ବିଜୟ କୁମାର ଜେନା : “ତପସ୍ଵିନୀ” କାବ୍ୟର ଅମର କବି, ସ୍ବର୍ଗତ ଗଙ୍ଗାଧର ମେହେର; ସ୍ଵଭାବ କବି ଭାବରେ ଓଡ଼ିଶାର ପୁର ପଲ୍ଲୀରେ ପରିଚିତ। ଉନବିଂଶ ଶତାବ୍ଦୀର ରୀତି ଯୁଗର ସେ ଜଣେ ବିଶିଷ୍ଟ କବି। ତାଙ୍କର ଜନ୍ମ ଅଗଷ୍ଟ ୯ ତାରିଖ ଶ୍ରାବଣ ପୂର୍ଣ୍ଣିମା ଦିନ ସେତେବେଳର ସମ୍ବଲପୁର ଓ ଆଜିର ବରଗଡ଼ ଜିଲ୍ଲାର ବରପାଲି ଠାରେ ହେଇଥିଲା। ତାଙ୍କ ପିତା, ଚୈତନ୍ୟ ମେହେର ଜଣେ ସାଧାରଣ ବୁଣାକାର ପରିବାରର ମଣିଷ ଓ ମାତା ସେବତୀ ଦେବୀ ସାଧାରଣ ଗୃହିଣୀ ଥିଲେ। ଚୈତନ୍ୟ ମେହେରଙ୍କ କୌଳିକ ବୃତ୍ତି ଯଦିଓ ଲୁଗା ବୁଣିବା ଥିଲା, ସେ କିନ୍ତୁ ଜଣେ କବିରାଜ ବୈଦ ଭାବରେ ସେ ଅଞ୍ଚଳରେ ବିଶେଷ ଭାବରେ ଜଣାଶୁଣା ଥିଲେ। ପରେ, ପରିବାରର ଆର୍ଥିକ ସ୍ଥିତି ଦୁର୍ବଳ ଦେଖି, ସେ ନିଜ ଘରେ ଚାଟଶାଳୀ ବିଦ୍ୟାଳୟ ଟିଏ ଖୋଲି ଗାଆଁର କିଛି ପିଲାଙ୍କୁ ପାଠ ପଢ଼ାଇଲେ। ଗଙ୍ଗାଧର ସେଇଠି ନିଜର ବିଦ୍ୟା ଆରମ୍ଭ କରି ମାଇନର ଯାଏଁ ପଢ଼ିଥିଲେ। ତାଙ୍କ ବିବାହ ମାତ୍ର ୧୦ ବର୍ଷ ବୟସରେ ଶାନ୍ତା ଦେବୀଙ୍କ ସହ ହେଇଥିଲା; ଶାନ୍ତା ଦେବୀ ବେଶି ଦିନ ବଞ୍ଚି ନଥିଲେ। ତାଙ୍କ ମୃତ୍ୟୁ ପରେ ଗଙ୍ଗାଧର ଚମ୍ପା ଦେବୀଙ୍କୁ ବିବାହ କରିଥିଲେ। ତାଙ୍କ ପ୍ରଥମ ପୁତ୍ର ମାତ୍ର ୧୨ ବର୍ଷରେ ମୃତ୍ୟୁବରଣ କରିଥିଲା। ପରେ, ତାଙ୍କ କୋଳ ମଣ୍ଡନ କଲେ, ଭଗବାନ ମେହେର – ଯିଏ କି ପରେ କବି ପୁତ୍ର ନାମରେ ଖ୍ୟାତ ହେଲେ । ବସୁମତୀ ମେହେର ଓ ଲକ୍ଷ୍ମୀ ମେହେର ନାମରେ ତାଙ୍କର ଦୁଇ ଝିଅ ବି ଥିଲେ।