ଥମୁନି ମଣିପୁର ହିଂସା । ନିଆଁ ପରି ବ୍ୟାପିବାରେ ଲାଗିଛି ଏହି ହିଂସା । ତେବେ ଏଥିରେ ରାୟ ଦେଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ସମସ୍ତ ପ୍ରକାର ପ୍ରତିକାରାତ୍ମକ ପଦକ୍ଷେପ ନେବା ଲାଗି ସୁପ୍ରିମକୋର୍ଟ ଗୁରୁତ୍ବାରୋପ କରିଛନ୍ତି। ରିଲିଫ ଶିବିରରେ ଥିବା ଲୋକଙ୍କୁ ଖାଦ୍ୟ ଓ ଔଷଧ ଯୋଗାଇବା ଏବଂ ବିସ୍ଥାପିତମାନଙ୍କୁ ଥଇଥାନ ସୁବିଧା ଯୋଗାଇବା ଏବଂ ଉପାସନା ସ୍ଥଳଗୁଡ଼ିକୁ ସୁରକ୍ଷିତ ରଖିବା ଉପରେ ସୁପ୍ରିମକୋର୍ଟ ଗୁରୁତ୍ୱାରୋପ କରିଛନ୍ତି । ପ୍ରଧାନ ବିଚାରପତି ଡି ୱାଇ ଚନ୍ଦ୍ରଚୂଡ଼ଙ୍କ ଦ୍ୱାରା ଗଠିତ ଖଣ୍ଡପୀଠ ଏହି ନିଷ୍ପତି ଶୁଣାଇଛନ୍ତି । ଶୁଣାଣିରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଯେଉଁଥିରେ ୧୦ ଦିନ ମଧ୍ୟରେ ଷ୍ଟାଟସ ରିପୋର୍ଟ ପ୍ରଦାନ କରାଯାଇଛି । ଏଥିସହିତ ମାମଲାର ପରବର୍ତ୍ତୀ ଶୁଣାଣିକୁ ଆସନ୍ତା ୧୭ ତାରିଖରେ ଧାର୍ୟ୍ୟ କରିଛନ୍ତି। ମଣିପୁର ସ୍ଥିତି ଉପରେ ଦାଖଲ ହୋଇଥିବା ଏକାଧିକ ମାମଲାର ଶୁଣାଣି କରିବା ସମୟରେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ ।ମୈତେଇ ସଂପ୍ରଦାୟକୁ ଏସଟି ମାନ୍ୟତା ପ୍ରସଙ୍ଗରେ ମଣିପୁଣ ହାଇକୋର୍ଟଙ୍କ ରାୟକୁ ଚାଲେଞ୍ଜ କରି ଜଣେ ବିଜେପି ବିଧାୟକ ଏବଂ ରାଜ୍ୟର ହିଂସା ଘଟଣାର ତଦନ୍ତ ପାଇଁ ଏସଆଇଟି ଗଠନ ଲାଗି ହୋଇଥିବା ଆବେଦନ ଏଥିରେ ରହିଛି। ଶୁଣାଣି ବେଳେ କେନ୍ଦ୍ର ଏବଂ ମଣିପୁର ସରକାର ସୁପ୍ରିମକୋର୍ଟଙ୍କୁ ଅବଗତ କରିଥିଲେ ଯେ ଗତକାଲି ଏବଂ ଆଜି ରାଜ୍ୟରେ କର୍ଫ୍ୟୁ କୋହଳ କରାଯାଇଛି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ସଲିସିଟର ଜେନେରାଲ ତୁଷାର ମେହଟା କହିଥିଲେ ପରିସ୍ଥିତି ଉପରେ ନଜର ରଖିବା ପାଇଁ ହେଲିକପ୍ଟର ଓ ଡ୍ରୋନର ଉପଯୋଗ କରାଯାଉଛି। ଲୋକଙ୍କୁ ରଖିବା ସହିତ ସେମାନଙ୍କୁ ଖାଦ୍ୟ ପ୍ରଦାନ ଲାଗି ରିଲିଫ ଶିବିର କରାଯାଇଛି। ପରବର୍ତ୍ତୀ ପର୍ୟ୍ୟାୟରେ ସଂରକ୍ଷଣ ପ୍ରସଙ୍ଗର ଶୁଣାଣି ପାଇଁ ସେ ଏହି ଅବସରରେ ସୁପ୍ରିମକୋର୍ଟରେ ନିବେଦନ କରିଥିଲେ। ତେବେ ଅନ୍ୟ ପକ୍ଷେ ରାଜ୍ୟରେ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ପାଇଁ ୫୨ କମ୍ପାନି ସିଏପିଏଫ ଏବଂ ୧୧୪ କମ୍ପାନି ସେନା ମୁତୟନ କରାଯାଇଛି। ଫ୍ଲାଗ ମାର୍ଚ୍ଚ କରାଯାଉଛି। ଏହା ସହ ସୁରକ୍ଷା ଦୃଷ୍ଟଇ କୋଣରୁ ଜଣେ ପୁଲିସ ଅଧିକାରୀଙ୍କୁ ନିଯୁକ୍ତି ଦିଆଯାଇଥିବାବେଳେ ଅନ୍ୟ ଜଣେ ବରିଷ୍ଠ ଅଧିକାରୀଙ୍କୁ ରାଜ୍ୟର ମୁଖ୍ୟ ସଚିବ କରାଯାଇଛି। ଏସବୁ ମଧ୍ୟରେ ଭଲ କଥା ହେଉଛି ଯେ, ଗତ ଦୁଇଦିନ ହେଲା ରାଜ୍ୟରେ କୌଣସି ହିଂସା ଉପୁଜିନାହିଁ। ପରିସ୍ଥିତିରେ ଶୀଘ୍ର ସୁଧାର ଆସିବ ବୋଲି ଅନୁମାନ କରାଯାଉଛି ।