ଏବେ ମହିଳା ଅବଳା କି ଦୁର୍ବଳା ନୁହନ୍ତି। ସେମାନେ ସ୍ୱୟଂଶିଦ୍ଧା । ପୁରୁଷଙ୍କ ସହ ସମକକ୍ଷ । ନିଜର ପ୍ରତିଭା, କର୍ତ୍ତବନିଷ୍ଠ ମହିଳାମାନଙ୍କୁ କରିଛି ସ୍ୱତନ୍ତ୍ର । ଏଭଳି ଜଣେ ମହିଳା ହେଉଛନ୍ତି ସର । ସମାଜର ଅବଳେିତ, ନିସ୍ପେଷିତ ପିଲାଙ୍କ ମୁହଁରେ ହସ ଫୁଟାଇବା ପାଇଁ ସେ କରିଚାଲିଛନ୍ତି ଅହରହ ସଂଗ୍ରାମ । ସମାଜର ମୁଖସ୍ରୋତରେ ସେମାନଙ୍କୁ ସାମିଲ କରିବା ପାଇଁ ଆରମ୍ଭ କରିଛନ୍ତି ବସ୍ତିରେ ବର୍ଣ୍ଣବୋଧ । ନିଆରା ବ୍ୟକ୍ତିତ୍ୱ ନିବେଦିତା ଲେଙ୍କାଙ୍କ ସହ କିଛି କଥାବାର୍ତ୍ତା।
ଆପଣ କେବେଠୁ ସମାଜ ସେବା ପ୍ରତି ସମର୍ପିତ ହୋଇଛନ୍ତି । କେବେଠୁ ଏଇ ଦୁର୍ବଳତା ?
ମୁଁ ଜଣେ ସାଧାରଣ ଗୃହିଣୀ । ସମୟ ଓ ପରିସ୍ଥିତି ମୋତେ ସମାଜ ସେବା ଦିଗରେ ଆଗକୁ ବଢାଇଛି । ଜଣେ ମେଧାବୀ ଅଥଚ ଗରିବ ପିଲର ପରିସ୍ଥିତି ମୋତେ ଖୁବ ବିଚଳିତ କରିଥିଲା । ତୋରାଣୀ,ଫାଳେ ସିଝା ଆଳୁ ଦିନକର ଆହାର ଥିଲା । ବାପା ମା ଛେଉଣ୍ଡ ସେଇ ପିଲାଟିକୁ ପାଠ ପଢାଇବାକୁ,ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବାକୁ ଚେଷ୍ଟା କରିଥିଲି । ସେବେଠୁ ବଦଳିଛି ଜୀବନର ମୋଡ । ପରେ ପରେ କେବେ ଶହେରୁ ଅଧିକ ପିଲାଙ୍କ ମାଆ ବନିଗଲି,ତାହା ଭାବିଲେ ନିଜକୁ ବିଶ୍ୱାସ ହୁଏନି ।
ପିଲାଙ୍କୁ ପାଠପଢାର ସୁଯୋଗ ଦେବା ନେଇ ଆପଣ ଚେଷ୍ଟିତ । ଏମିତି କଣ କରିଛନ୍ତି ,ଯାହା ଆପଣଙ୍କୁ ଆତ୍ମସନ୍ତୋଷ ଦେଇଛି ?
ସମାଜର ଗୋଟିଏ ଗୋଟିଏ ଅନାଥ,ଗରିବ ମେଧାବୀ ପିଲାଙ୍କୁ ଆପଣାଇଛି । ସେମାନଙ୍କ ମା ଡାକ,ମୋତେ ଖୁବ ଭଲ ଲାଗୁଛି ।ଯେଉଁଠି ଯେତେବେଳେ କାହାରିକୁ ସାହାରା ଲୋଡା ହୁଏ,ସେଇଠି ମୁଁ ପହଁଞ୍ଚେ । ବିଭିନ୍ନ ସ୍ତରରେ ,ଅନୁଷ୍ଠାନ ଜରିଆରେ କଥାବାର୍ତ୍ତା କରି ପାଠ ପଢାଇବାର ସୁଯୋଗ ତିଆରି କରେ । ଏ ଭିତରେ ପନ୍ଦରରୁ ଅଧିକ ପିଲା ,ଡାକ୍ତର ହୋଇଛନ୍ତି । ଅନେକ ଇଞିନୟରିଂ କ୍ଷେତ୍ରରେ ଅବସ୍ଥାପିତ ହୋଇଛନ୍ତି । ଆଇ.ଆଇ.ଟି,ଏନଆଇଟିରେ କିଛି ପିଲା ପଢୁଛନ୍ତି । ୟୁପିଏସସି ଓ ଓପିଏସସି କ୍ଷେତ୍ରରେ କିଛି ପିଲାଙ୍କୁ ପ୍ରସ୍ତୁତ କରୁଛୁ । ଏମିତି ପିଲାଙ୍କୁ ସାଉଁଟି ଓଡିଶାର ବିଭିନ୍ନ କଲେଜରେ ପାଠ ପଢାଇବାର ବ୍ୟବସ୍ଥା କରିଛି । ଶିକ୍ଷା ର ମଜଭୁତ ପ୍ଲାଟଫର୍ମ ତିଆରି କରିବା ମୋର ମୁଖ୍ୟ ଉଦ୍ଦେଶ୍ୟ । ଏ ସବୁ କାମ ଜରିଆର ମୁଁ ଖୁବ ଆତ୍ମସନ୍ତୋଷ ପାଇଛି ।
ଯଶୋଦା ମା ଫାଉଣ୍ଡେସନର ପରିକଳ୍ପନା କେମିତି କଲେ ?
