ପଞ୍ଚାୟତ ନିର୍ବାଚନ ଟିକେଟ ବଣ୍ଟନ ରାଜନୀତି: ଚତୁରେ ଚତୁରେ କୋଳାକୋଳି

ଶବ୍ଦ ଓଡିଶା ବ୍ୟୁରୋ: ପଞ୍ଚାୟତ ନିର୍ବାଚନରେ ଜିଲ୍ଲାପରିଷଦ ପ୍ରାର୍ଥୀମାନେ ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳର ହୋଇଥିାନ୍ତି । ନାମାଙ୍କନପତ୍ର ଦାଖଲ ବେଳେ ପ୍ରାର୍ଥୀମାନେ ଆନୁସଙ୍ଗିକ କାଗଜପତ୍ର ସହ ଦଳୀୟ ଟିକେଟ ମଧ୍ୟ ଦେଇଥାନ୍ତି । ତେବେ ପ୍ରାର୍ଥୀଙ୍କୁ ଟିକେଟ ବାଣ୍ଟିବା ରାଜନୈତିକ ଦଳର ସଭାପତିଙ୍କ ଦାୟିତ୍ୱ । ବିଜେଡି ସଭାପତି ନବୀନ ପଟ୍ଟନାୟକ, ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ନିଜ ନିଜ ଦଳର ପ୍ରାର୍ଥୀମାନଙ୍କୁ ଟିକେଟ ବାଣ୍ଟିଥିଲେ । ମାତ୍ର ବିଜେପିରେ ଦେଖାଦେଇଥିଲା ବ୍ୟତିକ୍ରମ । ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ନିଜେ ଟିକେଟ ବାଣ୍ଟିନଥିଲେ । ସେ ଦଳର ସଂଗଠନ ସମ୍ପାଦକଙ୍କୁ ଦାୟିତ୍ୱ ଦେଇଥିଲେ । ଯେଉଁ କାମ ସଭାପତି କରିବା କଥା ତାକୁ ଦଳର ସଙ୍ଗଠନ ସମ୍ପାଦକଙ୍କୁ କାହିଁକି ଦିଆଗଲା ସେନେଇ କେହି କିଛି କହୁନାହାନ୍ତି। ସମୀର ମହାନ୍ତି ନିଜେ ଟିକେଟ୍ ନବାଣ୍ଟି କାହିଁକି ଦଳର ସଙ୍ଗଠନ ସମ୍ପାଦକଙ୍କୁ ଅଧିକୃତ କଲେ ତାହା ବି ଜଣାପଡ଼ୁନି। ପ୍ରାୟ ସମସ୍ତ ଦଳର ସଭାପତି ଟିକେଟ୍ ବାଣ୍ଟିଥିବା ବେଳେ ବିଜେପି ସଭାପତି କାହିଁକି ଟିକେଟ୍ ବଣ୍ଟା ପ୍ରକ୍ରିୟାରୁ ଦୂରେଇ ରହିଲେ ତାହା ଜଣାପଡ଼ିନି। ଗୋଟିଏ ମହଲ‌ର ଚର୍ଚ୍ଚା ଯେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ୟୁପି ନିର୍ବାଚନରେ ବ୍ୟସ୍ତ ଥିବାରୁ ପଞ୍ଚାୟତ ନିର୍ବାଚନରୁ ଦୂରେଇ ଯାଇଛନ୍ତି। ଦଳ ଖରାପ ପ୍ରଦର୍ଶନ କଲେ ବି କେହି ତାଙ୍କୁ ଦୋଷ ଦେବେନି। ଆଗକୁ ଯେପରି କୌଣସି ପ୍ରକାରର ଅପବାଦ ମୁଣ୍ଡାଇବାକୁ ପଡ଼ିବନି ତାକୁ ନଜରରେ ରଖି ସଭାପତି ସମୀର ମହାନ୍ତି ବି ନିଜ ଉପରୁ ଦୋଷ ଛଡ଼ାଇବାକୁ ସଙ୍ଗଠନ ସମ୍ପାଦକଙ୍କୁ ଦାୟିତ୍ବ ଦେଇଛନ୍ତି। ଯିଏ ସଙ୍ଗଠନ ଦାୟିତ୍ବରେ ଅଛନ୍ତି ସେ ଟିକେଟ୍ ବାଣ୍ଟନ୍ତୁ। ପ୍ରାର୍ଥୀ ଭଲ ପ୍ରଦର୍ଶନ କଲେ ଶ୍ରେୟ ଦଳର। ଖରାପ ହେଲେ ସଙ୍ଗଠନ ସମ୍ପାଦକ ଦାୟୀ ହେବେ।

