Thu. Oct 15th, 2026

ଅପୂର୍ବ ସୁନ୍ଦର ଗହଣା ପୁଞ୍ଜିଶୀଲ

“ଉପରୁ ଦେଖିଲେ ଲାଗିବ, ଢଳ ଢଳ ନୀଳ ଓ କଳା ଆଖିଟିଏ। ସବୁ ମିଶେଇ ପୁଞ୍ଜିଶୀଲ ଏକ ଛୋଟ, କିନ୍ତୁ ସୁନ୍ଦର ଜଳ ପ୍ରପାତ ବା ଜଳ ଝରଣା। ସାମନାରେ ପାହାଡ଼, ଉପର ମୁଣ୍ଡରେ ପାହାଡ଼ ପୁଣି ତଳ ଆଡ଼କୁ ପାହାଡ଼। ଏଠି ପାଣି, କେଉଁ ଗୋଟିଏ ଉଚ୍ଚସ୍ଥାନ ଉପରୁ ଖସି ପଡେନାହିଁ; ପାଣି ଏଠାରେ ଖସଡ଼ି ଖସଡ଼ି ଯାଏ – ଠିକ୍ ଯେମିତି ପାର୍କରେ କୁନି ଝିଅମାନେ ଖସୁଥାନ୍ତି ଖସଡ଼ା ପାହାଚରେ – ଛଳ ଛଳ ହେଇ, ହସି ହସି। ନିରନ୍ତର ଝରୁଥିବା ଓ ଖସଡୁଥିବା ଜଳ ଧାରାରୁ ଭାସି ଆସୁଥାଏ ଏକ ଅପୁର୍ବ ସଙ୍ଗୀତ। “

ଏମିତିରେ ସଦା ସୋନ୍ଦର୍ଯ୍ୟମୟୀ ଆମ ଉତ୍କଳ; ପୁଣି ସେଇ ସୋନ୍ଦର୍ଯ୍ୟର ଗନ୍ତାଘର ଆମ କୋରାପୁଟ। ଏବଂ ସେ ଗନ୍ତାଘର ଭିତରେ ଅପୁର୍ବ ସୁନ୍ଦର ଗହଣାଟିଏ ପୁଞ୍ଜିଶୀଲ।

ପ୍ରକୃତି କଣ ଗୀତ ଗାଏ ? ପ୍ରକୃତି କଣ ଝରେ – ଆଉ ଝରେ ଅନେକ ଛନ୍ଦରେ ?? ହଁ, ପ୍ରକୃତି ଗୀତ ଗାଏ – ଛନ୍ଦରେ ଝରେ, ଆଉ ପ୍ରକୃତି ବି କଥା କୁହେ। କୁହେ କାନରେ; ବେଳେବେଳେ ଅନ୍ତରଙ୍ଗ କାହାଣୀ ଶୁଣାଏ। ଆପଣ ଯଦି ପ୍ରକୃତିକୁ ଶୁଣିବାକୁ ଚାହୁଁଛନ୍ତି; ତେବେ ଆସନ୍ତୁ ପୁଞ୍ଜିଶିଲ।

ରାୟଗଡ଼ା କୋରାପୁଟ ରାଜପଥରେ, କାକିରିଗୁମା ଓ ପୋଡ଼ାଗଡ। ପୋଡ଼ାଗଡରୁ ଦକ୍ଷିାମୁଖୀ ସଡ଼କଟିଏ ବାହାରିଛି, ପାଖାପାଖି ପାଞ୍ଚ କିଲୋମିଟର ପରେ ପହଞ୍ଚିଛି ତେନ୍ତୁଳିଗୁଡ଼ା ଗାଆଁରେ। ସେଠାରୁ ପୁଞ୍ଜିଶିଲ ଅଢ଼େଇ କିଲୋମିଟର ହେବ। ପୁଣି ଏପଟୁ ଦାମନଯୋଡି କାକିରୀଗୁମା ରାସ୍ତାରେ ଦାମନଯୋଡିର ଗୋଟିଏ କିଲୋମିଟର ପୂର୍ବରୁ ଉଠିଯାଇଛି ପଶ୍ଚିମାଭିମୁଖୀ ରାସ୍ତା। ସେଇ ରାସ୍ତାରେ ଆମ୍ବ ଗାଆଁ, କିଲାର ଓ ମୁଜାଙ୍ଗ ପରେ ପହଞ୍ଚିବେ ତେନ୍ତୁଳିଗୁଡ଼ାରେ; ସେଠାରୁ ପୁଞ୍ଜିଶୀଲ। ଦାମନଯୋଡିରୁ, ପ୍ରାୟ ଷୋହଳ କିମି ଦୁର ହେବ।

ଉପରୁ ଦେଖିଲେ ଲାଗିବ, ଢଳ ଢଳ ନୀଳ ଓ କଳା ଆଖିଟିଏ। ସବୁ ମିଶେଇ ପୁଞ୍ଜିଶୀଲ ଏକ ଛୋଟ, କିନ୍ତୁ ସୁନ୍ଦର ଜଳ ପ୍ରପାତ ବା ଜଳ ଝରଣା। ସାମନାରେ ପାହାଡ଼, ଉପର ମୁଣ୍ଡରେ ପାହାଡ଼ ପୁଣି ତଳ ଆଡ଼କୁ ପାହାଡ଼। ଏଠି ପାଣି, କେଉଁ ଗୋଟିଏ ଉଚ୍ଚସ୍ଥାନ ଉପରୁ ଖସି ପଡେନାହିଁ; ପାଣି ଏଠାରେ ଖସଡ଼ି ଖସଡ଼ି ଯାଏ – ଠିକ୍ ଯେମିତି ପାର୍କରେ କୁନି ଝିଅମାନେ ଖସୁଥାନ୍ତି ଖସଡ଼ା ପାହାଚରେ – ଛଳ ଛଳ ହେଇ, ହସି ହସି। ନିରନ୍ତର ଝରୁଥିବା ଓ ଖସଡୁଥିବା ଜଳ ଧାରାରୁ ଭାସି ଆସୁଥାଏ ଏକ ଅପୁର୍ବ ସଙ୍ଗୀତ। ଏହି ସଙ୍ଗୀତ ଯିଏ ଶୁଣିଛି, ସିଏ ସମ୍ମୋହିତ ହେଇଛି। ଶିରି ଶିରି ହୋଇ ଭେଦି ଯାଇଛି ହୃଦୟ ଭିତରକୁ। ଆଖି ଆଗରେ ଛିଞ୍ଚି ହେଉଥିବା – ଖସି ଖସି ଯାଉଥିବା ପାଣି ଓ ସେଥିରୁ ବାହାରୁଥିବା ଜଳତରଙ୍ଗ ସିତାର୍ ଓ ବୀଣା ର ମିଳିତ ମୂର୍ଚ୍ଛନା। ସେଠାରୁ ଫେରିବାକୁ ଇଛା ନଥିଲେ ବି ଫେରିବାକୁ ହୁଏ; ଆଉଥରେ ଆସିବାର ପ୍ରତିଶ୍ରୁତି ସହ।

ଚାରିଆଡ଼େ ପାହାଡ଼ ଓ ଚାଷ ଜମି; କିଛି ଢାଲୁ ପୁଣି କିଛି ଉପତ୍ୟକାରେ ବିଛେଇ ହେଇ ରହିଛି। ବୁଲିଆସିବା ସମୟ କହିଲେ, ସେପ୍ଟେମ୍ବର ରୁ ଜାନୁଆରୀ ଭିତରେ ଏହି ଉପତ୍ୟକ ସବୁ, ବିଭିନ୍ନ ରଙ୍ଗରେ ରଙ୍ଗାୟିତ ହୋଇଥାଏ। ଅକ୍ଟୋବରରେ ସୁନେଲି ହଳଦିଆ ଅଳସି ଫୁଲର କିଆରୀ ଭିତରେ ଅଙ୍କାବଙ୍କା ବାଟ – କେଉଁ ପରୀ ରାଇଜକୁ ନେଇଯାଏ ଯେମିତି। ଠିକ୍ ପରେ ପରେ ସମାଗ୍ର ଉପତ୍ୟକା ମହକି ଯାଏ, ପାହାଡି ଧାନର ବାସମତୀ ବାସ୍ନା ରେ। ଶୀତ ଆସିଗଲେ ଏଠାର ପ୍ରକୃତି ବି ଟିକେ ଶୁଖାଇଦିଏ ନିଜକୁ।