ଜଣେ ସାଧାରଣ ଗୃହିଣୀ । ନିତିଦିନିଆ ଘର କାମ ଭିତରେ ସମାଜ ସେବା, ଦୀର୍ଘ କୋଡିଏ ବର୍ଷରୁ ଅଧିକ ସମୟ ଧରି କଲିଣି ।ନିସ୍ୱାର୍ଥପର ମନୋବୃତ୍ତି,ନିଜକୁ କେବେ ଥକିବାକୁ କି ଠକିବାକୁ ଦେଇନି । ଶତାଧିକ ଛାତ୍ର ଛାତ୍ରୀଙ୍କୁ ପାଠ ପଢାଇବା ସହ ସମାଜରେ ଠିଆ କରାଇବାରେ କେତେ ଆତ୍ମସନ୍ତୋଷ,ତାହା ଅବ୍ୟକ୍ତ । ପିଲାଙ୍କ ପାଇଁ ନିଜେ,ବିଭିନ୍ନ ସଙ୍ଗଠନ ଓ ଅନୁଷ୍ଠାନର ସହଯୋଗ ଲୋଡିଛି । ସମସ୍ତେ ମଧ୍ୟ ସହଯୋଗ ଦେଇଛନ୍ତି । ମୋର ଏଇ ପ୍ରୟାସ ଆଗକୁ ଏମିତି ଚାଲୁ , ପରିଚାଳନା ଓ ସହଯୋଗ ଅଧିକ ସରଳ ହେଉ,ସେଥିପାଇଁ ଯଶୋଦା ମା ଫାଉଣ୍ଡେସନର ଜନ୍ମ।
ବର୍ଷ ବର୍ଷର ସମାଜ ସେବାରେ କେତେ ଆତ୍ମସନ୍ତୋଷ ମିଳିଛି ?
ଆତ୍ମସନ୍ତୋଷ ମିଳିଛି,ତେବେ ଆହୁରି ଅନେକ ବାକି ଅଛି । ମୋ ପିଲା ମାନେ ଆଗାମୀ ଦିନରେ ସମାଜ ପାଇଁ କାମ କରନ୍ତୁ । ସମାଜର ମେଧାବୀ ଓ ଗରିବ ପିଲାଙ୍କୁ ସାଉଁଟି ଆଣି,ସେମାନଙ୍କୁ ଠିଆ କରାନ୍ତୁ ,ଏହା ମୋର ସ୍ୱପ୍ନ । ମୋ ଭଳି ଅସଂଖ୍ୟ ନିବେଦିତା ସୃଷ୍ଟି ହୋଇ,ଯଶୋଦା ମା ପରିବାରକୁ ଆହୁରି ଆଗେଇ ନିଅନ୍ତୁ ।
ସମାଜର ମହିଳାଙ୍କ ପାଇଁ କଣ କହିବେ?
ମହିଳାଙ୍କ ନିକଟରେ ଅଛି ସଜେଇବାର ସୁନ୍ଦର କଳା । ଘର, ପରିବାର,ସମାଜ ପ୍ରତିଟି କ୍ଷେତ୍ରରେ ସୁନ୍ଦର ଭାବେ ଗଢିବାର ଆକାଂକ୍ଷା,ମହିଳାଙ୍କ ପାଖରେ ଅଛି । ତେବେ ମହିଳାଙ୍କୁ ନିଜର ଦୃଷ୍ଟି କୋଣ ବଦଳାଇବାକୁ ହେବ । ଦୃଷ୍ଟି ବଦଳିଲେ ,ସୃଷ୍ଟି ବଦଳିଯିବ ।
+ There are no comments
Add yours