ନବୀକରଣ ହେବ ପଠାଣିସାମନ୍ତ ପ୍ଲାନେଟୋରିୟମ,ଯୋଡି ହେବ ନୂତନ ଜ୍ଞାନକୌଶଳ

ଶବ୍ଦମିଡ଼ିଆ ବ୍ୟୁରୋ:ରାଜ୍ୟର ସର୍ବପୁରାତନ ପ୍ଲାନେଟୋରିୟମ ପଠାଣିସାମନ୍ତ ପ୍ଲାନେଟୋରିୟମ।ପଠାଣି ସାମନ୍ତଙ୍କ କୀର୍ତିରାଜି ଏବଂ ତାଙ୍କର ସମସ୍ତ ଗବେଷଣାର ଚିତ୍ର ଏହିଠାରେ ଦେଖିବାକୁ ମିଳିଥାଏ।ରାଜ୍ୟ ସରକାରଙ୍କ ଅନୁମୋଦନ କ୍ରମେ ପଠାଣି ସାମନ୍ତ ପ୍ଲାନେଟାରିୟମ୍‌ର ହେବ ନବକଳେବର । ଯୋଡି଼ ହେବ ନୂଆ ଜ୍ଞାନକୌଶଳ । ଭିତର ଗମ୍ବୁଜ ଆକାର ବଢ଼ିଯିବ । ଅତ୍ୟାଧୁନିକ ଓ ବୈଜ୍ଞାନିକ ବିଷୟବସ୍ତୁ ଆଧାରରେ ଆସିବ ନୂଆ ୮କେ ରେଜୁଲେସନ୍‌ ପ୍ରୋଜେକ୍ଟର । ସେହିପରି ବାହାର ପରିସର ମଧ୍ୟ ବଦଳିଯିବ । ବଗିଚା, କାଫେଟେରିଆ, ୱାଟର ଫାଉଣ୍ଟେନ୍‌, ପାର୍କିଂ ଏରିଆ ସାଙ୍ଗକୁ ରାତିରେ ଲାଇଟ୍‌ ଆଣ୍ଡ ସାଉଣ୍ଡ ସୋ’ ଦର୍ଶକଙ୍କୁ ବିମୋହିତ କରିବ ।

ଏମିତି ନକ୍ସା ପ୍ରସ୍ତୁତ କରିଛନ୍ତି ରାଜ୍ୟ ସରକାର । ଏଥିପାଇଁ ଖର୍ଚ୍ଚ ହେବ ପାଖାପାଖି ୪୫କୋଟି ଟଙ୍କା । ଚଳିତ ମାସ ସୁଦ୍ଧା କାମ ଆରମ୍ଭ ହୋଇ ୬ମାସ ମଧ୍ୟରେ ସାରିବାକୁ ଲକ୍ଷ୍ୟ ରଖାଯାଇଛି ।

କରୋନା ମହାମାରୀ ପୂର୍ବରୁ ନଷ୍ଟ ହୋଇଯାଇଛି ପଠାଣି ସାମନ୍ତ ପ୍ଲାନେଟାରିୟମ । ପରିସରରେ ଥିବା ନବଗ୍ରହ ଠାରୁ ଆରମ୍ଭ କରି ଲାଇଟ୍‌ ଆଣ୍ଡ ସାଉଣ୍ଡ ଆଦି ଖତ ହୋଇଗଲାଣି । ଏପରିକି ସୋ’ ପାଇଁ ଥିବା ହଲ୍‌ର ଡୋମ୍‌ ଖରାପ ହୋଇଗଲଣି । ଭିତର ବଗିଚା ଜଙ୍ଗଲ ପ୍ରାୟ । ସମସ୍ତ ଉପକରଣ ମଧ୍ୟ ଖରାପ ହୋଇଗଲାଣି । ତେଣୁ ପ୍ଲାନେଟାରିୟମ୍‌ର ନବକଳେବର କରାଯିବ । ସମ୍ପୂର୍ଣ୍ଣ ପରିସରର ନବୀକରଣ କରାଯାଇ ଅତ୍ୟାଧୁନିକ ଜ୍ଞାନକୌଶଳଯୁକ୍ତ ଉପକରଣ ଲଗାଯିବ । ଏଥିପାଇଁ ବିଜ୍ଞାନ ଓ ବୈଷୟିକ ବିଭାଗ ପ୍ରସ୍ତୁତି ଆରମ୍ଭ କରିଛି । ଏନେଇ ବିଭାଗ ପକ୍ଷରୁ ଏକ ରୂପରେଖ ପ୍ରସ୍ତୁତି କରାଯାଇଛି । ଏକ କେନ୍ଦ୍ରୀୟ ସଂସ୍ଥାକୁ ଏହି ନବୀକରଣ ନକ୍ସାର ଦାୟିତ୍ୱ ପ୍ରଦାନ କରାଯାଇଛି । ପୂର୍ବରୁ ଅନ୍ୟ ଏକ କେନ୍ଦ୍ରୀୟ ସଂସ୍ଥାକୁ ଦାୟିତ୍ୱ ଦିଆଯାଇଥିଲା । ମାତ୍ର ଉକ୍ତ ସଂସ୍ଥାର କାର୍ଯ୍ୟଶୈଳୀ ଉପରେ ବିଭାଗ ସନ୍ତୁଷ୍ଟ ନ ହେବାରୁ ପରବର୍ତ୍ତୀ ସମୟରେ ଇଆଇପିଏଲ୍‌ ସଂସ୍ଥାକୁ ନବୀକରଣ ଦାୟିତ୍ୱ ଦିଆଯାଇଛି ।

