Wed. Oct 14th, 2026

ଆଜି ବସିବ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ । ପୂର୍ବାହ୍ନ ୧୧ ଟା ୩୦ ମିନିଟରେ ପୁରୀ ବଡ଼ଦାଣ୍ଡ ସ୍ଥିତ ନୀଳଦ୍ରୀ ଭକ୍ତ ନିବାସ ଠାରେ ବସିବ ଏହି ବୈଠକ । ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ । ଏହି ବୈଠକରେ ଜିଲ୍ଲାପାଳ ତଥା ଶ୍ରୀମନ୍ଦିର ଉପମୁଖ୍ୟ ପ୍ରଶାସକ ସମର୍ଥ ବର୍ମା, ଏସପି ଡଃ କନୱର ବିଶାଳ ସିଂ, ପରିଚାଳନା କମିଟି ସଦସ୍ୟଙ୍କ ସହ ବରିଷ୍ଠ ଅଧିକାରୀମାନେ ଭାଗ ନେବେ।

ଆସନ୍ତା ଜାନୁଆରୀ ୧୭ ତାରିଖରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହେବାକୁ ଥିବା ବେଳେ ଆଜି ଏହି ବୈଠକରେ ମୋହର ବାଜିବ। ଏହାପୂର୍ବରୁ ତିନି ଦିନ ଧରି ଅର୍ଥାତ୍ ଜାନୁଆରୀ ୧୫ ତାରିଖରୁ ଶ୍ରୀମନ୍ଦିର ଐସାନ୍ୟ କୋଣରେ ପୂଜାର୍ଚ୍ଚନା ଓ ହୋମଯଜ୍ଞ ଆରମ୍ଭ ହେବ। ଶ୍ରୀମନ୍ଦିର ଚାରିଦ୍ବାରରେ ବେଦ ପାରାୟଣ, ସଂକୀର୍ତ୍ତନ କରାଯିବ।

ଜାନୁଆରୀ ୧୭ ତାରିଖ ଦିନ ଗଜପତି ମହାରାଜା ଦିବ୍ୟସିଂହ ଦେବ ଏହି ଭବ୍ୟ ସମାରୋହରେ ପୂର୍ଣ୍ଣାହୁତି ଦେବେ। ତେଣୁ ଜାନୁଆରୀ ୧୨ ତାରିଖରୁ ଏନେଇ ସମସ୍ତ ପ୍ରସ୍ତୁତି ପର୍ବ ଆରମ୍ଭ ହେବ। ସମସ୍ତ ମଠର ମଠାଧିଶ, ବରିଷ୍ଠ ବ୍ୟକ୍ତିବିଶେଷ, ସେବାୟତ, ଛତିଶା ନିଯୋଗ ମହାନାୟକ, ଶ୍ରୀମନ୍ଦିର ପୁରୋହିତ, ମୁକ୍ତିମଣ୍ଡପ ବ୍ରାହ୍ମଣ, ଶ୍ରୋତ୍ରୀୟ ବ୍ରାହ୍ମଣ ଉପସ୍ଥିତ ରହିବେ। ୧୫ ତାରିଖ ସକାଳ ୭ଟା ୩୦ରେ ପ୍ରଦୀପ ପ୍ରଜ୍ବଳନ କରାଯାଇ ନୃସିଂହ ମନ୍ତ୍ରରେ ପୂଜାର୍ଚ୍ଚନା ଓ ହୋମଯଜ୍ଞ ଆରମ୍ଭ ହେବ ବୋଲି ଗତକାଲି ନୀତି ସବକମିଟି ବୈଠକରେ ଆଲୋଚନା ହୋଇଥିଲା।

Leave a Reply

Your email address will not be published. Required fields are marked *