ଆଶା ସବୁ ମୋର,
ଓ ପାଖୁଡ଼ା ସବୁ ତାର।
ମୋର ଗୋଟି ଗୋଟି ଆଶା ପରି,
ସୂର୍ଯ୍ୟମୁଖୀ ବି ଝଡ଼ଉଥାଏ
ଗୋଟିଏ ଗୋଟିଏ ପାଖୁଡ଼ା
ପବନର ଉତ୍ପୀଡନରେ।
ତଥାପି ତ ସମ୍ପର୍କ ତୁଟିନି
ପବନ ସହ ଆମ ଦୁହିଁଙ୍କର।
ହେଲେ ମୁଁ କଣ ଝଡ଼ିଛି
ନା ଝଡ଼ିଛି ଏ ସୂର୍ଯ୍ୟମୁଖୀ !
ବରଂ ହସିଛୁ ଦୁହେଁ,
ଅନେକ ସମ୍ଭାବନାର ବୀଜକୁ
ଛାତିରେ ଧରି।
ସବୁ କଣ ମୁହଁଖୋଲି
କହିବା ଦରକାର କି !
ଏ ଆକ୍ଷି ଓ ପାଖୁଡ଼ା ତ
ଯଥେଷ୍ଟ କୁହେ…
ବାନ୍ଧି ରଖିବାକୁ, ସମ୍ପୂର୍ଣ ଦିନଟିକୁ
ନିଜ କବଳରେ।
ବରଂ ଏ ସୂର୍ଯ୍ୟଟା ହିଁ ନିତି ନିତି
ଆତ୍ମହତ୍ୟା କରେ, ନିତି ସଞ୍ଜରେ।
ପୁଣି ଆସେ ତା ଜିଦ୍ କୁ ଜାବୁଡ଼ି ଧରି
ଆର ସକାଳରେ।
ସୂର୍ଯ୍ୟାସ୍ତରେ ଆମ ଛାଇ
ଧୀରେ ଧୀରେ ଲମ୍ବା ହେଇ
ହଜିଯିବ ଅନ୍ଧାରରେ – ରାତ୍ରୀରେ।
ଗଲାବେଳେ କହିଥିବ କିନ୍ତୁ,
ଆରଦିନ ସକାଳରେ ଆସିବାକୁ
ସୂର୍ଯ୍ୟୋଦୟ ସହ।
ମୁଁ ଓ ସୂର୍ଯ୍ୟମୁଖୀ
ପରସ୍ପର ଛୁଆଁ ଛୁଇଁ ହେଇ
ଝଡ଼ୁଥିବୁ ପୁଣି ଗଢୁଥିବୁ
ଆପଣା ଆଶାର ମଞ୍ଜି ରୁ।
—-####—-
ବିଜୟ କୁମାର ଜେନା
+ There are no comments
Add yours