ଯଦିଓ ସେ ମାତ୍ର ମାଇନର ଯାଏଁ ବିଦ୍ୟାଳୟ ଶିକ୍ଷା ଲାଭ କରିଥିଲେ, କିନ୍ତୁ ନିଜର ପ୍ରତିଭା ବଳରେ, ସେ ବଙ୍ଗଳା ଭୋଜପୁରୀ ଭାଷାର ପତ୍ରିକା ବହି ଓ ତୁଳସୀ ରାମାୟଣ ଇତ୍ୟାଦି ପଢ଼ୁଥିଲେ। ନିଜସ୍ଵ ଉଦ୍ୟମରେ ସଂସ୍କୃତ ଭାଷାରେ ପାରଙ୍ଗମ ହେଲେ ଓ ରଘୁବଂଶମ କାବ୍ୟ ପଢ଼ି, ସେସବୁର ଭାବାର୍ଥ ହୃଦୟଙ୍ଗମ କରିପାରିଥିଲେ। ତାଙ୍କ ଶୈଶବ ସମୟରେ ସେ ବଳରାମ ଦାସଙ୍କ ଓଡ଼ିଆ ରାମାୟଣ ଶୁଣିଥିଲେ ଓ ସାରଳା ଦାସଙ୍କ ମହାଭାରତ ପଢ଼ିଥିଲେ। ତାଙ୍କ ହସ୍ତାକ୍ଷର ଅତ୍ୟନ୍ତ ସୁନ୍ଦର ଥିଲା। ତେଣୁ ତାଙ୍କ ଦ୍ଵାରା ସେ ଅଞ୍ଚଳର ଲୋକେ ଅନେକ ଦସ୍ତାବିଜ୍ ଚିଠିପତ୍ର ଇତ୍ୟାଦି ଲେଖାଉଥିଲେ। ସେ ସକାଳ ସମୟରେ ବିଦ୍ୟାଳୟ ଯାଉଥିଲେ ପୁଣି ସନ୍ଧ୍ୟା ସମୟରେ ବାପାଙ୍କୁ ଲୁଗା ବୁଣିବା କାମରେ ସାହାଯ୍ୟ କରୁଥିଲେ। ତାଙ୍କ ପରିବାର ଟିକେ ଭଲରେ ଚଳି ଆସିବା ବେଳକୁ ଅଗ୍ନିକାଣ୍ଡରେ ତାଙ୍କ ପୈତୃକ ଗୃହ ପୋଡ଼ି ଯାଇଥିଲା।ତାଙ୍କର ପ୍ରଥମ କାବ୍ୟ ଥିଲା ରସ ରତ୍ନାକର। ସେ ସମୟର ପ୍ରଖ୍ୟାତ କବି, କବିବର ରାଧାନାଥ ରାୟ, ଗଙ୍ଗାଧର ମେହେରଙ୍କୁ ପ୍ରଶଂସା କରିବା ସହ ଆହୁରି ଆହୁରି ଲେଖିବାକୁ ଉତ୍ସାହିତ କରୁଥିଲେ। ବର୍ଷ ୧୯୧୪ ଅକ୍ଟୋବର ୫ ତାରିଖରେ ସେ ତାଙ୍କର କାଳଜୟୀ କାବ୍ୟ “ତପସ୍ଵିନୀ” ର ମୁଖବନ୍ଧ ଲେଖିଥିଲେ। ଯେଉଁ କାବ୍ୟ ନାଆଁ ରେ ପୁରୀ ରୁ ହାଟିଆ ଯାଏଁ ଏକ ଦୈନିକ ଏକ୍ସପ୍ରେସ ଟ୍ରେନ ଚାଲିଛି।ସେତେବେଳର ବରପାଲିର ଜମିଦାର ଗଙ୍ଗାଧର’ଙ୍କୁ ଅମିନ ଚାକିରୀରେ ନିଯୁକ୍ତି ଦେଇଥିଲେ। ପରେ ସେ ମୋହରିର୍ ପଦକୁ ଉନ୍ନୀତ ହୋଇଥିଲେ। ସେଇ ଚାକିରୀରେ ବଦଳି ହେଇ ସେ, ସମ୍ବଲପୁର, ବିଜେପୁର, ପଦମ୍ ପୁର ଆଦି ସ୍ଥାନରେ କାର୍ଯ୍ୟ କରିଥିଲେ। ଶେଷରେ ତାଙ୍କ ଜନ୍ମସ୍ଥାନ ବରପାଲିକୁ ବଦଳି ହେଇ ଆସିଥିଲେ। ସେତେବେଳକୁ ତାଙ୍କ ଦରମା ଥିଲା ମାସକୁ ୨୫ ଟଙ୍କା।ଏପ୍ରିଲ୍ ୪ ତାରିଖ ୧୯୨୪ ରେ ତାଙ୍କର ଦେହାନ୍ତ ହୋଇଥିଲା। ୧୯୪୪ ରେ ସ୍ଥାପିତ ହେଇଥିବା ସମ୍ବଲପୁର କଲେଜ – ବର୍ଷ ୧୯୪୯ ରେ ଗଙ୍ଗାଧର ମେହେର କଲେଜ ନାମରେ ନାମିତ ହେଲା । ଏଵଂ ତାହା ଏବେ ୨୦୧୫ ରେ ଗଙ୍ଗାଧର ମେହେର ବିଶ୍ୱ ବିଦ୍ୟାଳୟ ହେଇଛି।
