କିଏ ଦେଇଥିଲା ନାଆଁ,
କିଏ କରୁଥିଲା ପୁଜା,
ଜଙ୍ଗଲ ଭିତରେ ଅନ୍ଧାର କୋଠରୀ
କିଏ ଥିଲା ଏଠି ରାଜା !!
କୋରାପୁଟରୁ କାକିରୀଗୁମା ୨୨ କିମି ଓ ଦାମନଯୋଡିରୁ ୧୯ କିମି। କାକିରୀଗୁମାରୁ ରାୟଗଡ଼ା ଆଡ଼କୁ ପ୍ରଥମ ଘାଟି ଉଠି ଆସିଲେ ପଡ଼ିବ କୁସୁମ ଗୁଡ଼ା; ମାତ୍ର ସାତ କିଲୋମିଟର। କୁସୁମଗୁଡ଼ାର ଠିକ୍ ଶେଷ ଆଡ଼କୁ ବାଆଁ ପଟେ ଛୋଟିଆ ରାସ୍ତା; ରାସ୍ତା ଆରମ୍ଭରେ ଅର୍ଦ୍ଧ ନିର୍ମିତ ତୋରଣଟିଏ। ସେଇ ରାସ୍ତାଟି ଯାଇଛି କୁଟୁଣିପଦରକୁ ମାତ୍ର ସାଢ଼େ ତିନି କିଲୋମିଟର। ରାସ୍ତାର ବାମ ପାଖରେ ପାହାଡ଼ ଓ ଡାହାଣ ପାର୍ଶ୍ଵରେ ଝରଣାଟିଏ ଯେମିତି ବାଟ କଢ଼େଇ ଓହ୍ଲେଇ ଦିଏ ଗୋଟିଏ ସବୁଜ ଉପତ୍ୟକା ଭିତରକୁ। ଛୋଟ ଝରଣା, କିନ୍ତୁ ଯେମିତି ଛନ୍ଦରେ ସେ, ପଥର ଚାଞ୍ଚଡା ମଝିରେ ଲଟେଇ ପଟେଇ ପୁଣି କୁଳୁ କୁଳୁ ହୋଇ ବହି ଯାଇଛି, ଦଣ୍ଡେ ରହିଯାଇ ଦେଖିବାକୁ ଇଛା ନିହାତି ହେବ। ରାସ୍ତା ଓ ଝରଣା ଦୁହେଁ ଓହ୍ଲେଇ ପଡ଼ିଛନ୍ତି ଠିକ ସେଇ ପାହାଡ଼ର ପାଦଦେଶରେ କୁଟୁଣୀପଦରରେ; ଯେଉଁଠି ଛୋଟ ଛୋଟ ଦୁଇ ତିନିଟି ଗାଆଁ, ସମତଳ ଚାଷ ଜମି ଓ ଭୈରବ ଭୈରବୀ ଶିବ ମୟ ପାହାଡ଼ର ପ୍ରବେଶ ପଥ।
କେତୋଟି ଆମ୍ବ ପଣସ ଓ କାଜୁବାଦାମ ଗଛଛାଇ ଭିତରୁ ପାହାଚ ଆରମ୍ଭ ହୋଇଛି – ବେଶି ଦୁର କିମ୍ବା ଉଚ୍ଚା ନୁହେଁ; ତଥାପି ସେତକ ଉଠାଣୀ ଉଠିବାକୁ ପଡ଼େ। ଯେଉଁଠି ପହଞ୍ଚିବେ ସେ ସ୍ଥାନକୁ ବର୍ତମାନ ପାଇଁ ମନ୍ଦିର କହିଲେ ଠିକ ହେବନାହିଁ। ଗରିବ ଲୋକଙ୍କ ଆଜବେଷ୍ଟସ ଘର ଭଳି କିଛି – ସେମିତି ଦୁଆର ମୁହଁ ଓ ଭିତରେ, ମାଟି ଗୋବରରେ ଲିପି ହେଇଥିବା ସବୁ କିଛି। ମାଟି ଗୋବର ଲିପାରେ ମାଟିଆ ହେଇ ଶିବଲିଙ୍ଗ ମାନେ ବି ସେଇଠି, ମାଟିମଗ୍ନ ଯୋଗୀ।