ପ୍ଲାନେଟାରିୟମ୍‌ରେ ଆଗରୁ ଥିବା ୩ଡି ୪କେ ପ୍ରୋଜେକ୍ଟରକୁ ବଦଳାଯିବ । ଏଥିରେ ୮କେ ରେଜୁଲେସନର ପ୍ରୋଜେକ୍ଟର ସ୍ଥାପନ କରାଯିବ । ସେହିପରି ପ୍ରେକ୍ଷାଳୟ ଡୋମ୍‌ ୧୨ ମିଟର ଥିବା ବେଳେ ଏହାକୁ ସମ୍ପୂର୍ଣ୍ଣ ଭାବେ ବଦଳାଯାଇ ୧୪ ମିଟରର ଡୋମ୍‌ ଲଗାଯିବ । ପରିସରରେ ଥିବା ସମସ୍ତ ଚେୟାରକୁ କଢ଼ାଯାଇ ଉନ୍ନତମାନର ଚେୟାର ପକାଯିବ । ଏଥିପାଇଁ ୨୦କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହେବ । ସେହପରି ସ୍ପେସ୍‌ ସିମ୍ୟୁଲେଟର୍‌ ସ୍ଥାପନ କରାଯିବ । ଫ୍ଲାଟ୍‌ ସ୍କ୍ରିନିଂ ୩ଡି ପ୍ରେକ୍ଷାଳୟ ରହିବ । ଏଥିପାଇଁ ପାଖାପାଖି ୫୦ଲକ୍ଷ ଟଙ୍କା ଖର୍ଚ୍ଚ ହେବ । ଭର୍ଚୁଆଲ୍‌ ରିଅଲିଟି ପ୍ରୋଜେକ୍‌ସନ କରାଯିବ । ୫ ଏକର ଜମିରେ ନିର୍ମିତ ଏହି ପ୍ଲାନେଟାରିୟମ୍‌ର ଉନ୍ନତିକରଣ କରାଯିବ । ଏଥିରେ ପାଖାପାଖି ସାଢ଼େ ୬ଶହ ବର୍ଗଫୁଟ ସ୍ଥାନରେ ପାର୍କିଂ ନିର୍ମାଣ କରାଯିବ ।

