Thu. Oct 15th, 2026

ବାବା ରାମଦେବ । ଯୋଗଗୁରୁ ବାବା ରାମଦେବ । ଲୋକଙ୍କୁ ଯୋଗର ଉପାଦେୟତା ଓ ଯୋଗର ବିଭିନ୍ନ ମୁଦ୍ର ଶିକ୍ଷା ଦେଉ ଦେଉ ସେ ପାଲଟି ଯାଇଛନ୍ତି ଜଣେ ପୋଖତ ବ୍ୟବସାୟୀ । ତେବେ ତୁଣ୍ଡରେ ବାଟୁଳି ବାଜୁ ନଥିବାରୁ ତାଙ୍କ ବୟାନ ଦେଶରେ ବିବାଦ ସୃଷ୍ଟି କରୁଛି । ଏବେ ଏଲୋପାଥିକ୍ ଡାକ୍ତର ଓ ଆଧୁନିକ ଔଷଧକୁ ନେଇ ତାଙ୍କ ବୟାନ ବିବାଦ ସୃଷ୍ଟି କରିଥିବା ବେଳେ ବାବା ନେଇଛନ୍ତି ୟୁଟର୍ଣ୍ଣ ।
କପାଳଭାତି ଯୋଗ ଭଳି ବାବା ନେଇଛନ୍ତି ୟୁଟର୍ଣ୍ଣ । ପ୍ରଥମେ ଏଲୋପ୍ୟାଥି ପରେ ଏଲୋପ୍ୟାଥି ଡାକ୍ତରଙ୍କ ବିରୋଧରେ ମୁହଁଖୋଲି ବିବାଦୀୟ ହୋଇପଡିଥିବା ବାବା ରାମଦେବ ଏବେ ସ୍ୱର ବଦଳାଇଛନ୍ତି । ତାଙ୍କ କଥାକୁ ଠିକ୍ରେ ଉପସ୍ଥାପନା କରାଯାଇ ନାହିଁ ବୋଲି ବାବା କହିଛନ୍ତି । ଏଲୋପ୍ୟାଥିର କଳାବଜାର କରୁଥିବା ହାକ୍ତରଙ୍କୁ ସେ ବିରୋଧ କରନ୍ତି ବୋଲି ବାବା ସଫେଇ ଦେଇଛନ୍ତି । ଲିଗାଲ ନୋଟସ୍ ପାଇବା ପରେ ବାବାଙ୍କ ମତ ପରିବର୍ତ୍ତନ ସତ୍ତେ୍ୱ ଫେଡେରସନ୍ ଅଫ ରେସିଡେଣ୍ଟ ଡକ୍ଟର୍ସ ଆସୋସିଏସନ୍ ଅଫ୍ ଇଣ୍ଡିଆ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଆନ୍ଦୋଳନକୁ ଓହ୍ଲାଇଛି । ଡାକ୍ତରମାନେ କଳାବ୍ୟାଜ୍ ପରିଧାନ କରି ରୋଗୀସେବା ଜାରି ରଖିଛନ୍ତି । ଆଉ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡ ହର୍ଷବର୍ଦ୍ଧନ ରାମଦେବଙ୍କ ବୟାନକୁ ଦୁର୍ଭାଗ୍ୟଜନକ ବୋଲି ମତ ଦେଇଛନ୍ତି । କରୋନା ସଂକ୍ରମଣ ବିରୋଧରେ ଲଢ଼େଇ ଜାରି ରହିଥିବା ବେଳେ ଏଲୋପାଥି ଏବଂ ଏଲୋପାଥି ଡାକ୍ତରଙ୍କୁ ନେଇ ବାବା ରାମଦେବଙ୍କ ବୟାନ ଦେଶରେ ବିବାଦ ସୃଷ୍ଟି କରିଛି। ଡାକ୍ତରମାନେ ବାବାଙ୍କୁ ଗିରଫ କରିବାକୁ ଦାବି କରୁଥିବା ବେଳେ ସେ କିନ୍ତୁ ନିଜର ତାଉ ଦେଖାଇବାରେ ବ୍ୟସ୍ତ। ଗୋଟିଏ ପରେ ଗୋଟିଏ ଏଲୋପାଥି ବିରୋଧରେ ପ୍ରଶ୍ନବାଣ ମାରିଚାଲିଛନ୍ତି ଯୋଗଗୁରୁ ବାବା ରାମଦେବ।