ଭିତରେ ଅଛି ଅମାପ ଐଶ୍ୱର୍ଯ୍ୟ – ଯେମିତି କି, ଖୁଲ୍ ଜାଓ ସିମ୍ ସିମ କହିଦେଲା ପରେ ଖୋଲିଗଲା ଗୋଟିଏ ରତ୍ନ ଭଣ୍ଡାର। ଛୋଟ ରୁ ବିରାଟ ଅନେକ ଗୁଡ଼ିଏ ଶିବଲିଙ୍ଗ। ଟିକେ ଅସାବଧାନ ହେଲେ ଶିବଲିଙ୍ଗ ମାନଙ୍କୁ ଝୁଣ୍ଟିବେ। ଗଣି ବସିଲେ ତ ହଜାରରୁ ଅଧିକ ହେବ। କିଛି ଲିଙ୍ଗ ଶକ୍ତି ମଧ୍ୟରେ ସ୍ଥାପିତ ପୁଣି କିଛି ପାତାଳ ଫୁଟା।
କେବଳ ଶିବ ଲିଙ୍ଗ ନୁହଁନ୍ତି, ପଥରରେ ଖୋଦିତ ଅନେକ ଦେବ ମୂର୍ତି ଗଦା ହେଇଛି ସେଇ ସୀମିତ ପରିସର ମଧ୍ୟରେ। ଯାହାକି ଆଜି ଆମେ ଗଣେଶ, ଅନନ୍ତଶୟନ ବିଷ୍ଣୁ, ଭୈରବ ଭୈରବୀ ଆଦି କହୁଛନ୍ତି। ପୁଣି ଏଣେ ତେଣେ ବିକ୍ଷିପ୍ତ ଭାବରେ ପଡ଼ିଛି ପଥରର ଗଦା, ଶଙ୍ଖ, ଡମ୍ବରୁ, ସର୍ପ ଏବଂ ବିଭିନ୍ନ ଆକାର ପ୍ରକାର ର ପ୍ରସ୍ତର ଆକୃତି ମାନ। ପ୍ରାୟ ମୂର୍ତ୍ତି ମାନଙ୍କର ଆଖି ଗୋଲ୍; ଚକା ଚକା ଆଖି ଓ ଅନେକ ଗୁଡ଼ିଏ ହାତ। ତିନୋଟି ସ୍ଥାନରେ ତିନି ଦଳ ଶିବଲିଙ୍ଗ ଓ ତାଙ୍କ ସେବାୟତ ନନ୍ଦୀ ଭୃଙ୍ଗୀ ମାନେ, ସତେ ଯେମିତି ପଥର ପାଲଟି ଯାଇଛନ୍ତି।
ସେଇ ଆସ୍ଥାନ ମାନଙ୍କ ପାଖରେ ଅଛି ଦୁଇ କି ତିନୋଟି ସୁଢ଼ଙ୍ଗ ମୁହାଁ ଗୁମ୍ଫା – ଭିତରକୁ ଗୁରୁଣ୍ଡି ଗୁରୁଣ୍ଡି ଯିବାକୁ ପଡ଼େ। ସେଇ ଗୁମ୍ଫା ଭିତରେ କୋଉଠି ଦୁଇଟି ତ ପୁଣି କୋଉଠି ଗୋଟିଏ ଲେଖାଏଁ ପ୍ରକାଣ୍ଡ ଶିବଲିଙ୍ଗ ଉଭା ହୋଇଛନ୍ତି। ଭିତରକୁ ଆହୁରି ସରୁ ସରୁ ସୁଢ଼ଙ୍ଗ ଯାଇଛି; ତା ଭିତରକୁ ଯିବାକୁ ସାହସ ଓ ସମୟ ଦରକାର
