ରାଜ୍ୟରେ ଗଣଶିକ୍ଷା ବିଭାଗ ଅଧୀନରେ ପୂରଣ ହେବ ୫୧,୫୩୫ ଶିକ୍ଷକ ପଦବୀ

ଶବ୍ଦମିଡ଼ିଆ ବ୍ୟୁରୋ:ରାଜ୍ୟରେ ଚଳିତ ବଜେଟରେ ୨୦୨୩-୨୪ ଆର୍ଥିକ ବଜେଟରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ବ୍ୟୟ ଅଟକଳ ୨୨,୫୨୭.୮୦ କୋଟି ଟଙ୍କା ଧାର୍ଯ୍ୟ ହୋଇଥିଲା।ଯାହା ବିଗତ ୨୦୨୨-୨୩ ଆର୍ଥିକ ବର୍ଷ ତୁଳନାରେ ପ୍ରାୟ ୫% ଅଧିକ। ଚଳିତ ଆର୍ଥିକ ବର୍ଷରେ ବିଦ୍ୟାଳୟ ଶିକ୍ଷା କ୍ଷେତ୍ରରେ ୫୧, ୫୩୫ ପଦ ପୂରଣ କରାଯିବା। ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପାଇଁ ୧୦୭୦ ଶିକ୍ଷକ ପଦରେ ନିଯୁକ୍ତି ଲାଗି ୧୦୪୫ କୋଟି ଟଙ୍କାରୁ ଅଧିକ ଟଙ୍କା ବରାଦ ହୋଇଛି।

