ଅଣୁ ଗଳ୍ପ “ଅଶ୍ୱସ୍ଥାମା ହତ”

ଗଣେଶ ଆମର ଗଜବଦନ ସହ ଅଗ୍ରପୂଜ୍ୟ ହେଇ ରହିଲେ। ଯେଉଁଠି ମୁଣ୍ଡଟିଏ ଦରକାର, ସେଇଠି ବିଚରା ହାତୀ ହିଁ ବଳି ପଡ଼ୁଛି। ହାତୀ ଯେମିତି ସମସ୍ତ ଇନ୍ଦ୍ରଜାଲ’ର କାଉଁରୀ କାଠି – ଗୋଟେ ପ୍ରତିନିଧି।

କେତେବେଳେ ଗଜପତିଙ୍କ ଗଜ, ପୁଣି କେତେବେଳେ ଦ୍ରୋଣ ପରି ସେନାପତିଙ୍କୁ ନିରସ୍ତ୍ର କରିବା ସକାଶେ କେଉଁ ସତ୍ୟବାନ ଯୁଧିଷ୍ଟିର ରାଜାଙ୍କ ମିଛ ଘୋଡ଼େଇବା ପାଇଁ ନିରୀହ ବଳିପଶୁ। କେତେବେଳେ ବିଶ୍ୱକର୍ମା ପୂଜା କି ଲକ୍ଷ୍ମୀ ପୂଜାରେ ମଞ୍ଚ ଉପରେ ଶୁଣ୍ଢ ଉଠାଇ ଠିଆହୋଇ ଥିବା ମୂର୍ତ୍ତି, କେତେବେଳେ କୋଉ ରାଜନୈତିକ ଦଳର ଚିହ୍ନ। ପୁଣି କେତେବେଳେ ରାଜ ଐଶ୍ୱର୍ଯ୍ୟର ପ୍ରତୀକ। ଏହି ଗଳ୍ପରେ ଆମେ ଯେଉଁ ହାତୀକୁ ବାଛିଛୁ, ଧରାଯାଉ, ସେ ଆମ ପଡ଼ୋଶୀ ରାଜ୍ୟ ମଣି ପାଟଣା ରାଜ୍ୟର ଅର୍ଥ ବ୍ୟବସ୍ଥା ଓ ଜି ଡି ପି।

ଏବେ ମଣି ପାଟଣା ରାଜ୍ୟର ଯେଉଁ ନୂଆ ରାଜା, ଚତୁର୍ବର୍ଣ ରାୟ ବାହାଦୁର ରାଜ ସିଂହାସନରେ ବସିଛନ୍ତି, ତାଙ୍କର ଭାରି ସଉକ ହେଉଛି ହାତୀ ପାଳିବା। ତାଙ୍କର ସବୁଠାରୁ ପ୍ରିୟ ହାତୀ’ର ନାଆଁ ବି ଅଶ୍ୱସ୍ଥାମା। ସେଇ ହାତୀ’ର ଲାଳନ ପାଳନ ପାଇଁ, ରାଜା ଜଣେ ସୁଶିକ୍ଷିତ ମାହୁନ୍ତ ସହ ଏକ ବିଶେଷ ହାତୀଶାଳ ଓ କିଛି ବିଶେଷଜ୍ଞ ଦଳଙ୍କୁ ନିଯୁକ୍ତି ଦେଇଥାନ୍ତି।

ସେଇ ବର୍ଷ ଧାନକଟା ଋତୁ ପରେ ପରେ ହିଁ, କଣ ହେଲା କେଜାଣି ଅଶ୍ୱସ୍ଥାମା ହାତୀ ବେମାର ପଡ଼ିଲା। ହାତୀଟିର ବଞ୍ଚିବା ଆଶା ଦୃତ ଗତିରେ କ୍ଷୀଣ ହୋଇ ଆସିଲା। ହାତୀଟିର ସ୍ବାସ୍ଥ୍ୟ ଅବସ୍ଥା ଦେଖି, ରାଜାଙ୍କ ପଶୁ ଚିକିତ୍ସକ ନିଶ୍ଚିତ ହେଇଗଲେ ଯେ – ଜୀବଟିର ଶେଷ ସମୟ ପାଖେଇ ଆସୁଛି।

ହାତୀ ବିଷୟରେ ଏକଥା ଶୁଣିବା ମାତ୍ରେ, ରାଜା ଚତୁର୍ବର୍ଣ ରାୟ ବାହାଦୁର ଭୀଷଣ ଭାବରେ ମର୍ମାହତ ହେଲେ। ଅତ୍ୟନ୍ତ ଭାବପ୍ରବଣ ହେଇ ଆଦେଶ ଦେଲେ, -“ମୋ ପ୍ରିୟ ହାତୀ ବଞ୍ଚି ରହିବା ଦରକାର। ତେଣୁ, ଯେ କେହି ବି ଯଦି ମୋ ପ୍ରିୟ ହାତୀ ଅଶ୍ୱସ୍ଥାମା’ର ମୃତ୍ୟୁ ଖବର ମୋତେ ଶୁଣେଇବ, ତାର ହେବ ମୃତ୍ୟୁ ଦଣ୍ଡ !!”