“ବିଶ୍ଵ ଦେଖ ମଧୁ ମୟରେ ଜୀବନ… ବିଶ୍ଵ ଦେଖ ମଧୁମୟ..” ତାଙ୍କ ରଚିତ ଗୀତି କବିତା ଶୁଣିଲେ ମନରେ ବିଶ୍ଵ ପ୍ରକୃତି’ର ଅମୃତ ପ୍ରେମରେ ଉଦ୍ଭାସିତ ହୁଏ। ଗଙ୍ଗାଧର ମେହେରଙ୍କ ଅନେକ କୃତି ମଧ୍ୟରେ – ପ୍ରଣୟ ବଲ୍ଲରୀ, ଇନ୍ଦୁମତି, କୀଚକ ବଦ୍ଧ, ଅଯୋଧ୍ୟା ଦୃଶ୍ୟ, ପଦ୍ମିନୀ ଆଦି ଉଚ୍ଚକୋଟୀର ସାହିତ୍ୟ କୃତି। ଓଡ଼ିଶାରେ ଶ୍ରୀରାମଙ୍କୁ ବୈଦେହିଙ୍କ ଇଶ ବା ତପସ୍ଵିନୀ ସୀତାଙ୍କ ପ୍ରଭୁ ଭାବରେ ସମ୍ମାନିତ କରାଯାଇଛି। ଯାହାକି ବିଭିନ୍ନ କାବ୍ୟ କବିତାରେ ଲେଖା ହୋଇଛି। ଗଙ୍ଗାଧର ମେହେରଙ୍କ ଲେଖାରେ ମଧ୍ୟ ସେହି ଭାବ ପ୍ରତିଫଳିତ ହୋଇଛି। ଗଙ୍ଗାଧର ମେହେରଙ୍କ ରଚନାରେ ପ୍ରକୃତି ବର୍ଣ୍ଣନା ଅତ୍ୟନ୍ତ ମନୋମୁଗ୍ଧକର। ତପସ୍ଵିନୀ କାବ୍ୟର ଅଶ୍ରମେ ପ୍ରଭାତର “ମଙ୍ଗଳେ ଆଇଲା ଉଷା…” ମନେ ନ ପକେଇଲେ, ଗଙ୍ଗାଧର ମେହେରଙ୍କ ସ୍ମୃତି ଚାରଣ ସମ୍ପୂର୍ଣ ହେଇ ପାରେନା।ପରିଣତ ବୟସରେ ବି ସେ ବସି ନଥିଲେ। ବୁଣାକାର ମେହେର ମାନଙ୍କ ଉନ୍ନତି ପାଇଁ ସେ “ନିଖିଳ ଉତ୍କଳ ମେହେର ବୁଣାକାର ସମ୍ମିଳନୀ”ର ଆୟୋଜନ କରିଥିଲେ। ସେହି ସମ୍ମିଳନୀରେ ବୁଣାକାର ମାନଙ୍କର ବିଭିନ୍ନ ସମସ୍ୟା ସମ୍ପର୍କରେ ବିଶଦ ଆଲୋଚନା ହେଇଥିଲା ଏବଂ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା।ଆଜି ପବିତ୍ର ଗହ୍ମା ପୂର୍ଣ୍ଣିମା ବା ଶ୍ରାବଣ ପୂର୍ଣ୍ଣିମାରେ; ସ୍ଵଭାବ କବିଙ୍କ ଜନ୍ମ ତିଥିରେ କବିଙ୍କୁ ସ୍ମରଣ କରିବା ସହ ବିନମ୍ର ଶ୍ରଦ୍ଧାଞ୍ଜଳୀ।
—-###——
+ There are no comments
Add yours