ସେପଟେ ବାବାଙ୍କ ବିବାଦୀୟ ବୟାନକୁ ନେଇ ଫେଡେରସନ୍ ଅଫ ରେସିଡେଣ୍ଟ ଡକ୍ଟର୍ସ ଆସୋସିଏସନ୍ ଅଫ୍ ଇଣ୍ଡିଆ ଖପ୍ପା ହୋଇଛି। ବାବା କ୍ଷମା ମାଗିବା ସହ ମହାମାରୀ ଅଧିନିୟମ ଅନୁସାରେ ତାଙ୍କ ବିରୋଧରେ ଦୃଢ଼ କାର୍ୟ୍ୟାନୁଷ୍ଠାନ ଦାବି କରିଛି ଘରୋଇ ଡାକ୍ତର ସଂଘ । ଜୁନ ପହିଲାରେ କରୋନା ଯୋଦ୍ଧା ଏବଂ ମଡର୍ଣ୍ଣ ମେଡିସିନ୍କୁ ନେଇ ରାମଦେବଙ୍କ ବିବାଦୀୟ ବୟାନକୁ ବିରୋଧ କରି ଦେଶବ୍ୟାପୀ କଳାଦିବସ ପ୍ରଦର୍ଶନ କରିବ ବୋଲି ଫେଡେରସନ୍ ଅଫ ରେସିଡେଣ୍ଟ ଡକ୍ଟର୍ସ ଆସୋସିଏସନ୍ ଧମକ ଦେଇଥିଲା । ୧ ଜୁନରୁ ରୋଗୀସେବା ଜାରି ରହିବ ବୋଲି ସଂଘ ପକ୍ଷରୁ କୁହାଯାଇଛି। ପୂର୍ବରୁ ରାମଦେବଙ୍କ ଏକ ଭିଡିଓ ସହ କେନ୍ଦ୍ରକୁ ଚିଠି ଲେଖିଥିଲା ଭାରତୀୟ ଚିକିତ୍ସକ ସଂଘ। ଭିଡିଓରେ ରାମଦେବ ଏଲୋପାଥି ଔଷଧ ବେକାର ବୋଲି କହିବା ସହ ଲକ୍ଷ ଲକ୍ଷ କରୋନା ରୋଗୀ ଏହି ଔଷଧ ଖାଇ ମରୁଛନ୍ତି ବୋଲି କହିଥିବା ଅଭିଯୋଗ ହୋଇଥିଲା। ଏଥିପାଇଁ ରମାଦେବଙ୍କ ବିରୋଧରେ କଡ଼ା କାର୍ୟ୍ୟାନୁଷ୍ଠାନ ନେବାକୁ ଆଇଏମଏ ଦାବି କରିଥିଲା। ପରେ ବାବା ରାମଦେବ ନିଜର ମନ୍ତବ୍ୟ ଫେରସ୍ତ ନେଇଥିଲେ। ପୁଣି ଗୋଟିଏ ଦିନ ପରେ ଏଲୋପାଥିକୁ ନେଇ ରାମଦେବ ପ୍ରଶ୍ନ କରିବା ଆରମ୍ଭ କରିଥିଲେ। ବାବା ତାଙ୍କ ବୟାନ ବଦଳାଇଛନ୍ତି । କିନ୍ତୁ ଫୋଡାର ଦାବି ପୂରଣ ହୋଇନଥିବାରୁ ଦେଶବ୍ୟାପୀ ଡାକ୍ତରମାନେ ଆରମ୍ଭ କରିଛନ୍ତି ଆନ୍ଦୋଳନ । ଆଗକୁ ଏହି ମାମଲା କେଉଁ ମୋଡ ନେବ ସମସ୍ତେ ଇତ୍ସୁକତାର ସହ ଅନାଇ ରହିଛନ୍ତି ।

Leave a Reply

Your email address will not be published. Required fields are marked *