ସେହିପରି ଓଡ଼ିଶା ଆଦର୍ଶ ବିଦ୍ୟାଳୟ (ଓଏଭି)ରେ ଆଉ ୨୩୭ଟି ଛାତ୍ରନିବାସ ନିର୍ମାଣ କରାଯିବ। ୨୦୨୨-୨୩ ଆର୍ଥିକ ବର୍ଷରେ ସ୍କୁଲ ୟୁନିଫର୍ମ ଓ ଅନ୍ୟାନ୍ୟ ସହାୟକ ସାମଗ୍ରୀ ପାଇଁ ପୂର୍ବରୁ ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କୁ ୬୦୦ଟଙ୍କା ପ୍ରଦାନ କରାଯାଉଥିବାବେଳେ ଏବେ ତାହାକୁ ବଢ଼ାଇ ୧୦୦୦ଟଙ୍କା କରିବାକୁ ପ୍ରସ୍ତାବ ରହିଛି। ଏହି ଯୋଜନା ନିମନ୍ତେ ୨୩୪୪୬ ଲକ୍ଷ ଟଙ୍କାର ବ୍ୟୟ ବରାଦ କରାଯାଇଛି। ସରକାରୀ ଓ ପୂର୍ଣ୍ଣ ସହାୟତାପ୍ରାପ୍ତ ବିଦ୍ୟାଳୟର ବିଦ୍ୟାର୍ଥୀମାନଙ୍କ ନିମନ୍ତେ ଖାତା ବ୍ୟବସ୍ଥା କରାଯାଇଛି ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି।
୨୦୨୩-୨୪ ଆର୍ଥିକ ବର୍ଷ ଲାଗି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ବଜେଟ୍ ସମ୍ପର୍କରେ ସୂଚନା ଦେଇ ମନ୍ତ୍ରୀ କହିଥିଲେ, ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟଗୁଡ଼ିକରେ ସ୍ମାର୍ଟ ଶ୍ରେଣୀଗୃହ, ଅତ୍ୟାଧୁନିକ ଇ-ଲାଇବ୍ରେରୀ, ସାଇନ୍ସ ଲାବୋରୋଟରୀ, ଛାତ୍ରଛାତ୍ରୀଙ୍କ ପାଇଁ ପୃଥକ ଶୌଚାଳୟ, ସ୍ୱଚ୍ଛ ପାନୀୟଜଳ ବ୍ୟବସ୍ଥା ଏବଂ ଅତ୍ୟାଧୁନିକ କ୍ରୀଡ଼ା ଭିତ୍ତିଭୂମିର ବିକାଶ କରାଯାଉଛି। ପ୍ରାଥମିକ ଶିକ୍ଷାନୁଷ୍ଠାନର ଭିତ୍ତିଭୂମି ନିମନ୍ତେ ୧୭୦୦ ଲକ୍ଷ, ସୈନିକ ସ୍କୁଲ ନିର୍ମାଣ ନିମନ୍ତେ ୮୫୦ଲକ୍ଷ, ମାଧ୍ୟମିକ ଶିକ୍ଷାନୁଷ୍ଠାନର ଭିତ୍ତିଭୂମି ନିମନ୍ତେ ୨୬୫୦ ଲକ୍ଷ ଓ ଉଚ୍ଚ ମାଧ୍ୟମିକ ଶିକ୍ଷାନୁଷ୍ଠାନର ଭିତ୍ତିଭୂମି ନିମନ୍ତେ ୬୮୦୦ ଲକ୍ଷ ବ୍ୟୟବରାଦ କରାଯାଇଛି। ଶିକ୍ଷକ ପ୍ରଶିକ୍ଷଣ ଅନୁଷ୍ଠାନ ପାଇଁ ୧୦୦ଲକ୍ଷ ଟଙ୍କାର ବ୍ୟୟବରାଦ କରାଯାଇଥିବାବେଳେ ୫-‘ଟି’ ବିଦ୍ୟାଳୟ ରୂପାନ୍ତରୀକରଣ, ମୋ ସ୍କୁଲ ଅଭିଯାନ, ଓଡ଼ିଶା ଆଦର୍ଶ ବିଦ୍ୟାଳୟ (ଓଏଭି) ପରି ଅଭିନବ ଯୋଜନାକୁ କାର୍ଯ୍ୟକାରୀ କରାଯାଇଛି।
ମୋ ସ୍କୁଲ ଅଭିଯାନ ଅଧୀନରେ ୮୦୫୧୪.୫୦ ଲକ୍ଷ, ଶିକ୍ଷକମାନଙ୍କ ପ୍ରଶିକ୍ଷଣ ନିମିତ୍ତ ୬୦୬୨ ଲକ୍ଷ, ଅଧାରୁ ପାଠ ଛାଡ଼ିଥିବା ବିଦ୍ୟାର୍ଥୀମାନଙ୍କ ନିମନ୍ତେ ନ୍ୟୁ ଇଣ୍ଡିଆ ଲିଟରେସି ପ୍ରୋଗ୍ରାମରେ ୭୧୫.୬୨ଲକ୍ଷ ବ୍ୟୟବରାଦ ହୋଇଛି। ୫-‘ଟି’ ବିଦ୍ୟାଳୟ ରୂପାନ୍ତରୀକରଣ ଯୋଜନାରେ ପ୍ରଥମ, ଦ୍ୱିତୀୟ ଏବଂ ତୃତୀୟ ପର୍ଯ୍ୟାୟରେ ୩୪୧୧ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି। ଭୁବନେଶ୍ବରର ଅନ୍ଧାରୁଆଠାରେ ଏକ ଆଇକନିକ୍‌ ଓଡ଼ିଶା ଆଦର୍ଶ ବିଦ୍ୟାଳୟ କାର୍ଯ୍ୟ ଆରମ୍ଭ ହୋଇଛି।
ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସଚିବ ଅଶ୍ୱଥୀ ଏସ୍‌ ସାମ୍ବାଦିକଙ୍କ ବିଭିନ୍ନ ପଶ୍ନର ଉତ୍ତରରେ କହିଥିଲେ, ୨୦୨୩-୨୪ ଶିକ୍ଷାବର୍ଷରୁ ‘ଖୁସି’ ଯୋଜନାରେ ପୁଣି ଛାତ୍ରୀଙ୍କୁ ସାନିଟାରୀ ନାପକିନ୍ ଯୋଗାଇ ଦିଆଯିବ। ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ବିଭାଗର ସହଯୋଗରେ ୧୭ ବର୍ଷରୁ ଅଧିକ ବିଦ୍ୟାଳୟ ବାହାରେ ଥିବା ଛାତ୍ରଛାତ୍ରୀଙ୍କ ପାଇଁ କାଉନସେଲିଂ ଅଧିବେଶନ ମଧ୍ୟ ଆରମ୍ଭ କରାଯିବ। ହାଇସ୍କୁଲ ଏବଂ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ୫୦,୦୦୦ରୁ ଅଧିକ ଶିକ୍ଷକ ନିଯୁକ୍ତି ମାଧ୍ୟମରେ ଖାଲିଥିବା ପଦ ପୂରଣ କରିବାକୁ ସରକାର ପ୍ରାଥମିକତା ଦେଉଛନ୍ତି।ତେବେ ଦୀର୍ଘ ଦିନ ଧରି ଶିକ୍ଷକ ନିଯୁକ୍ତି ନେଇ ଅପେକ୍ଷାକରିରହିଥିବା ଛାତ୍ର ଛାତ୍ରୀ ମାନଙ୍କ ପାଇଁ ଏହା ଏକ ଖୁସି ଖବର।

You May Also Like

More From Author

+ There are no comments

Add yours