Thu. Oct 15th, 2026

ଶବ୍ଦମିଡ଼ିଆ ବ୍ୟୁରୋ:ନିକଟରେ ରାଜ୍ୟର ୨୦୨୩-୨୪ ଆର୍ଥିକ ବଜେଟ ଶେଷ ହୋଇଛି।ଏହି ବଜେଟରେ ଅନେକ ଗୁରୁତ୍ୱପୂର୍ଣ୍ଣ ସୂଚନା ଆଗତ ହୋଇଛି।ଗତ ବର୍ଷ ବଜେଟ ତୁଳନାରେ ୧୫ ପ୍ରତିଶତ ଅଧିକ ଅର୍ଥ ବ୍ୟୟ ବରାଦ ହୋଇଛି।ବିଭିନ୍ନ ବିଭାଗକୁ ଅର୍ଥ ବଣ୍ଟନ ହୋଇଛି।ଏହା ମଧ୍ୟରେ ରାଜ୍ୟର ରାଜସ୍ୱ(ଆୟ) ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ କହିଛନ୍ତି ଓଡ଼ିଶାର ନିଜସ୍ୱ ଆୟ ପ୍ରକୃତି ପାଦତଳେ ରହିଛି।ଯଦି ଓଡ଼ିଶାରେ ପ୍ରଯ୍ୟାପ୍ତ ଖଣି ନଥାନ୍ତା ତେବେ ରାଜ୍ୟର ରାଜସ୍ୱ ସେତେ ପରିମାଣରେ ଆସିପାରନ୍ତା ନାହିଁ।ହିସାବ ଅନୁସାରେ ସମ୍ପୂର୍ଣ୍ଣ ରାଜସ୍ୱର ୫୦ ଶତକଡ଼ା ଆୟ କେବଳ ଖଣିରୁ ଆସିଥାଏ।ରାଜ୍ୟ ସରକାର ନିଜର ଅଣଟିକସ ଇନକମ ଭାବେ ମୋଟ ୫୨ ହଜାର ,୫୦୦ କୋଟି ଟଙ୍କା ଆଦାୟ କରିବାର ଲକ୍ଷ୍ୟ ରଖିଥିବାବେଳେ ଖଣି ରାୟାଲଟି ବାବଦକୁ ୪୫ ହଜାର ୨୫୧ କୋଟି ଟଙ୍କା ଆଦାୟ ଲକ୍ଷ୍ୟ ରଖିଛନ୍ତି।

ଅର୍ଥାତ୍ ଖଣି ନଥିଲେ ରାଜ୍ୟର ଇନକମ୍ ଆଉ କିଛି ନାହିଁ । ତେବେ ପ୍ରକୃତି ମାଟିତଳେ ଦେଇଥିବା ସମ୍ପଦକୁ ବିକି ଆମେ ରାଜ୍ୟ ଚଳାଇବା ନା ୨୩ ବର୍ଷ ଶାସନରେ ପୁରୁଷାର୍ଥ କରି ରୋଜଗାର କରିବା । କେରଳରେ ଓଡ଼ିଶା ଭଳି ମାଟିତଳେ ସମ୍ପଦ ନାହିଁ । ମାତ୍ର ସମୁଦ୍ର ତଟ ଓ ପ୍ରକୃତିକୁ ଆୟୁଧ କରି ବଢାଇଛନ୍ତି ରୋଜଗାର ।

କେରଳର ମାନବ ସମ୍ବଳ ସମଗ୍ର ବିଶ୍ବରେ ସେବା କ୍ଷେତ୍ରରେ ଆଗୁଆ । ସେହିପରି ଗୋଆର ବିସ୍ତୀର୍ଣ୍ଣ ବେଳାଭୂମି ହିଁ ରାଜ୍ୟ ରାଜକୋଷକୁ ସିଂହଭାଗ ଆୟ ଦେଉଛି । ଆମ ପାଖରେ ଭରପୁର ପ୍ରାକୃତିକ ସମ୍ବଳ, ବିସ୍ତୀର୍ଣ୍ଣ ବେଳାଭୂମି, ହସ୍ତତନ୍ତ, କୁଟୀରଶିଳ୍ପ, କଳା ଓ ଭାସ୍କର୍ଯ୍ୟ ଥିଲେ ବି ଏହାର ଫାଇଦା ନେଇପାରିନାହାନ୍ତି ରାଜ୍ୟ ସରକାର। ଯେଉଁଥିପାଇଁ ବଜେଟ୍ ପରେ ଏବେ ପ୍ରଶ୍ନର ପାହାଡ଼ ।