ଯାହା’ବି ହେଉ, ସୋନ୍ଦର୍ୟ୍ଯପିପାସୁ ଓ ବଣଭୋଜି କରିବା ପାଇଁ ଆସୁଥିବା ଲୋକଙ୍କ ଭିଡ଼ ଏଠାରେ ସବୁବେଳେ ଲାଗିଛି। କିନ୍ତୁ ପୁଞ୍ଜିଶିଲରେ ବିଦ୍ୟୁତ୍ ବ୍ୟବସ୍ଥା ନାହିଁ, ରାତ୍ରୀରେ ରହିବାର କିଛି ବ୍ୟବସ୍ଥା ନାହିଁ, ଶୌଚାଳୟ ନାହିଁ, ହୋଟେଲ ନାହିଁ କିମ୍ବା ଆବଶ୍ୟକୀୟ କିଛି କିଣିବାକୁ ଦୋକାନ ନାହଁ। ଏବେ ଏଠାରେ ତିଆରି ଚାଲିଛି କିଛି କିଛି କୋଠା। ହୁଏତ ଆଉ କିଛି ଦିନ ଭିତରେ ଏସବୁ ଉପଲବ୍ଧ ହେଇଯିବ।

ଆଜିକାଲି ମଟରଗାଡ଼ି ପ୍ରଵେଶ ସବୁଠାରେ। ଏଠାରେ ବି ଭଲ ପାର୍କିଂ ବ୍ୟବସ୍ଥା ଓ ଯିବା ଆସିବା ପାଇଁ ଦୁଇଟି ଅଲଗା ମାର୍ଗ ନିର୍ମାଣ ହୋଇଗଲେ, ଯାତ୍ରୀ ମାନଙ୍କ ପାଇଁ ସୁବିଧା ହୁଅନ୍ତା।

ଏକ ବିଶେଷ ସୂଚନା – ପ୍ରକୃତିପ୍ରେମୀ ମାନଙ୍କୁ ଅନୁରୋଧ – ଭୋଜି କରନ୍ତୁ, ପ୍ରପାତରେ ସୂର୍ଯ୍ୟସ୍ନାନ କରନ୍ତୁ – ମଜା ନିଅନ୍ତୁ; କିନ୍ତୁ ପରିବେଶ ନିର୍ମଳ ରଖନ୍ତୁ। ଏବେ କିନ୍ତୁ ଯାତ୍ରୀ ଓ ଦର୍ଶକ ମାନେ ବେପରୁଆ ଭାବରେ ଭୋଜି ଆଦିର ବର୍ଜ୍ୟବସ୍ତୁ ପକେଇ ଚାଲିଛନ୍ତି; ଠିକ୍ ଯେଉଁ ଜାଗା ସବୁ ପରିଷ୍କାର ରହିଲେ ଆହୁରି ଭଲ ଲାଗିବ; ସେଇଠି।

ଅଳ୍ପ ଦିନରେ ଲୋଜ ଲୋଚନକୁ ଆସିଥିବା ଏହି ପ୍ରାକୃତିକ ଝରଣା ଓ କୁନି ପ୍ରପାତଟି ଏଇ ନିକଟରେ ସରକାରଙ୍କ ସାହଚର୍ଯ୍ୟ ପାଇବା ଆରମ୍ଭ କରିଛି। ତେନ୍ତୁଳିଗୁଡା’ରୁ ପୁଞ୍ଜିଶୀଲ ରାସ୍ତାକାମ ଚାଲିଛି। କିଛି କୋଠାଘର ତିଆରି ଚାଲିଛି। ହୁଏତ ନିକଟ ଭବିଷ୍ୟତରେ ଅନେକ ମୌଳିକ ସୁବିଧା ଏଠାରେ ଉପଲବ୍ଧ ହେବ।

ତେବେ ଆସନ୍ତୁ ଏଠାକୁ – ଯଥା ସମ୍ଭବ ଛୋଟ ବହାନରେ। ବସ କିମ୍ବା ବଡ଼ ଗାଡ଼ି ପାଇଁ ଟିକେ ଅସୁବିଧା ଏବେ। ଆଗକୁ ସେସବୁ ଅସୁବିଧା ଦୁର ହୋଇସାରିଥିବ।

——###——

ବିଜୟ କୁମାର ଜେନା
ଦାମନଯୋଡି।

Leave a Reply

Your email address will not be published. Required fields are marked *