ହାତ ଧୁଆ(ପରିଚ୍ଛନ୍ନତା)କୁ ସୁନିଶ୍ଚିତ  କରାଯିବା  ପାଇଁ ରୋଡ୍ ମ୍ୟାପ୍ ପ୍ରସ୍ତୁତି ନେଇ ସମନ୍ୱୟ ଏବଂ ପରାମର୍ଶ ବୈଠକ

ଭୁବନେଶ୍ୱର : କେବଳ ହାତକୁ ସାଧାରଣ ଭାବେ ଧୋଇବା ଯଥେଷ୍ଟ ନୁହେଁ । ରୋଗ ଦାଉରୁ ରକ୍ଷା ପାଇବା  ଏବଂ ରୋଗ ବ୍ୟାପିବାର ଆଶଙ୍କାକୁ କମାଇବା ପାଇଁ  ହାତକୁ  ଭଲ ଭାବରେ ସାବୁନ ବା ହ୍ୟାଣ୍ଡ ଓ୍ୱାସ୍ ସାହାଯ୍ୟରେ ଭଲ  ଭାବରେ ଧୋଇବା ଜରୁରୀ । ସଠିକ୍‌ ଭାବରେ ହାତଧୁଆ କୋଭିଡ୍‌ ସଂକ୍ରମଣକୁ  କମାଇବା ସହିତ ମୃତ୍ୟୁ ସଂଖ୍ୟାକୁ ବହୁ ମାତ୍ରାରେ ହ୍ରାସ କରିବାରେ ସଫଳ  ହୋଇଥିଲା । ସଠିକ୍ ଭାବରେ ହାତ ଧୂଆ ପାଇଁ ରାଜ୍ୟରେ ସ୍ୱାସ୍ଥ୍ୟ ବିଭାଗ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ମହିଳା ଓ ଶିଶୁ ବିକାଶ ବିଭାଗ ଆଦି ସମ୍ପୃକ୍ତ  ବିଭାଗ ଦ୍ୱାରା ବିଭିନ୍ନ ସମୟରେ ସଚେତନ କରାଯାଉଛି । ଏବେ ଏହି ପ୍ରକ୍ରିୟାକୁ ସୁନିଶ୍ଚିତ କରିବାକୁ ୟୁନିସେଫ ଦେଶବ୍ୟାପୀ ରୋଡ୍ ମ୍ୟାପ୍ ପ୍ରସ୍ତୁତି କରୁଛି । ଓଡିଶାରୁ ପ୍ରଥମେ ଏହି ରୋଡମ୍ୟାପ୍  ଆରମ୍ଭ କରାଯାଇଥିବା  ସଂପର୍କରେ ଗୁରୁବାର ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଗୁରୁତ୍ୱପୂଣ୍ଣ ବୈଠକରେ ୟୁନିସେଫ୍ ତରଫରୁ  ସୂଚନା ଦିଆଯାଇଛି ।

 ଲୋକସେବା ଭବନରେ ଅନୁଷ୍ଠିତ ଏହି ସମନ୍ୱୟ ଏବଂ ପରାମର୍ଶ ବୈଠକରେ ସମ୍ପୃକ୍ତ ସମସ୍ତ ବିଭାଗର ସମନ୍ୱୟରେ ଏହି କାର୍ଯ୍ୟ ସୁସଂପାଦନ ପାଇଁ ଉନ୍ନୟନ କମିଶନର ପରାମର୍ଶ ଦେଇଛନ୍ତି ।  ୟୁନିସେଫ କ୍ଷେତ୍ର ମୁଖ୍ୟ ଉଇଲିୟମ୍ ହାନଲୋନ ଜେଆର, ୟୁନିସେଫ୍ ଓ୍ୱାସ୍ – ସିସିଇସ୍ ବିଶେଷଜ୍ଞ ସିପ୍ରା ସକ୍ସେନା ପ୍ରମୁଖ ଯୋଗଦେଇ ଓଡିଶାରେ ହାତ ଧୁଆ(ହ୍ୟାଣ୍ଟ ହାଇଜିନ) ରୋଡ୍ ମ୍ୟାପ୍ ପ୍ରସ୍ତୁତି ସମ୍ପର୍କରେ ବିଶଦ୍ ଭାବେ ଆଲୋକପାତ କରିଥିଲେ ।

