Thu. Oct 15th, 2026

ଘରେ ଦିନ କେଇଟାର ବୋହୂ ଲକ୍ଷ୍ମୀ। ତାଙ୍କୁ ଛାଡି କାହାକୁ ଆସିବାକୁ ମନ ହେବ ? ହେଲେ ଏ ମନୁଆ ଠାକୁର ଭକତ ଭାବରେ ବାଇ ହୋଇ ନବ ବିହିତା ସ୍ତ୍ରୀକୁ ଘରେ ଛାଡି ଯାତ୍ରା କରନ୍ତି ଗୁଣ୍ଡିଚାବାଡି । ଭକତ ମେଳରେ ପତ୍ନୀକୁ ଭୁଲି ଯାଆନ୍ତି। ଏମିତି ହେଲେ କୋଉ ସ୍ତ୍ରୀ ସମ୍ଭାଳିବ ଯେ, ମା’ ସାଆନ୍ତାଣି ସମ୍ଭାଳିବେ! ସେଇଥିପାଇଁ ଆଜିର ପର୍ବ ହେରାପଞ୍ଚମୀ।
ଋକ୍ମିଣୀ ହରଣ ଏକାଦଶୀରେ ବିବାହ , ଚତୁର୍ଥୀ ଦିନ ସ୍ନାନବେଦୀରେ ଅତ୍ୟଧିକ ସ୍ନାନ ଯୋଗୁ ଜ୍ୱରରେ ପଡ଼ି ଅଣସର ଘରେ ଥିଲେ ନଟିଆ ଠାକୁର । ଭଲ ହୋଇ ଅଣସର ଘରୁ ବାହାରିଛନ୍ତି କି ନାହିଁ, ଭାଇ-ଭଉଣୀଙ୍କୁ ଧରି ରତ୍ନବେଦୀ ଛାଡ଼ି ଜନ୍ମବେଦୀକୁ ଚାଲି ଆସିଛନ୍ତି । ପାଞ୍ଚଦିନ ପୂରିବାକୁ ବସିଲାଣି । ଖବର ନାହିଁ କି ଅନ୍ତର ନାହିଁ । ଏପଟେ ମା’ଲକ୍ଷ୍ମୀ ଠାକୁରାଣୀଙ୍କ ଅଙ୍ଗବାସରୁ ଗଇଣ୍ଠାଳ ବି ଫିଟିନି । ସେଇଥି ପାଇଁ ତ ମା ବିମଳାଙ୍କ ପରାମର୍ଶ କ୍ରମେ ଆଜି ଆଷାଢ ଶୁକ୍ଳ ପଞ୍ଚମୀ ତିଥିରେ ଗୁଣ୍ଡିଚା ମନ୍ଦିରକୁ ଯାତ୍ରା କରିଛନ୍ତି ମା ସାଆନ୍ତାଣୀ । ମହାପ୍ରଭୁ ଆଉ ମା ମହାଲକ୍ଷ୍ମୀଙ୍କ ପ୍ରେମ-ମାନ-ଅଭିମାନର ପର୍ବ। ଆପଣଙ୍କ ମନରେ ପ୍ରଶ୍ନ ଆସୁଥିବ ଏ ‘ହେରା’ର ଅର୍ଥ କ’ଣ ? ବାସ୍ତବରେ ଏହି ଶବ୍ଦର ଅବିଧାନରେ ଥିବା ଅର୍ଥ ହେଉଛି, ଦେଖିବା ବା ଚାହିଁବା। ମହାପ୍ରଭୁଙ୍କ ଗୋଟିଏ ଝଲକ ପାଇଁ ମଣିଷ ଯେମିତି ବିକଳ, ମା’ ଲକ୍ଷ୍ମୀ ବି ସେମିତି ବ୍ୟସ୍ତ। ସେଇଥିପାଇଁ ଦୀର୍ଘଦିନ ଧରି ମହାପ୍ରଭୁଙ୍କୁ ଦେଖି ନ ଥିବାରୁ ଧାଇଁ ଆସନ୍ତି ଗୁଣ୍ଡିଚା ମନ୍ଦିରକୁ। ଦେଖିବେ କ’ଣ କରୁଛନ୍ତି କୋଠଭୋଗ ଖିଆ । ଜଗମୋହନ ପାଖରେ ବଡ଼ଠାକୁର ବଳଭଦ୍ରଙ୍କ ପଟେ,ଯେମିତି ବଡ଼ଠାକୁରଙ୍କ ମୁହଁ ପଡିବିନି, ଭାଇବୋହୂ-ଦେଢସୁର ଭେଟ ହେବନି ଠିଆ ହୋଇ ଚାହିଁ ଦିଅନ୍ତି ଚକା ଆଖିକୁ। ହେଲେ ଚକାଡୋଳା ବଡ ହଟିଆ ଦିଅଁ, ମା’ ଚାହିଁ ରହିଥିବା ବେଳେ ଟେରା ପକାଇ ଦିଅନ୍ତି। ମା’ଙ୍କ ଅଭିମାନ ବଢିଯାଏ, ରାଗ ତମତମ ହୋଇ ସେ ନନ୍ଦିଘୋଷ ରଥ ଭାଙ୍ଗି ବଡ଼ ଦେଉଳକୁ ବିଜେ କରନ୍ତି। ଜାଣିଛନ୍ତି, ମା’ ଯେତେବେଳେ ଶ୍ରୀମନ୍ଦିରରୁ ଗୁଣ୍ଡିଚା ମନ୍ଦିରକୁ ଆସନ୍ତି, ସେତେବେଳେ ଘଣ୍ଟ ବାଜେ, କାହାଳୀ ବାଜେ। ମା’ ରାଗିଥାନ୍ତି ବୋଲି ମଥା ଥଣ୍ଡା କରିବାକୁ ହୁଏତ ଦହିପଟି ମଣୋହୀ ହୁଏ। କିନ୍ତୁ ରାଗରେ ରଥ ଭାଙ୍ଗିବା ପରେ ମା’ ଅନୁତାପ କରନ୍ତି। ଏଡେବଡ଼ ସ୍ବାମୀ ମୋର, ‘କେହି ସରିକି, ପ୍ରଭୁ ପଣେ ନିଳାଦ୍ରୀକେଶରୀ କି’ ? ମା’ ଏ କଥା ଭାବି ମୌନ ହୋଇପଡନ୍ତି । ରାଗ ଥଣ୍ଡା ପଡିଥିବାରୁ ମା’ ଆଉ ବଡ଼ଦାଣ୍ଡରେ ଘଣ୍ଟ କାହାଳୀ ବଜାଇ ଯାଆନ୍ତି ନାହିଁ, ଚୁପ୍‌ ଚାପ ହେରାଗୋହୀରା ସାହି ଦେଇ ବିନା ଘଣ୍ଟ, ବିନା କାହାଳୀରେ ବଡ଼ ଦେଉଳକୁ ବିଜେ କରନ୍ତି। ସତରେ ବଡ଼ ଅଦ୍ଭୁତ ଆମ କଳା ସାଆନ୍ତ। ତାଙ୍କର ସବୁ ନୀତିରେ ନିଆରା ପଣ। ମାନବୀୟ ଲୀଳା। ଧନ୍ୟ, ଧନ୍ୟ ଜଗନ୍ନାଥ। ଧନ୍ୟ ଏ ଉତ୍କଳ ଭୂମି।

Leave a Reply

Your email address will not be published. Required fields are marked *