ସମସ୍ତ ପ୍ରକାର ଚିକିତ୍ସା ଓ ଯତ୍ନ ସତ୍ତ୍ବେ, ଦିନେ ଅଚାନକ ହାତୀଟି ମରିଗଲା।

ବର୍ତମାନ ଚିକିତ୍ସକ ପ୍ରହରୀ ଓ ପରିଚାରକ ମାନଙ୍କ ଭିତରେ ଭାଳେଣି ପଡ଼ିଲା, ଯେ କିଏ ଏହି ଖବର ନେଇ ରାଜାଙ୍କୁ ଜଣେଇବ !! ୟା ଭିତରେ ରାଜଧାନୀ ମଣିପୁର ର ସମସ୍ତ ପ୍ରଜା ଏ ଦୁଃସମ୍ବାଦ ବିଷୟରେ ଜାଣି ସାରିଲେଣି। ଏକଥା ରାଜାଙ୍କ କାନରେ ପହଞ୍ଚିବା ପାଇଁ ଆଉ ବେଶି ବିଳମ୍ବ ହେବନାହିଁ। ଏବଂ ତାପରେ, ମାହୁନ୍ତ ସମେତ ସମସ୍ତ ଚିକିତ୍ସକ ଓ ପାରିଚାରକ ମାନେ ଯେ, କିଭଳି ଦଣ୍ଡିତ ହେବେ, କଳ୍ପନା କରି ନେଇଥିଲେ ସେମାନେ ସମସ୍ତେ। ତେଣୁ ସମସ୍ତେ ମିଳିମିଶି ମସ୍ତିସ୍କ ମନ୍ଥନ କରି, ହାତୀର ମାହୁନ୍ତକୁ ରାଜାଙ୍କ ପାଖକୁ ପଠେଇଲେ।

ମାହୁନ୍ତ ଦରବାରରେ ପହଞ୍ଚି ରାଜାଙ୍କୁ ଅଭିବାଦନ କରି କହିଲା, – “ମହାରାଜ, ଛାମୁଙ୍କ ପ୍ରିୟ ହାତୀ ଆଜି ସକାଳୁ ଉଠୁନାହିଁ। ନା ସେ ପାଣି ପିଉଛି, ନା ସେ କିଛି ଖାଉଛି !! ପ୍ରିୟ ହାତୀ ଅଶ୍ୱସ୍ଥାମା ନିଶ୍ୱାସ ପ୍ରଶ୍ୱାସ ବି ନେଉନାହିଁ।”
ମାହୁନ୍ତର କଥା ଶୁଣିବା ସାଙ୍ଗେ ସାଙ୍ଗେ ରାଜା ସ୍ଵତଃ କହି ପକାଇଲେ, -“ତାହେଲେ ମୋ ପ୍ରିୟ ହାତୀ’ଟି ମରିଗଲା ??”
ରାଜାଙ୍କ ମୁହଁରୁ ଏତିକି ଶୁଣିବା ମାତ୍ରେ, ମାହୁନ୍ତ କହି ପକାଇଲା, -“ମହାରାଜ ସେକଥା ମୁଁ କହି ପାରିବି ନାହିଁ…”

ବର୍ତ୍ତମାନ ଠିକ୍ ଏହି ଅବସ୍ଥା, ସେ ରାଜ୍ୟର ଅର୍ଥ ବ୍ୟବସ୍ଥା ଓ ଜି ଡି ପି’ ର। ସରକାରଙ୍କ ଅର୍ଥମନ୍ତ୍ରୀ ଓ ଅନ୍ୟାନ୍ୟ ମନ୍ତ୍ରୀ ପାରିଷଦ ମାନେ, ହାତୀର ମରଣ ଖବର ପରି, ରାଜ୍ୟର ଅର୍ଥ ବ୍ୟବସ୍ଥା ବିଷୟ; ରାଜାଙ୍କୁ ନିଜ ନିଜ ଢଙ୍ଗରେ ଦେଇ ଆସୁଛନ୍ତି ସିନା; ହାତୀ ଟି ମରିଗଲା ବୋଲି କେହି ବି କହୁ ନାହାଁନ୍ତି ଯେମିତି, ଠିକ୍ ସେମିତି, କେହି କହୁ ନାହାଁନ୍ତି ଯେ ରାଜ୍ୟର ଅର୍ଥ ବ୍ୟବସ୍ଥା ନଷ୍ଟ ହେଇ ଯାଇଛି।

ମଣି ପାଟଣା ରାଜ୍ୟ ଠାରୁ ଆମ ଦେଶର ଦୂରତା ଆଉ କେତେ କି ? ସେଇ ଏକା ପ୍ରକାରର ରାଜନୀତି ଏଇଠି ବି ଚାଲିଛି। ଦେଶର ଅର୍ଥ ବ୍ୟବସ୍ଥା ଧୂଳିସାତ୍; କିନ୍ତୁ ସିଧା ସଳଖ ଲୋକଙ୍କୁ ସତକଥା ଜଣେଇବାର ସତ୍ ସାହାସ ମନ୍ତ୍ରୀ ପାରିଷଦ ମାନଙ୍କ ପାଖରେ ନାହିଁ। କିଛି ରାଜ୍ୟର ନିର୍ବାଚନ ଆଗକୁ ଆସୁଛି ଯେ !!

——####——-

ବିଜୟ କୁମାର ଜେନା,
ଦାମନଯୋଡି।

You May Also Like

More From Author

+ There are no comments

Add yours