାଡେଜାଙ୍କୁ ପ୍ଲେୟାର ଅଫ ଦ ସିରିଜ ପୁରସ୍କାର ପ୍ରଦାନ କରାଯାଇଥିଲା ।

ଅଷ୍ଟ୍ରେଲିଆ ଅସମାପ୍ତ ଦ୍ୱିତୀୟ ଇନିଂସ ୦/୩ରନ୍‌ରୁ ଖେଳ ଆରମ୍ଭ କରି ୧୪ ରନ୍‌ରେ ପ୍ରଥମ ୱିକେଟ୍‌ ହରାଇଥିଲା । ମାଟ୍‌ କୁହ୍ନେମନ ୬ ରନ୍‌ କରି ଆଉଟ୍‌ ହୋଇଥିଲେ । ଏହାପରେ ମାର୍ନସ ଲାବୁସାନ ଓ ଟ୍ରେଭିସ ହେଡ୍‌ ଦୃଢ ବ୍ୟାଟିଂ କରି ଅର୍ଦ୍ଧଶତକ ଅର୍ଜନ କରିଥିଲେ । ହେଡ୍‌ ୯୬ ରନ୍‌ କରି ଆଉଟ୍‌ ହୋଇଥିଲେ । ଲାବୁସାନ(୬୩) ଓ ଷ୍ଟିଭେନ ସ୍ମିଥ୍‌(୧୦) ଅପରାଜିତ ରହି ଦଳୀୟ ସ୍କୋରକୁ ୧୭୫ରେ ପହଞ୍ଚାଇଥିଲେ ।

You May Also Like

More From Author

+ There are no comments

Add yours