ଦିଲ୍ଲୀରେ ସାଂଘାତିକ ବାୟୁ ପ୍ରଦୂଷଣ

ଦିଲ୍ଲୀରେ ବାୟୁର ମାନ ସାଂଘାତିକ ଶ୍ରେଣୀରେ ରହିଛି। ସମଗ୍ର ଦିଲ୍ଲୀ ଏକ ଧୂଆଁର ଚଦର ତଳେ ରହିଥିବା ବେଳେ ଏଭଳି ସ୍ଥିତି ଆହୁରି କିଛିଦିନ ଲାଗି ରହିବ ବୋଲି ଜଣାପଡ଼ିଛି। ଗୋଟିଏ ପଟେ ବିଷ ବଳୟରେ ଦିଲ୍ଲୀ ବାସିନ୍ଦା କଲବଲ ହେଉଥିବା ବେଳେ ଅନ୍ୟପଟେ ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ନିଆଯାଉଥିବା ପଦକ୍ଷେପ ଆଦୌ ପ୍ରଭାବଶାଳୀ ହେଉନଥିବାରୁ ଚିନ୍ତା ବଢ଼ିଛି।
ଲଗାତାର ଚତୁର୍ଥ ଦିନରେ ଦିଲ୍ଲୀ ସହର ବହଳ ଧୂଆଁ ମିଶ୍ରିତ କୁହୁଡ଼ି ଦ୍ବାରା ଆଚ୍ଛାଦିତ ହୋଇ ରହିଛି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଅନୁଯାୟୀ ଦିଲ୍ଲୀରେ ସାମଗ୍ରିକ ଏକ୍ୟୁଆଇ ୩୪୬ ରହିଥିବା ବେଳେ କିଛି ଅଂଚଳରେ ଏହା ୪୫୦ ଉପରେ ରହିଛି। ଦିଲ୍ଲୀର ଲୋଧି ରୋଡ୍, ଜାହାଙ୍ଗିରପୁରୀ, ଆର୍‌କେ ପୁରମ ଏବଂ ଇନ୍ଦିରା ଗାନ୍ଧି ଅନ୍ତର୍ଜାତୀୟ ବିମାନ ବନ୍ଦର ଅଞ୍ଚଳରେ ବାୟୁର ମାନ ଅତି ସାଂଘାତିକ ରହିଛି। ଉକ୍ତ ସ୍ଥାନମାନଙ୍କରେ ଏକ୍ୟୁଆଇ ଯଥାକ୍ରମେ ୪୩୮,୪୯୧,୪୮୬ ଏବଂ ୪୭୩ ଅଛି। ବାୟୁର ମାନ ସୁଧାରିବା ପାଇଁ ଏମ୍‌ସିଡି (ଦିଲ୍ଲୀ ପୌର ନିଗମ) କେତେକ ଜରୁରୀ ପଦକ୍ଷେପ ଗ୍ରହଣ କରିଛି।। ଉତ୍ତରପ୍ରଦେଶର ନଏଡ଼ାର ସେକ୍ଟର ୬୧, ସେକ୍ଟର ୧ ଏବଂ ସେକ୍ଟର ୧୧୬ରେ ଏକ୍ୟୁଆଇ ଅତି ସାଂଘାତିକ ଶ୍ରେଣୀରେ ରହିଛି। କେବଳ ଦିଲ୍ଲୀ ନୁହେଁ ସମଗ୍ର ଉତ୍ତର ଭାରତରେ ପରିସ୍ଥିତି ଅତି ଜଟିଳ ରହିଛି।
ବୁଧବାର ୪୦୦ରୁ ଅଧିକ ଏକ୍ୟୁଆଇ ଥିବା ଅଞ୍ଚଳରେ ନିର୍ମାଣ କାର୍ଯ୍ୟ ଉପରେ ୫ ଦିନ ପାଇଁ ପ୍ରତିବନ୍ଧକ ଲଗାଯାଇଛି। ଯାନବାହନ ପ୍ରଦୂଷଣ ହ୍ରାସ କରିବା ପାଇଁ ସରକାର ‘ରେଡ୍ ଲାଇଟ୍ ଅନ୍ ଗାଡି ଅଫ୍’ ଅଭିଯାନ ଆରମ୍ଭ କରିଛନ୍ତି ଏବଂ ସର୍ବସାଧାରଣ ପରିବହନ ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ୧,୦୦୦ ଘରୋଇ ସିଏନ୍‌ଜି ବସ୍ ଭଡ଼ାରେ ନେବେ ବୋଲି କହିଛନ୍ତି। ପ୍ରଦୂଷଣ ପାଇଁ ଦିଲ୍ଲୀରେ ପ୍ରାଥମିକ ବିଦ୍ୟାଳୟଗୁଡ଼ିକ ବନ୍ଦ ରଖାଯାଇଛି।

You May Also Like

More From Author

+ There are no comments

Add yours