ବୈଷୟିକ ଯୁଗରେ ଟେଲିସେବା ଯୋଗାଇବା ପ୍ରଶାସନର ମୌଳିକ କର୍ତ୍ତବ୍ୟ । ମାତ୍ର ରାଜ୍ୟର ୬୦୯୯ଟି ଗାଁରେ ଏବେ ବି ମୋବାଇଲ୍ ଲାଗୁନି। ଏହି ସବୁ ଗାଁରେ ମୋବାଇଲ୍ ଟାୱାର ନାହିଁ। କିନ୍ତୁ ଏହି ଗାଁର ଲୋକମାନେ ଦେବଗଡ଼ ଜିଲ୍ଲାର ତିଲେଇବଣି ବ୍ଲକର ୫ ପଞ୍ଚାୟତବାସୀଙ୍କ ଭଳି ସାହସ ଦେଖାଇନପାରିବାରୁ ବାସ୍ତବ ସ୍ଥିତି ବିଷୟରେ ସମସ୍ତେ ଅଜ୍ଞ। ଏବେ ପ୍ରଶ୍ନ ଉଠୁଛି ପ୍ରାର୍ଥୀମାନେ ନିର୍ବାଚନ ପ୍ରଚାର କରିବେ କେମିତି?
ଦେବଗଡ଼ ଜିଲ୍ଲାର ୫ଟି ପଞ୍ଚାୟତରେ ମୋବାଇଲ୍ ଟାୱାର ନାହିଁ । ପ୍ରାର୍ଥୀମାନେ ନିର୍ବାଚନ ପ୍ରଚାର କରିବେ କେମିତି? ଜଣେ ବି ପଞ୍ଚାୟତ ନିର୍ବାଚନରେ ନାମାଙ୍କନପତ୍ର ଦାଖଲ କଲେନି। ବୈଷୟିକ ଯୁଗରେ ଟେଲିସେବା ଯୋଗାଇବା ପ୍ରଶାସନର ମୌଳିକ କର୍ତ୍ତବ୍ୟ ହୋଇଥିଲେ ହେଁ ଏହା ମିଳିନଥିବାରୁ ୫ ପଞ୍ଚାୟତବାସୀ ଏକାଠି ହୋଇ ଏଭଳି ଚରମ ନିଷ୍ପତ୍ତି ନେଇଛନ୍ତି । ତିଲେଇବଣୀ ବ୍ଲକର ଟିମିରିକୁଦା, ଗଣ୍ଡମ, ଝରାଗୋବୁଆ, ପାରପୋସି ଓ ଝାରମୁଣ୍ଡା ପଞ୍ଚାୟତର କେହି ହେଲେ ପ୍ରାର୍ଥିପତ୍ର ଦାଖଲ କରିନାହାନ୍ତି । ତେବେ ଏହି ସମସ୍ୟା କେବଳ ଦେବଗଡ ଜିଲ୍ଲାର ତିଲେଇବଣି ଭିତରେ ସୀମିତ ନୁହେଁ। ରାଜ୍ୟର ୬୦୯୯ଟି ଗାଁରେ ଏବେ ବି ମୋବାଇଲ୍ ଲାଗୁନି। ଏହି ସବୁ ଗାଁରେ ମୋବାଇଲ୍ ଟାୱାର ନାହିଁ। କିନ୍ତୁ ସେମାନେ ତିଲେଇବଣି ବ୍ଲକର ୫ ପଞ୍ଚାୟତବାସୀଙ୍କ ଭଳି ସାହସ ଦେଖାଇନପାରିବାରୁ ବାସ୍ତବ ସ୍ଥିତି ବିଷୟରେ ସମସ୍ତେ ଅଜ୍ଞ। କେନ୍ଦ୍ର ସରକାରଙ୍କ ତଥ୍ୟ କହୁଛି ଓଡ଼ିଶାର କନ୍ଧମାଳ ଜିଲ୍ଲା ଟେଲି ସେବା ଦୃଷ୍ଟିରୁ ସବୁଠୁ ପଛରେ । ଏଠାରେ ୧୦୯୪ଟି ଗାଁରେ ମୋବାଇଲ୍ ନେଟୱର୍କ ନାହିଁ। ସେହିପରି ରାୟଗଡ଼ାର ୯୬୬ଟି, କୋରାପୁଟରେ ୫୨୦, କଳାହାଣ୍ଡିରେ ୫୧୬, ଗଜପତିରେ ୪୬୭, ମାଲକାନଗିରିରେ ୩୦୬, ବଲାଙ୍ଗୀର ଓ ଢେଙ୍କାନାଳରେ ୧୧ଟି ଲେଖାଏଁ ଗାଁରେ ମୋବାଇଲ୍ ନେଟୱର୍କ ନାହିଁ। ଟେଲିକମ୍ ଅଥରିଟି ଅଫ୍ ଇଣ୍ଡିଆ (ଟ୍ରାଇ)ର ତଥ୍ୟ ଅନୁସାରେ ରାଜ୍ୟରେ ୩କୋଟି ୪୦ଲକ୍ଷ ଟେଲିକମ୍ ଉପଭୋକ୍ତା ଅଛନ୍ତି। ରାଜ୍ୟରେ ୪କୋଟି ୭୦ଲକ୍ଷରୁ ଅଧିକ ଲୋକ ଥିବାବେଳେ ଟ୍ରାଇର ତଥ୍ୟ ଦର୍ଶାଉଛି ଏବେବି ସହରାଞ୍ଚଳ ଓ ଗ୍ରାମାଞ୍ଚଳକୁ ମିଶାଇ ପ୍ରାୟ କୋଟିଏରୁ ଅଧିକ ଲୋକଙ୍କ ପାଖରେ ମୋବାଇଲ୍ ଫୋନ୍ ନାହିଁ। ଏପରି ସ୍ଥିତିରେ ପଞ୍ଚାୟତ ନିର୍ବାଚନରେ ଡିଜିଟାଲ ପ୍ରଚାର କିଭଳି ହେବ? ଏହାକୁ ନେଇ ବିଭିନ୍ନ ଦଳ ଚିନ୍ତାରେ ପଡ଼ିଲେଣି। କରୋନା କଟକଣା ଯୋଗୁଁ ପଞ୍ଚାୟତ ନିର୍ବାଚନ ପାଇଁ ରାଲି, ଶୋଭାଯାତ୍ରା ସବୁ ବାରଣ କରାଯାଇଥିବା ବେଳେ ପ୍ରାର୍ଥୀଙ୍କ ସମେତ ୫ଜଣଙ୍କୁ ଡୋର୍ ଟୁ ଡୋର୍ କ୍ୟାମ୍ପେନିଂ ପାଇଁ ଅନୁମତି ମିଳିଛି। ବାକି ପ୍ରଚାର ଡିଜିଟାଲ୍ ମୋଡ୍ରେ କରିବାକୁ କୁହାଯାଇଛି। ତେଣୁ ଅଧିକରୁ ଅଧିକ ଲୋକଙ୍କ ପାଖରେ ପହଞ୍ଚିବାକୁ ରାଜନୈତିକ ଦଳଗୁଡ଼ିକ ଏବେ ଡିଜିଟାଲ୍ ପ୍ରଚାରକୁ ଗୁରୁତ୍ବ ଦେଉଛନ୍ତି। ଏଥର ଗ୍ରାମାଞ୍ଚଳରେ ୨କୋଟି ୭୯ଲକ୍ଷ ମତଦାତା ଅଛନ୍ତି। ଏଥିରୁ ୫,୨୩,୭୪୪ ନୂଆ ଭୋଟର। ଯେଉଁମାନଙ୍କର ବୟସ ୧୮ରୁ ୧୯ବର୍ଷ। ଏହି ବର୍ଗର ମତଦାତାଙ୍କୁ ଆକର୍ଷିତ କରିବାକୁ ରାଜନୈତିକ ଦଳ ପାଇଁ ସୋସିଆଲ ମିଡିଆ ବଡ଼ ମାଧ୍ୟମ। ହେଲେ ଟ୍ରାଇ ତଥ୍ୟ କହୁଛି ଗ୍ରାମାଞ୍ଚଳରେ ୨କୋଟି ୨୨ଲକ୍ଷ ମୋବାଇଲ ଉପଭୋକ୍ତା ଅଛନ୍ତି। ପ୍ରତି ୧୦୦ଜଣଙ୍କ ମଧ୍ୟରୁ ୬୨ଜଣଙ୍କ ପାଖରେ ମୋବାଇଲ୍ ଥିବା ବେଳେ ବହୁ ଲୋକଙ୍କ ପାଖରେ ଏବେ ବି ସ୍ମାର୍ଟ ଫୋନ୍ ନାହିଁ। କେନ୍ଦ୍ର ସରକାରଙ୍କ ତଥ୍ୟ କହୁଛି ଓଡ଼ିଶାର ଗ୍ରାମାଞ୍ଚଳରେ ପ୍ରତି ୧୦୦ ଲୋକରେ ୪୦ଜଣ ଇଣ୍ଟରନେଟ୍ ବ୍ୟବହାର କରୁଛନ୍ତି। ତେଣୁ ଡିଜିଟାଲ ପ୍ରଚାର କଲେ ବି ସବୁ ଭୋଟରଙ୍କ ପାଖରେ ପହଞ୍ଚିବା ସମ୍ଭବ ନୁହେଁ। ଡିଜିଟାଲ ପ୍ରଚାରର ପହଞ୍ଚିବାର ପ୍ରମୁଖ ମାଧ୍ୟମ ସ୍ମାର୍ଟଫୋନ୍ ଓ ସୋସିଆଲ ମିଡିଆ ହୋଇଥିବାରୁ ଏବେ ରାଜନୈତିକ ଦଳ ଓ ପ୍ରାର୍ଥୀ ଏହାସହ ସ୍ଥାନୀୟ କେବୁଲ୍ ସଂସ୍ଥା ମାଧ୍ୟମରେ ଟିଭିରେ ପ୍ରଚାର କରିବାକୁ ଯୋଜନା କରିଛନ୍ତି। ଏହାବାଦ୍ ଟୁଜି/ଥ୍ରିଜି/ଫୋର୍-ଜି ମୋବାଇଲ୍କୁ ମେସେଜ୍ ପଠାଇବାକୁ ନିଷ୍ପତ୍ତି ନେଇଛନ୍ତି। ଯେତିକି ଲୋକଙ୍କ ପାଖରେ ସ୍ମାର୍ଟ ଫୋନ୍ ଅଛି ତାଙ୍କୁ ନେଇ ହ୍ବାଟ୍ସଆପ୍ ଗ୍ରୁପ୍, ଫେସ୍ବୁକ୍ ଆଦିରେ ମେସେଜ୍ ପଠାଇବା ସହ ଏହି ପ୍ଲାଟଫର୍ମରେ ଅଧିକ ପ୍ରଚାର କରିବାକୁ ଯୋଜନା ଅଛି। ପଞ୍ଚାୟତ ନିର୍ବାଚନରେ କେବଳ ଜିଲ୍ଲା ପରିଷଦ ପ୍ରାର୍ଥୀମାନେ ଦଳୀୟ ଚିହ୍ନରେ ଲଢ଼ୁଛନ୍ତି।
+ There are no comments
Add yours