ରାଜନୀତି ପଣ୍ଡିତମାନେ କହିଛନ୍ତି, କିଏ ଟିକେଟ୍ ବାଣ୍ଟିବେ ସେ ନିଷ୍ପତ୍ତି ଦଳର ସଭାପତି ନେଇପାରିବେ। ସଭାପତିଙ୍କର ଯିଏ ଅନୁଗତ ତାଙ୍କୁ ସେ ଦାୟିତ୍ବ ଦେଇପାରିବେ । ବିଜେପି ଭଳି ବିଜେଡିରେ ବି ସଙ୍ଗଠନ ସମ୍ପାଦକ ପଦବି ଅଛି। ହେଲେ ତାଙ୍କ ଦସ୍ତଖତରେ ଟିକେଟ୍ ବଣ୍ଟା ହେଉନି। ଟିକେଟ୍ କାହାକୁ ମିଳିବ ସେ‌ ନିଷ୍ପତ୍ତି ଦଳର ସଭାପତି ହିଁ ନେଇଛନ୍ତି। ଯେଉଁଥିପାଇଁ ଏହି ଚର୍ଚ୍ଚା ବଢ଼ୁଛି।

ରାଜନୈତିକ ବିଶେଷଜ୍ଞଙ୍କ କହିବାନୁଯାୟୀ, ‌ଯିଏ କ୍ଷମତାଶାଳୀ ହେଲେ ବି ଦଳର ସଭାପତିଙ୍କ ଦସ୍ତଖତରେ ଟିକେଟ୍ ବଣ୍ଟାହେଲେ ବାହାରକୁ ଭଲ ବାର୍ତ୍ତା ଯାଏ। ଦଳରେ ସବୁ ଠିକଠାକ୍‌ ଅଛି ବୋଲି ଜଣାପଡ଼େ। ଅନ୍ତତଃପକ୍ଷେ ଜାତୀୟ ଦଳରେ ଏହି ଧାରା ବଜାୟ ରହିବା ଦରକାର। ଏଥର ବିଜେଡି, କଂଗ୍ରେସ ଧାରାରେ କଳିଙ୍ଗ ସେନା, ଭାରତୀୟ କମ୍ୟୁନିଷ୍ଟ ପାର୍ଟି, ସିପିଆଇ(ଏମ୍‌), ଫରୱାର୍ଡ ବ୍ଲକ, ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା, ଓଡ଼ିଶା ପ୍ରଗତି ଦଳ, ଓଡ଼ିଶା ଜନତା ପାର୍ଟି, ହିନ୍ଦୁ ମହାସଭା, ଆମ୍ବେଦକର ପାର୍ଟି ଅଫ୍ ଇଣ୍ଡିଆ, ରିପବ୍ଲିକ ପାର୍ଟି,ସୋସିଆଲିଷ୍ଟ ୟୁନିଟି ସେଣ୍ଟର ଦଳର ମୁଖିଆମାନେ ହିଁ ନିଜ ଦସ୍ତଖତରେ ଟିକେଟ୍ ବାଣ୍ଟିଛନ୍ତି।

କିନ୍ତୁ ବିଜେପି ଧାରାରେ ଏଜେଏସ୍‌ୟୁ ପାର୍ଟିର ସଭାପତି ସୁଦେଶ କୁମାର ମାହତୋ ଦଳର ନେତା ଅନ୍ତ ଆଲୋକ ବାସ୍କେଙ୍କୁ ଟିକେଟ ବାଣ୍ଟିବା ଦାୟିତ୍ୱ ଦେଇଛନ୍ତି ।  ସମୃଦ୍ଧ ଓଡ଼ିଶା ତା’ର ମହାସଚିବ ‌ଗୋଲକ ବିହାରୀ ସିଂହଙ୍କୁ ଦାୟିତ୍ୱ ଦେଇଛି । କୃପା ପାର୍ଟି ପକ୍ଷରୁ ସାଧାରଣ ସମ୍ପାଦକ ବିଶ୍ବନାଥ ରାଉତଙ୍କୁ ଟିକେଟ୍ ବାଣ୍ଟିବା ଦାୟିତ୍ବ ମିଳିଛି। ଅପରପକ୍ଷେ ବହୁଜନ ସମାଜବାଦୀ ପାର୍ଟି ସଭାପତି ଟଙ୍କଧର ବାଗ୍‌ ନିଜେ ଟିକେଟ୍ ବାଣ୍ଟିବା ସହ ୩୦ଜିଲ୍ଲାରେ ୩୦ଜଣଙ୍କୁ ଦାୟିତ୍ବ ଦେଇଛନ୍ତି। ଆମ୍‌ ଆଦ୍‌ମି ପାର୍ଟି ଓଡ଼ିଶା ମୁଖ୍ୟଙ୍କ ସମେତ ତିନିଜଣ ଦଳୀୟ ପ୍ରାର୍ଥୀଙ୍କୁ ଟିକେଟ ଦେଇଛନ୍ତି । ସିପିଆଇ(ଏମ୍‌-ଏଲ୍‌) ଓଡ଼ିଶା ମୁଖ୍ୟ ନିଜେ ଟିକେଟ ବାଣ୍ଟିବା ସହିତ  ତାଙ୍କର ଆଉଜଣେ ଅନୁଗତଙ୍କୁ ଦାୟିତ୍ୱ ଦେଇଛନ୍ତି । ବହୁଜନ ମୁକ୍ତି ପାର୍ଟି ମୁଖ୍ୟ ନି‌ଜ ସମେତ ଆଉ ଜଣଙ୍କୁ ଦାୟିତ୍ବ ଦେଇଛନ୍ତି।

You May Also Like

More From Author

+ There are no comments

Add yours