ହାତ ଧୁଆ ଭଳି ପରିଚ୍ଛନ୍ନତା ରକ୍ଷା, କମ୍ ଖର୍ଚ୍ଚରେ ହେଉଥିବା ଏକ ସ୍ୱାସ୍ଥ୍ୟ ରକ୍ଷା ବ୍ୟବସ୍ଥା । କିନ୍ତୁ ସଚେତନତା  ଅଭାବରୁ ଏହି ଅଭ୍ୟାସ ନକରାଯିବା ଫଳରେ ବହୁ ସଂକ୍ରାମକ ରୋଗ ବ୍ୟାପୁଛି । ମିଳିତ ଜାତିସଂଘର ପୋଷଣୀୟ  ବିକାଶ ଲକ୍ଷ୍ୟ ହାସଲ କରିବାରେ ସ୍ୱାସ୍ଥ୍ୟ ରକ୍ଷା ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ରହିଥିବା ବେଳେ ବିଦ୍ୟାଳୟରେ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ ଏପରିକି ଘରେ ଘରେ  ପ୍ରତ୍ୟେକ ଜନସାଧାରଣଙ୍କୁ   ସାବୁନରେ  ହାତ ସଫା  କରିବା ଓ  ଏଥିପାଇଁ ଆବଶ୍ୟକ ପାଣିର ଉପଲବ୍‌ଧତାକୁ ନିଶ୍ଚିତ କରିବା ସଂପର୍କରେ ଆଲୋଚନା କରାଯାଇଥିଲା । ବିପର୍ଯ୍ୟୟ ପରିଚାଳନା ଓ  ପ୍ରଶମନ କ୍ଷେତ୍ରରେ ରାଜ୍ୟର ସରକାରୀ                 ବିଭାଗଗୁଡ଼ିକ ପ୍ରଭାବଶାଳୀ ଭାବେ ସମନ୍ୱୟ ରକ୍ଷା କରୁଥିବା ବେଳେ ଏ କ୍ଷେତ୍ରରେ ମଧ୍ୟ ଓଡିଶା ଅଗ୍ରଣୀ ଭୂମିକା ନିର୍ବାହ କରିବ ବୋଲି ବୈଠକରେ ଆଲୋଚନା ପ୍ରକାଶ ପାଇଥିଲା । ଭବିଷ୍ୟତରେ ସମ୍ଭାବ୍ୟ  ମହାମାରୀକୁ  ଦୂର କରିବାକୁ ହେଲେ ଏବେଠାରୁ ଉନ୍ନତ ହାତ ପରିଚ୍ଛନ୍ନତା ନିମନ୍ତେ ପ୍ରସ୍ତୁତି ଓ ପ୍ରତିକ୍ରିୟା ଯୋଜନାର ଆବଶ୍ୟକତା ରହିଛି ।

ହାତ ଧୁଆ ପରିଛନ୍ନତାକୁ ସୁନିଶ୍ଚିତ କରିବା ପାଇଁ ଆମ ପାଖରେ  ଉପଲବ୍‌ଧ ମାନବ ସମ୍ବଳର ଦକ୍ଷତାବୃଦ୍ଧିର ଆବଶ୍ୟକତା ସମ୍ପର୍କରେ ଆଲୋଚନା କରାଯାଇଥିଲା । ରାଜ୍ୟରେ ସମସ୍ତ ଆଶାକର୍ମୀ, ବହୁମୁଖୀ ସ୍ୱାସ୍ଥ୍ୟକର୍ମୀ, ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଅଧିକାରୀମାନଙ୍କୁ ଏଦିଗରେ  ଅଧିକ ସଚେତନ ପୂର୍ବକ ପ୍ରଶିକ୍ଷଣ ଦିଆଯିବ । ଦକ୍ଷତା ବୃଦ୍ଧି ପାଇଁ କାର୍ଯ୍ୟକାରୀ କରାଯାଉଥିବା  ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା, ମୁଖ୍ୟମନ୍ତ୍ରୀ ସ୍ୱାସ୍ଥ୍ୟ ସେବା ମିଶନ, ସହରାଞ୍ଚଳ ସ୍ୱାସ୍ଥ୍ୟ ପୁଷ୍ଟି ଦିବସ , ଓମ୍ବାଡ୍‌ସି ଓ ଡିଏମ୍‌ଏଫ୍‌ କାର୍ଯ୍ୟକାରୀ ବେଳେ ଏହାକୁ ସାମଲ କରାଯାଇ ସୁନିଶ୍ଚିତ କରାଯିବ । ମା’ ଗୃହ, ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଆଦିଗୁଡିକରେ ବିଭିନ୍ନ  କାର୍ଯ୍ୟକ୍ରମ ମାଧ୍ୟମରେ ହାତଧୂଆ ସଂପର୍କରେ ବ୍ୟାପକ ସଚେତନତା ଓ ଏଥିପାଇଁ  ଉତ୍ତମ ପରିବେଶ ସୃଷ୍ଟି ଏ ଦିଗରେ  ସହାୟକ ହେବ ।

ଉନ୍ନତ ହାତଧୂଆ ବ୍ୟବସ୍ଥା ପାଇଁ ଆନ୍ତଃ ବିଭାଗୀୟ ଓ ଅନ୍ତଃ ବିଭାଗୀୟ ସମନ୍ୱୟ ଉପରେ ବୈଠକରେ ଗୁରୁତ୍ୱ ଦିଆଯାଇଛି । ବ୍ଲକ ସ୍ତରରେ ଓ ଗ୍ରାମ ପଞ୍ଚାୟତ ସ୍ତରରେ ସଚେତନତା, ବିଦ୍ୟାଳୟ କୋଠାଗୁଡ଼ିକରେ ପ୍ରତ୍ୟେକ ମହଲାରେ ହାତଧୂଆ ଷ୍ଟେସନ (ସ୍ଥାନ) ବାଧ୍ୟତାମୂଳକ କରାଯିବ । ମହିଳା ଓ ଶିଶୁ ବିକାଶ ବିଭାଗ ଜରିଆରେ ଅଙ୍ଗନବାଡୀ କର୍ମୀମାନଙ୍କ  ସମ୍ମିଳିତ  ପ୍ରୟାସରେ  ହାତଧୁଆ କାର୍ଯ୍ୟକ୍ରମକୁ ଆହୁରି ବ୍ୟାପକ କରାଯିବ ।  

 ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ପଂଚାୟତିରାଜ ଓ ପାନୀୟ ଜଳ ବିଭାଗ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ଅନୁସୂଚିତ ଜନଜାତି, ଅନୁସୂଚିତ ଜାତି ଉନ୍ନୟନ ଓ ସଂଖ୍ୟାଲଘୁ କଲ୍ୟାଣ ବିଭାଗ, ମହିଳା ଓ ଶିଶୁ ବିକାଶ ବିଭାଗ  ଶିକ୍ଷା, ଯୋଗାଯୋଗ ଏବଂ ବ୍ୟବହାରିକ ପରିବର୍ତ୍ତନ ସଂପର୍କରେ ରଣନୀତି ପ୍ରସ୍ତୁତି କରିବେ । ଏଥିରେ ଯୋଜନା ଓ ସଂଯୋଜନ ବିଭାଗ, ଗୃହ ଓ ନଗର ଉନ୍ନୟନ ବିଭାଗ, ଅର୍ଥ ବିଭାଗ, ରାଜ୍ୟ ଗ୍ରାମ୍ୟ ଉନ୍ନୟନ ପ୍ରତିଷ୍ଠାନ ସୂଚନା ଓ ଲୋକ ସଂପର୍କ ବିଭାଗ ଆଦି  ସଂପୃକ୍ତ ବିଭିନ୍ନ ବିଭାଗ ଓ ଅନୁଷ୍ଠାନର ସମନ୍ୱୟରେ ଆବଶ୍ୟକ ପ୍ରସ୍ତୁତି,  ବ୍ୟବସ୍ଥା ନିର୍ଦ୍ଧାରଣ, ସଂସ୍ଥାଗତ ଓ ଭିତ୍ତିଭୂମି ବ୍ୟବସ୍ଥା ଏବଂ  ତଦାରଖ କରାଯିବ ।  ବ୍ୟବହାରିକ  ପରିବର୍ତ୍ତନ, ପାଣ୍ଠି ବ୍ୟବସ୍ଥା, ତଦାରଖ, ସମନ୍ୱୟ, ବୈଷୟିକ ଜ୍ଞାନ କୌଶଳର ଉପଯୋଗ ଏହି କାର୍ଯ୍ୟରେ ସଫଳତା ଆଣିଦେବ ।  

ବୈଠକରେ ଗୃହ ଓ ନଗର ଉନ୍ନୟନ ପ୍ରମୁଖ ଶାସନ ସଚିବ ଜି. ମାଥି ଭାଥାନନ୍, ବିଜ୍ଞାନ ଓ ବୈଷୟିକ ବିଦ୍ୟା ବିଭାଗ ତଥା ସରକାରୀ ଉଦ୍ୟୋଗ ବିଭାଗ ପ୍ରମୁଖ ଶାସନ ସଚିବ ତଥା ଯୋଜନା ଓ ସଂଯୋଜନ ବିଭାଗ ସ୍ୱତନ୍ତ୍ର ଶାସନ ସଚିବ ତଥା ଶ୍ରୀମତୀ ଚିତ୍ରା ଆରୁମୁଗମ, ମହିଳା ଓ ଶିଶୁ ବିକାଶ ବିଭାଗ କମିଶନର ତଥା ଶାସନ ସଚିବ ଶ୍ରୀମତୀ ଶୁଭା ଶର୍ମା, ଜାତୀୟ ସ୍ୱାସ୍ଥ୍ୟ ମିଶନ ନିର୍ଦ୍ଦେଶିକା ବୃନ୍ଦା ଡି, ଓସେପାର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ଅନୁପମ ସାହା, ପଂଚାୟତିରାଜ ଓ ପାନୀୟ ଜଳ ବିଭାଗ ନିଦ୍ଦେଶକ (ପାନୀୟ ଜଳ ଓ ପରିମଳ)  ଶ୍ରୀ ବି. ପରମେଶ୍ୱରନ୍ , ଓସଡମାର ପରିଚାଳନା ନିର୍ଦ୍ଦେଶକ ଶ୍ରୀ  ଜ୍ଞାନ ଦାସ, ରାଜ୍ୟ ଗ୍ରାମ୍ୟ ଉନ୍ନୟନ ପ୍ରତି​‌ଷ୍ଠାନ ଏବଂ ୟୁନିସେଫର ଅନ୍ୟ କର୍ମକର୍ତ୍ତାମାନେ  ବୈଠକରେ  ଉପସ୍ଥିତ ଥିଲେ ।

You May Also Like

More From Author

+ There are no comments

Add yours