ଖାଲି ସେତିକି ନୁହେଁ, ଓଡ଼ିଶାରେ ନବୀନ ସରକାର ୨ ହଜାରରେ କ୍ଷମତାସୀନ ହେଲା । ଏହା ପରେ ଗୁଜରାଟରେ ୨୦୦୧ରେ ନରେନ୍ଦ୍ର ମୋଦି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ । ମୋଦି ଲୋକଙ୍କ କ୍ରୟଶକ୍ତି ବୃଦ୍ଧି ଉପରେ ଗୁରୁତ୍ବ ଦେବା ବେଳେ ନବୀନଙ୍କ ଫୋକସ ରହିଲା ଲୋକଙ୍କ ଛୋଟଛୋଟ ଖୁସି ପୂରଣ କରି ସାମୟିକ ଖୁସି ଦେବା ପରେ । ଯାହାର ଫଳସ୍ବରୂପ ଏବେ ଭାରତ ନୁହେଁ, ସାରା ବିଶ୍ବରେ ଗୁଜରାଟ ମଡେଲର ଡଙ୍କା ବାଜୁଥିବା ବେଳେ ଓଡ଼ିଶାର ବିକାଶ କଚ୍ଛପ ଗତିରେ ଆଗଉଛି । ପରିସଂଖ୍ୟାନ ହିଁ ଓଡ଼ିଶା ଓ ଗୁଜରାଟ ମଧ୍ୟରେ ଟଣାଯାଇଥିବା ବିକାଶର ମୋଟା ଲାଇନକୁ ଦର୍ଶାଉଛି । ଓଡ଼ିଶାର ଜିଡିପି ୭ ଲକ୍ଷ ୨୦ ହଜାର କୋଟି ଥିବା ବେଳେ ଗୁଜରାଟରେ ଏହା ୨୨ ଲକ୍ଷ ୩ ହଜାର କୋଟି ପାର୍ । ମାନେ ଗୁଜରାଟର ଜିଡିପି, ଓଡ଼ିଶା ଜିଡିପିର ତିନିଗୁଣାରୁ ଅଧିକ ।

ସେହିପରି ବିକାଶ ଦର ଓଡ଼ିଶାରେ ୭.୮% ଓ ଗୁଜରାଟରେ ୧୩.୩% । ମୁଣ୍ଡପିଛା ବାର୍ଷିକ ଆୟ ଓଡ଼ିଶାବାସୀଙ୍କର ୧ ଲକ୍ଷ ୭୦ ହଜାର ୬୨୦ ଟଙ୍କା ଥିବା ବେଳେ ଗୁଜରାଟର ୨ ଲକ୍ଷ ୪୧ ହଜାର ୫୦୭ । ଗୁଜରାଟ ଓ ଓଡ଼ିଶାର ମଣ୍ଡି ବ୍ୟବସ୍ଥା ଦେଖିଲେ ବି ବିକାଶର ଅନ୍ତର ବେଶ ଜଣାପଡ଼ିବ । ଚାଷୀ ଆଣିଥିବା ସାମଗ୍ରୀଗୁଡ଼ିକ ଗୁଜରାଟରେ ନିଲାମ ମାଧ୍ୟମରେ ବିକ୍ରି ହୋଇଥାଏ । ଅର୍ଥାତ ଫସଲ ଗୁଡ଼ିକର ସର୍ବନିମ୍ନ ସହାୟକ ମୂଲ୍ୟ ଠାରୁ ଅଧିକ ଅର୍ଥ ମଧ୍ୟ ଚାଷୀଙ୍କୁ ମିଳିଥାଏ । କିନ୍ତୁ ଆମ ରାଜ୍ୟରେ ସର୍ବନିମ୍ନ ସହାୟକ ମୂଲ୍ୟ ପାଇଁ ପାଉନାହାନ୍ତି ଚାଷୀ । ତେଣୁ ସମାନ ସମୟ ମଧ୍ୟ ଗୁଜରାଟ ବିକାଶ ବାଇଶି ପାହାଚର ସବୁଠୁ ଉପର ପାହାଚରେ ଥିବା ବେଳେ ଓଡ଼ିଶା ଅବସ୍ଥା କଣ ତାହା ରାଜ୍ୟ ସରକାର ବିଚାର କରିବା କଥା । ତା ନହେଲେ ନିଜ ପିଠି ନିଜେ ଥାପୁଡ଼ି ବଜେଟର ଆକାର ସିନା ବଢ଼ାଯାଉଥିବ କିନ୍ତୁ ଗରିବଙ୍କ ଲାଇନ ବି ବଢ଼ିଚାଲିଥିବ । ପ୍ରତିବର୍ଷ ଆମେ ଖାଦ୍ୟ ସୁରକ୍ଷା ଯୋଜନାରେ ଅଧିକରୁ ଅଧିକ ଲୋକଙ୍କୁ ସାମିଲ କରିବା ପାଇଁ କେନ୍ଦ୍ର ଆଗରେ ନେହୁରା ହେଉଥିବା ।

By

Leave a Reply

Your email address will not be published. Required fields are marked *