Wed. Oct 14th, 2026

ଶବ୍ଦ ମିଡ଼ିଆ ବ୍ୟୁରୋ :ଚନ୍ଦ୍ରପୃଷ୍ଠରେ ପ୍ରଥମ କରି ନାଭିଗେସନ୍ କ୍ୟାମେରାର ବ୍ୟବହାର କଲା ରୋଭର୍ ପ୍ରଜ୍ଞାନ। ଆଉ ଏହି କ୍ୟାମେରାରେ ଲ୍ୟାଣ୍ଡର ବିକ୍ରମର ଚିତ୍ର ଉତ୍ତୋଳନ କରିଛି, ଯାହାର ଫଟୋ ଶେଆର୍ କରିଛି ଇସ୍ରୋ। ଚନ୍ଦ୍ରରେ ଚନ୍ଦ୍ରଯାନ-3 ଅବତରଣ କରିବା ପରେ ପ୍ରଥମ କରି ଏହି ଚିତ୍ର ପଠାଇଛି ରୋଭର୍ ପ୍ରଜ୍ଞାନ। ବର୍ତ୍ତମାନ ପର୍ଯ୍ୟନ୍ତ ଲ୍ୟାଣ୍ଡର ବିକ୍ରମ ଫଟୋ ଉଠାଉ ଥିବାବେଳେ ପ୍ରଥମ କରି ପ୍ରଜ୍ଞାନରେ ଲାଗିଥିବା ଅତ୍ୟାଧୁନିକ କ୍ୟାମେରା କାର୍ଯ୍ୟକ୍ଷମ ହୋଇଛି।

ISRO ପକ୍ଷରୁ ଟ୍ବିଟ କରି କୁହାଯାଇଛି, “ସ୍ମାଇଲ ପ୍ଲିଜ ! ଆଜି ପ୍ରଥମ ଥର ପାଇଁ ପ୍ରଜ୍ଞାନ ଲ୍ୟାଣ୍ଡର ବିକ୍ରମର ଫଟୋ ଉଠାଇଛି। ରୋଭରରେ ଲାଗିଥିବା ନାଭିଗେସନ କ୍ୟାମେରା ଦ୍ବାରା ଏହି ଫଟୋ ଉତ୍ତୋଳନ କରାଯାଇଛି । ଆଜି ସକାଳ 7ଟା 35 ମିନିଟରେ ଏହି ଫଟୋ ଉଠାଇଛି ପ୍ରଜ୍ଞାନ।”ଚନ୍ଦ୍ରଯାନ -3 ମିଶନ ପାଇଁ ନେଭକ୍ୟାମ ଲାବ୍ରୋଟୋରୀ ଫର ଇଲେକ୍ଟ୍ରୋଅପ୍ଟିକ୍ସ ସିଷ୍ଟମ (LEOS) ଦ୍ୱାରା ପ୍ରସ୍ତୁତ କରାଯାଇଛି। ଏହି ଦୁଇଟି ନାଭକ୍ୟାମ୍ ରୋଭରରେ ଗୋଟିଏ ପାର୍ଶ୍ୱରେ ସ୍ଥାପିତ କରାଯାଇଛି । ବାସ୍ତବରେ ରୋଭରର ମୋଟ ଓଜନ 26 କିଲୋଗ୍ରାମ ହୋଇଥିବା ବେଳେ ଏହାର ଲମ୍ବ ତିନି ଫୁଟ, ଚଉଡା 2.5 ଫୁଟ ଏବଂ ଉଚ୍ଚତା 2.8 ଫୁଟ ଅଟେ।ଇସ୍ରୋ ପକ୍ଷରୁ ଏହା ମଧ୍ୟ କୁହାଯାଇଛି ଯେ, ବୈଜ୍ଞାନିକ ପରୀକ୍ଷଣ ଜାରି ରହିଛି। ରୋଭରରେ ଲଗାଯାଇଥିବା ଲେଜର-ପ୍ରେରିତ ବ୍ରେକଡାଉନ୍ ସ୍ପେକ୍ଟ୍ରସ୍କୋପି (LIBS) ଚନ୍ଦ୍ରର ଦକ୍ଷିଣ ମେରୁ ନିକଟରେ ଭୂପୃଷ୍ଠରେ ସଲଫରର ଉପସ୍ଥିତି ନିଶ୍ଚିତ କରିଛି। ଅନ୍ୟପଟେ ଇସ୍ରୋ ମୁଖ୍ୟାଳୟ ପକ୍ଷରୁ କୁହାଯାଛି ଯେ, “ଚନ୍ଦ୍ରପୃଷ୍ଠରେ ଆଲୁମିନିୟମ, କ୍ୟାଲସିୟମ୍, ଆଇରନ୍, କ୍ରୋମିୟମ୍, ଟାଇଟାନିୟମ୍, ମାଙ୍ଗାନିଜ୍, ସିଲିକନ୍ ଏବଂ ଅମ୍ଳଜାନ ମଧ୍ୟ ଚିହ୍ନଟ ହୋଇଛି । ହାଇଡ୍ରୋଜେନର ସନ୍ଧାନ ଜାରି ରହିଛି।” ISROର ଲାବ୍ରୋଟୋରୀରେ LIBS ଯନ୍ତ୍ରକୁ ବିକଶିତ କରାଯାଇଛି।

ଅଗଷ୍ଟ 23 ତାରିଖରେ ଚନ୍ଦ୍ରର ଦକ୍ଷିଣ ମେରୁରରେ ଚନ୍ଦ୍ରଯାନ-3ର ସଫ୍ଟ ଲ୍ୟାଣ୍ଡିଂ କରାଇ ଇତିହାସ ରଚିଥିଲା ଭାରତ। ଏହାପରେ ରୋଭର ପ୍ରଜ୍ଞାନ ଅଲଗା ହୋଇ ଚନ୍ଦ୍ରପୃଷ୍ଠରେ ଗତ 7 ଦିନ ହେବ କାର୍ଯ୍ୟ ଜାରି ରଖିଛି। ଏହାରି ଭିତରେ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଥିବା ବେଳେ ଆଉ 7 ଦିନ ପର୍ଯ୍ୟନ୍ତ କାର୍ଯ୍ୟ ଜାରି ରଖିବ ପ୍ରଜ୍ଞାନ। ଚନ୍ଦ୍ରର ଦକ୍ଷିଣ ମେରୁରେ ଜୀବସତ୍ତାର ସମ୍ଭାବନା ମଧ୍ୟ କ୍ରମଶଃ ବଢିବାରେ ଲାଗିଛି।ଚନ୍ଦ୍ର ଦକ୍ଷିଣ ମେରୁ ଅଞ୍ଚଳରେ ମୃତ୍ତିକାର ତାପମାତ୍ରା -10 ଡିଗ୍ରୀ ସେଲସିୟସରୁ 50 ଡିଗ୍ରୀ ସେଲସିୟସ ମଧ୍ୟରେ ରହୁଥିବା ନେଇ ଜଣାପଡିଥିବା ବେଳେ ମଙ୍ଗଳବାର ଚନ୍ଦରପୃଷ୍ଠରେ ସରଫର ରହିଥିବା ନେଇ ସୂଚନା ଦିଆଯାଇଥିଲା। ତେବେ ଆଗାମୀ 7 ଦିନ ଭିତରେ କଣ ରୋଚକ ତଥ୍ୟ ସାମ୍ନାକୁ ଆସିବ ତାକୁ ଅପେକ୍ଷା ।

Leave a Reply

Your email address will not be published. Required fields are marked *