
ଭାରତର ଜାତୀୟ ପତାକାରେ ତିନୋଟି ରଙ୍ଗ ଥିବାରୁ ତାହାକୁ ତ୍ରିରଙ୍ଗା ବୋଲି କୁହାଯାଏ। ଏହି ରଙ୍ଗର ଓ ଅଶୋକ ଚକ୍ରର ବିଶେଷ ମହତ୍ତ୍ବ ଅଛି। କେଶର ବା ବାଦାମୀ ରଙ୍ଗ, ଧଳା ଓ ଗଭୀର ସବୁଜ ରଙ୍ଗକୁ ପତାକାର ସର୍ବୋତ୍କୃଷ୍ଟ ରଙ୍ଗ ଭାବେ ଚୟନ କରାଯାଇଛି। ପତାକାର ଉପର ଅଂଶରେ ଥିବା ବାଦାମୀ ରଙ୍ଗ ହେଉଛି ଦେଶର ଶକ୍ତି ଓ ଶୌର୍ଯ୍ୟର ପ୍ରତୀକ।
ମଧ୍ୟଭାଗରେ ଥିବା ଧଳା ରଙ୍ଗ ଶାନ୍ତି ଓ ସତ୍ୟକୁ ପ୍ରତିଫଳିତ କରେ। ନିମ୍ନରେ ଥିବା ଗଭୀର ସବୁଜ ରଙ୍ଗ ଦେଶ ମାଟିର ଉର୍ବରତା ଓ ବିକାଶକୁ ପ୍ରତିନିଧିତ୍ବ କରିଥାଏ। ନୀଳ ରଙ୍ଗକୁ ଆକାଶ, ମହାସାଗର ଓ ସାର୍ବଭୌମ ସତ୍ୟର ପ୍ରତୀକ ଭାବେ ଗ୍ରହଣ କରାଯାଇଛି। ତେଣୁ ଅଶୋକ ଚକ୍ରକୁ ନେଭି ବ୍ଲୁ ରଙ୍ଗରେ ଚିତ୍ରଣ କରାଯାଇଛି। ସାମାଜିକ ଦୃଷ୍ଟିରୁ ‘ଅଶୋକ ଚକ୍ର’ ଆଇନର ନିରନ୍ତରତାକୁ ସୂଚାଇଥାଏ।
ଅଶୋକ ଚକ୍ରର ୨୪ଟି ଅଖର ମହତ୍ତ୍ବ
ଆଧ୍ୟାତ୍ମିକ ଦୃଷ୍ଟିରୁ ଅଶୋକ ଚକ୍ରରେ ଥିବା ୨୪ଟି ଅର ଦିନର ୨୪ ଘଣ୍ଟାକୁ ଦର୍ଶାଏ। ସମୟ ଭଳି ଅବିରତ ନିଜ ଦାୟିତ୍ବ ସମ୍ପାଦନ କରିବା ପାଇଁ ଏହା ପ୍ରେରଣା ଦେଇଥାଏ। ଏହି ୨୪ଟି ଅର ମନୁଷ୍ୟର ୨୪ଟି ଗୁଣ ଏବଂ ସତ୍ମାର୍ଗରେ ଯିବା ପାଇଁ ୨୪ଟି ମାର୍ଗ ସହିତ ମଧ୍ୟ ତୁଳନା କରାଯାଇଛି। ଅଶୋକ ଚକ୍ରର ମଧ୍ୟଭାଗରେ ଥÒବା ୨୪ଟି ଅର ହେଉଛି ୨୪ଟି ଧର୍ମମାର୍ଗର ପ୍ରତୀକ। ସଂଯମତା, ଆରୋଗ୍ୟ, ଶାନ୍ତି, ତ୍ୟାଗ, ଶୀଳ, ସେବା, କ୍ଷମା, ପ୍ରେମ, ମୈତ୍ରୀ, ବନ୍ଧୁତ୍ବ, ସଂଗଠନ,କଲ୍ୟାଣ, ସମୃଦ୍ଧି, ଉଦ୍ଯୋଗ, ସୁରକ୍ଷା, ନିମୟ, ସମତା, ଅର୍ଥନିଷ୍ଠ, ନୀତିନିଷ୍ଠ, ନ୍ୟାୟ, ସହଯୋଗ, କର୍ତ୍ତବ୍ୟ, ଅଧିକାର ଓ ବୁଦ୍ଧିମତାର ପ୍ରତୀକ ଭାବେ ଏହି ୨୪ଟି ଅରକୁ ବିବେଚନା କରାଯାଏ।
ଜାତୀୟ ପତାକାର ଡିଜାଇନର୍ ପିଙ୍ଗଳି ଭେଙ୍କୟା
ଭାରତର ଜାତୀୟ ପତାକାର ଡିଜାଇନ୍ କରିଥିଲେ ପିଙ୍ଗଳି ଭେଙ୍କୟା। ଏହାକୁ ପ୍ରସ୍ତୁତ କରିବା ପାଇଁ ସେ ୧୯୧୬ରୁ ୧୯୨୧ ମସିହା ମଧ୍ୟରେ ପ୍ରାୟ ୩୦ଟି ଦେଶର ଜାତୀୟ ପତାକାର ଅଧ୍ୟୟନ କରିଥିଲେ। ଏହାପରେ ସେ ଭାରତର ଜାତୀୟ ପତାକା ପ୍ରସ୍ତୁତ କରିବା ପାଇଁ ଗୋଟିଏ ଡିଜାଇନ୍ ପ୍ରସ୍ତୁତ କଲେ। ଆନ୍ଧ୍ରପ୍ରଦେଶର ମଛଲି ପଟନମ୍ର ଏକ ଛୋଟ ଗାଁରେ ରହୁଥିବା ପିଙ୍ଗଳି ଭେଙ୍କୟା ୧୯ ବର୍ଷ ବୟସରେ ବ୍ରିଟିଶ୍ ସେନାର ଜଣେ ଅଧିକାରୀ ଥିଲେ। ଏହାପରେ ଦକ୍ଷିଣ ଆଫ୍ରିକାରେ ଆଙ୍ଗ୍ଲୋବୋଅର୍ ଯୁଦ୍ଧ ସମୟରେ ସେ ମହାତ୍ମା ଗାନ୍ଧୀଙ୍କ ସହିତ ପରିଚିତ ହୋଇଥିଲେ। ଏହା ପରେ ପିଙ୍ଗଲିଙ୍କ ବ୍ୟକ୍ତିତ୍ବରେ ପରିବର୍ତ୍ତନ ଆସିଲା ଏବଂ ସେ ସ୍ବାଧୀନତା ଆନ୍ଦୋଳନରେ ଯୋଗେଦଲେ। ସେ ୪୫ ବର୍ଷ ବୟସରେ ଜାତୀୟ ପତାକା ପ୍ରସ୍ତୁତ କରିଥିଲେ। ତେବେ ପୂର୍ଣ୍ଣାଙ୍ଗ ଜାତୀୟ ପତାକାର ରୂପରେଖ ଓ ମାନ୍ୟତା ମିଳିବା ପାଇଁ ପ୍ରାୟ ୪୫ ବର୍ଷ ଲାଗିଯାଇଥିଲା।