ଗୋଟିଏ ଅଂଶରେ ସ୍ଥାନୀୟ ଗ୍ରାମ ଦେବତୀଙ୍କ ଆସ୍ଥାନ। ତା ଭିତରେ ଗୋଟିଏ ପିଣ୍ଡି ଉପରେ ଅନେକ ଗୁଡ଼ିଏ ଘଟ ସ୍ଥାପନ ହେଇ ପୁଜା ପାଉଛନ୍ତି। ବିଭିନ୍ନ ଆକାର ପ୍ରକାରର ଶହ ଶହ ଲୁହା ଖଣ୍ଡା, ତ୍ରିଶୂଳ ଓ ଅନ୍ୟାନ୍ୟ ଅସ୍ତ୍ର ଶସ୍ତ୍ର ସେଠାର ପୁଜା ପାଉଛନ୍ତି। ପୁଣି ତାଆରି ଭିତରେ କାଠର ତିନି ମୂର୍ତ୍ତି – ଠିକ୍ ଜଗନ୍ନାଥ ମନ୍ଦିରର ମୂର୍ତ୍ତି ପରି – ସିନ୍ଦୂର ଗୋଳା ହେଇ ପୂଜା ପାଉଛନ୍ତି। ସେଠାରେ ରଖା ଯାଇଛି ଲୁହା କଣ୍ଟା ଲଗା ଆସ୍ଥାନ, ଦୋଳି ଓ ପିଢ଼ା। ସେଠାରେ ପାଳନ ହେଉଥିବା ବାର୍ଷିକ ଠାକୁରାଣୀ ଯାତ୍ରା ଅବସରରେ ଦେବୀଙ୍କ ପୂଜାରୀ ସେହି କଣ୍ଟା ଲଗା ପଟା ଦୋଳିରେ ବସନ୍ତି – ଦେବୀ ତାଙ୍କରି ଶରୀରରେ ଆବିର୍ଭୁତ ହୋଇ ଲୋକଙ୍କୁ ଆଶୀର୍ବାଦ ପ୍ରଦାନ କରନ୍ତି। ପଶୁ ପକ୍ଷୀ ବଳି ପୁଜା ଦିଆଯାଏ। ଏସବୁ ଅନେକ ବର୍ଷ ପରେ ଏହି ପୀଠ ସହ ସ୍ଥାନୀୟ ଲୋକଙ୍କ ଦ୍ଵାରା ସଂଲଗ୍ନ ହେଇଥିବା ମନେହୁଏ।
ଆଦିବାସୀ ମାନଙ୍କ ଅସ୍ଥା ଓ ବିଶ୍ୱାସ ଭିତରେ ଏ ଶକ୍ତି ଓ ଶିବ ପୀଠ। ଏ ସ୍ଥାନଟି, ଏପର୍ଯ୍ୟନ୍ତ ଲୋକ ଲୋଚନ ଆଢ଼ୁଆଳରେ ରହି ଆସିଛି। କେତେବେଳେ କେମିତି ଅଳ୍ପ କିଛି ଲୋକ ଯାଉଛନ୍ତି। ସେଠାକାର କିଛି ସ୍ଥାନୀୟ ଲୋକଙ୍କ ଦ୍ଵାରା ଯତ୍ କିଞ୍ଚିତ ପୁଜା ଭୋଗ କରାଯାଉଛି। ଅଲଗା କିଛି ନୀତି ନିର୍ଘଣ୍ଟ କିମ୍ବା ଭୋଗ ପ୍ରସାଦର ବ୍ୟବସ୍ଥା ପରିସର ଭିତରକୁ ଆସିନାହିଁ।