ନବୀକରଣର ଦ୍ୱିତୀୟ ପର୍ଯ୍ୟାୟରେ ଲାଇଟ୍‌ ଆଣ୍ଡ ସାଉଣ୍ଡର ଉନ୍ନତିକରଣ ହେବ । ପରିସରରେ ଆଷ୍ଟ୍ରୋନୋମି ପାର୍କ, କାଫେଟେରିଆ, ବସିବା ସ୍ଥାନ, ଛୋଟ ପାର୍କ, ଫାଉଣ୍ଟେନ୍‌ ଆଦି ନିର୍ମାଣ ହେବ । କୋଠା ଦୁର୍ବଳ ହୋଇଥିବାରୁ ଏହାର ମରାମତି କରାଯିବ । ଏଥିପାଇଁ ମୁମ୍ବାଇ, ଆହ୍ଲାବାଦର ଟେକ୍ନିସିଆନ୍‌, ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଫିଜିକ୍ସର ନିର୍ଦ୍ଦେଶକ, ବିଜ୍ଞାନ ଓ ଦକ୍ଷତା ବିଭାଗର ଅଧିକାରୀଙ୍କୁ ନେଇ ଏକ ବୈଠକ ସରିଛି । ନବୀକରଣ ପ୍ରକଳ୍ପ ଦାୟିତ୍ୱ ନେଇଥିବା ସଂସ୍ଥା ଚଳିତ ମାସରେ ଏହାର ୩ଡି ନକ୍ସା ଦାଖଲ କରିବ । ଏହାପରେ କାମ ଆରମ୍ଭ ହେବ । ପ୍ରଥମେ ପରିସରର ମରାମତି ଓ ନବୀକରଣ କାର୍ଯ୍ୟ କରାଯିବ। ବର୍ଷା ଦିନରେ ପର୍ଯ୍ୟଟକଙ୍କ ସଂଖ୍ୟା କମ୍‌ ରହୁଥିବାରୁ ପ୍ରେକ୍ଷାଳୟର କାର୍ଯ୍ୟ କରାଯିବ । ପ୍ରେକ୍ଷାଳୟ କାର୍ଯ୍ୟ ୪ରୁ ୬ମାସ ମଧ୍ୟରେ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଥିବା ବେଳେ ସଂପୂର୍ଣ୍ଣ ପ୍ଲାନେଟୋରିୟମ୍‌ର କାର୍ଯ୍ୟ ୧ ବର୍ଷ ମଧ୍ୟରେ ସାରିବାକୁ ଲକ୍ଷ୍ୟ ରହିଛି । ନବୀକରଣ ପରେ ଜଣେ ଦର୍ଶକ ପ୍ଲାନେଟାରିୟମ୍‌ ବୁଲିବାକୁ ଆସିଲେ ସମ୍ପୂର୍ଣ୍ଣ ଗୋଟିଏ ଦିନ ଏହି ପରିସରରେ ବିତାଇ ପାରିବ । ଏନେଇ ପ୍ଲାନେଟାରିୟମ୍‌ ନିର୍ଦ୍ଦେଶିକା ସଞ୍ଜୁଲତା ବେହେରା କହିଛନ୍ତି, ନବୀକରଣ କାର୍ଯ୍ୟ ଖୁବ୍‌ ଶୀଘ୍ର ଆରମ୍ଭ ହେବ । ନବୀକରଣ ସମୟରେ ସୋ ବନ୍ଦ ରହିବ ।

ଉଲ୍ଲେଖଯୋଗ୍ୟ ଯେ ୧୯୯୦ ଜାନୁଆରୀ ୮ରେ ସ୍ଥାପିତ ହୋଇଥିବା ଏହି ପ୍ଲାନେଟାରିୟମ୍‌ରେ ଏବେ ଦିନକୁ ୪ଟି ସୋ’ ପ୍ରଦର୍ଶନ କରାଯାଉଛି । ମଧ୍ୟାହ୍ନ ସମୟରେ ସ୍ପେଶାଲ୍‌ ସୋ’ କରାଯାଉଛି । ପ୍ରେକ୍ଷାଳୟରେ ୧୭୮ ଜଣ ଦର୍ଶକ ବସିବାର କ୍ଷମତା ରହିଛି । ଏଠାରେ ପ୍ରଥମରୁ ଅପ୍ଟାମେଟିକାଲ୍‌ ପ୍ରୋଜେକ୍ଟର ଥିଲା । ପରେ ଏହାକୁ ଅପଗ୍ରେଡ୍‌ କରାଯାଇ ୨୦୧୨ ମସିହାରୁ ଡିଜିଟାଲ କରାଯାଇଛି । ନବୀକରଣ ପରେ ୮କେ ରେଜୁଲେସନ୍‌ର ପ୍ରୋଜେକ୍ଟର ହେବ ।ରାଜ୍ୟ ସରକାରଙ୍କ ଏହି ପଦକ୍ଷେପ ସାଧାରଣରେ ପ୍ରଶଂସାଯୋଗ୍ୟ ଏହି କାର୍ଜ୍ୟସମ୍ପାଦିତ ହେଲେ ପ୍ଲାନେଟୋରିୟମର ରୂପରେଖ ବଦଳିବା ଏହା ନୂତନ ଜ୍ଞାନକୌଶଳରେ ରୂପାନ୍ତରିତ ହେବ।

You May Also Like

More From Author

+ There are no comments

Add yours