Wed. Oct 14th, 2026

ବିଜୟ କୁମାର ଜେନା: ଏହି ଦୁଇଟା ଫଟୋ ଗୁଜୁରାଟର। ଉପରଟା ଏବେକାରର ଓ ତଳଟା ୨୦୦୨ ଗୁଜୁରାଟ ଦଙ୍ଗା ସମୟର। ଦୁଇଟା ଫଟୋରେ ଦିଶୁଥିବା ଲୋକ ଦୁଇଜଣ ସମାନ। ତଳ ଫଟୋର ବାମ ପଟେ ଥିବା ବ୍ୟକ୍ତି ଜଣକ ହେଉଛନ୍ତି କୁତୁବ ଆନସାରୀ ଓ ଡ଼ାହାଣ ପଟ ବ୍ୟକ୍ତି ଜଣକ ହେଉଛନ୍ତି ଅଶୋକ ମୋଚି। ତଳ ଫଟୋଟି ଗୁଜୁରାଟ ଦଙ୍ଗାର ଜ୍ବଳନ୍ତ ମୂକସାକ୍ଷୀ। ଯେଉଁଥିରେ କୁତୁବ ହାତ ଯୋଡ଼ି କାନ୍ଦିକାନ୍ଦି ତାଙ୍କୁ ଛାଡ଼ି ଦେବାକୁ ନେହୁରା ହେଉଛନ୍ତି। ନିଜ ପ୍ରାଣର ଭିକ୍ଷା ମାଗୁଛନ୍ତି। ଏପଟେ ଅଶୋକ ମଥାରେ ନାଲି ପଟି ବାନ୍ଧି ପବନରେ ଖଣ୍ଡା ଲହରଉଛନ୍ତି। ଅଶୋକଙ୍କ ବିରୋଧରେ ଗୁଜୁରାଟ ଦଙ୍ଗା ଘଟଣାରେ ଏବେ ବି ମାମଲା ଚାଲିଛି। ଅଶୋକ ରାସ୍ତାକଡ଼ ଫୁଟପାଥ୍‌ରେ ଜୋତା, ଚପଲ ମରାମତି କରୁଥିଲେ। ଗଲା ବର୍ଷେ ତଳେ ସେ ଏକ ଦୋକାନ ଖୋଲିଛନ୍ତି। କୁତୁବ୍‌ଙ୍କ ହାତରେ ସିଏ ତାଙ୍କ ତାଙ୍କ ନୂଆ ଦୋକାନର ଉଦ୍‌ଘାଟନ କରାଇଛନ୍ତି। ଏହା କୌଣସି ସାମାନ୍ୟ ଘଟଣା ନୁହେଁ। ଏହା ଆମକୁ ଶିଖାଇ ଦେଉଛି ଯେ ଘୃଣା, ହିଂସା, ରକ୍ତପାତ, ଭେଦଭାବର ବିଷ ବେଶୀ ଦିନ ତିଷ୍ଠି ରହି ପାରେନା। ଏହି ଘଟଣା ଭାଇଚାରା, ମଣିଷପଣିଆର ଅପୂର୍ବ ଉଦାହରଣ ରଖିଛି। ହିଂସା, ଘୃଣା ସବୁବେଳେ ମଣିଷଠାରୁ ମଣିଷକୁ ଦୂରେଇ ନିଏ। ଯିଏ ଏଥିରେ ସାମିଲ ‌ହୁଏ ତାକୁ ଦିନେ ନା ଦିନେ ପଶ୍ଚାତାପ କରିବାକୁ ପଡ଼େ। ପ୍ରେମ, ସ୍ନେହ, ଭାଇଚାରାର ନିଦର୍ଶନ ରଖୁଥିବା ବ୍ୟକ୍ତିଙ୍କୁ ଏ ଦୁନିଆ ସବୁବେଳେ ସଲାମ୍‌ କରେ। ହିନ୍ଦୁ-ମୁସଲମାନ୍‌ଙ୍କୁ ତ ଏଇଠି ଗୋଟିଏ ଜାଗାରେ ରହିବାର ଅଛି। କାହିଁକି ସେମାନେ ସ୍ନେହ, ପ୍ରେମରେ ବାନ୍ଧି ହେଇ ରହି ପାରିବେନି ? ଯେତେ ଶୀଘ୍ର ମଣିଷ ଏହି କଥାକୁ ବୁଝିଯିବ ଆମ ଦେଶକୁ ହିଁ ସେତିକି ଫାଇଦା ମିଳିବ। ଏହା ମନେ ରଖିବାକୁ ହେବ ମଣିଷକୁ ମଣିଷ ଭିତରେ ଲଢାଉଥିବା ଲୋକ ତ ଦିନେ ନା ଦିନେ ବଡ଼ ମନ୍ତ୍ରୀ ବନିଯାଏ; ହେଲେ, ହତିଆର ସାଜିଥିବା ସାଧାରଣ ଗରିବ ଲୋକଟିଏ ସାରା ଜୀବନ କୋର୍ଟ, କଚେରିକୁ ଦୌଡ଼ୁଥାଏ।

Leave a Reply

Your email address will not be published. Required fields are marked *