ଅଳ୍ପ ଟିକେ ବିଜୁଳି ଆଲୋକର ବ୍ୟବସ୍ଥା, ସିମେଣ୍ଟ ପାହାଚ, ଟିକେ ଆଜବେଷ୍ଟସ ଛାଉଣୀ, ଗୋଟିଏ ଛୋଟ ସିମେଣ୍ଟ ପୁଜା ମଣ୍ଡପ ଓ ମୂଖ୍ୟ ଶିବଲିଙ୍ଗ ଭୈରବ ଆସ୍ଥାନରେ ଟିକିଏ ଲୁହା ଗ୍ରିଲ୍ ବ୍ୟବସ୍ଥା ହୁଏତ ସ୍ଥାନୀୟ କେହି ଲୋକ ପ୍ରତିନିଧିଙ୍କ ବଦାନ୍ୟତାରୁ କରାଯାଇଛି। ସ୍ଥାୟୀ ପାନୀୟ ଜଳ ଓ ଅନ୍ୟାନ୍ୟ ନୀତି ନିର୍ଘଣ୍ଟ ବ୍ୟବସ୍ଥା ନାହିଁ। ଏତେ ଶାନ୍ତ ସୁନ୍ଦର ଓ ପବିତ୍ର ସ୍ଥାନ ପୃଥିବୀରେ ହୁଏତ ଆଉ କୋଉଠି ନଥିବ। ପାହାଡ଼ ତଳେ ଛୋଟ ଗୋଟିଏ ଦୋକାନ , ଯେଉଁଠି ସ୍ଥାନୀୟ ଲୋକଙ୍କ ଦ୍ଵାରା ଉତ୍ପନ୍ନ ମକା ଝୁଡୁଙ୍ଗ ବାଜରା ଇତ୍ୟାଦି ସହ ଅଳ୍ପ ନଡ଼ିଆ କଦଳୀ ଆଦି ରଖିଥାନ୍ତି। ୟାଠାରୁ ଅଧିକ ଏଠି କିଣା ବିକା ପାଇଁ କିମ୍ବା ରହଣୀ ପାଇଁ ଏଠାରେ କୌଣସି ସୁବିଧା ଉପଲବ୍ଧ ନାହିଁ।
ଏଠାକୁ ଆସିବା ପାଇଁ, ରାୟଗଡା, ଲକ୍ଷ୍ମୀପୁର, କୋରାପୁଟ, ସୁନାବେଡ଼ା, ସେମିଳିଗୁଡା କିମ୍ବା ଦାମନଯୋଡିରୁ ଟ୍ୟାକ୍ସି ଇତ୍ୟାଦି ପାଇ ପାରିବେ। ତେବେ ଆସନ୍ତୁ ଏଠାକୁ – ନିଜ ହାତରେ ସ୍ପର୍ଶ କରି ଶିବ ମହାତ୍ମ୍ୟ ଉପଲବ୍ଧି କରନ୍ତୁ। ଅନୁଭବ କରନ୍ତୁ – ଏତେ ନିକାଞ୍ଚନ ସ୍ଥାନରେ ଏମିତି ଏକ ଅପୂର୍ବ କୀର୍ତ୍ତି ରାଜି କିଏ କେମିତି ଓ କେବେ ପ୍ରତିଷ୍ଠା କରିଥିଲା। ପୁଣି କିଏ କେମିତି ଏହାର ଆବିଷ୍କାର କଲା।
ଧିରେ ଧିରେ ଏ ସ୍ଥାନ ଲୋକ ଲୋଚନକୁ ଆସୁଛି। ଦିନେ ହୁଏତ ଏହି କୁଟୁଣୀପଦର, କାଶୀ ରାମେଶ୍ବର କିମ୍ବା କେଦାର ନାଥ ଠାରୁ ମହାନ୍ ତୀର୍ଥ କ୍ଷେତ୍ର ଭାବରେ ପ୍ରସିଦ୍ଧି ଲାଭ କରିବ।
—–###——
ବିଜୟ କୁମାର ଜେନା
ଦାମନଯୋଡି।
+ There are no comments
Add yours