Wed. Oct 14th, 2026

ପାଟନା: ସପ୍ତମ ଥର ପାଇଁ ବିହାରର ମୁଖ୍ୟମନ୍ତ୍ରୀ ହେବେ ନୀତିଶ କୁମାର। ପାଟନାରେ ଅନୁଷ୍ଠିତ ଏନ୍‌ଡିଏ ବୈଠକ ପରେ ମୁଖ୍ୟମନ୍ତ୍ରୀ ଭାବେ ନୀତୀଶଙ୍କ ନାଁ ଘୋଷଣା କରିଛନ୍ତି ଦଳୀୟ ପର୍ଯ୍ୟବେକ୍ଷକ ରାଜନାଥ ସିଂହ। ରାଜ୍ୟପାଳଙ୍କୁ ଭେଟି ସରକାର ଗଠନ ଦାବି ରଖିବେ ନୀତୀଶ। ପୂର୍ବରୁ ଜେଡିୟୁ ବିଧାୟକ ଦଳ ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ଆଜି ବିଜେପିର ବିଧାୟକ ଦଳ ବୈଠକ ବସିଥିଲା। ଏଥିରେ ବିଜେପିର ସମସ୍ତ ନବ ନିର୍ବାଚିତ ବିଧାୟକ ଯୋଗ ଦେଇଥିଲେ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଓ ବିହାର ବିଜେପି ପ୍ରଭାରୀ ଦେବେନ୍ଦ୍ର ଫଡନାବିସ ଏହି ବୈଠକରେ ସାମିଲ ହୋଇଥିଲେ। ଚଳିତ ବିହାର ବିଧାନସଭା ନିର୍ବାଚନରେ ମୋଟ୍ ୨୪୩ରୁ ୧୨୫ ସିଟ୍‌କୁ ଅକ୍ତିଆର କରିଛି ଏନ୍‌ଡିଏ।ଏକାକୀ ବିଜେପି ୭୪ ଆସନରେ ଜିତିଥିବା ବେଳେ ଜେଡିୟୁକୁ ମିଳିଛି ୪୩ ଆସନ। ବିକାଶଶୀଳ ଇନ୍‌ସାନ୍ ପାର୍ଟି ଓ ହିନ୍ଦୁସ୍ତାନ ଆଓ୍ୱାମ ମୋର୍ଚ୍ଚା ୪ଟି ଲେଖାଏଁ ଆସନରେ ବିଜୟୀ ହୋଇଛନ୍ତି। ଅନ୍ୟପଟେ ମହାଗଠବନ୍ଧନକୁ ମିଳିଛି ୧୧୦ ସିଟ୍ ମହାଗଠବନ୍ଧନରେ ସାମିଲ ତେଜସ୍ୱୀ ଯାଦବଙ୍କ ଆର୍‌ଜେଡି ସର୍ବାଧିକ ୭୫ ଆସନରେ ବିଜୟୀ ହେବା ସହ ସବୁଠୁ ବଡ଼ ଦଳ ଭାବେ ଉଭା ହୋଇଛି। କଂଗ୍ରେସ ଖାତାକୁ ଯାଇଛି ୧୯ ଆସନ ସେହିପରି ବାମ ଦଳ ୧୬ଟି ଆସନ ଅକ୍ତିଆର କରିଛନ୍ତି। ଅନ୍ୟପଟେ ଏଆଇଏମ୍ଆଇଏମ୍ ୫ଟିରେ ବିଜୟ ଲାଭ କରିଥିବା ବେଳେ ବିଏସ୍‌ପି, ଏଲ୍‌ଜେପି ଓ ସ୍ୱାଧୀନ ପ୍ରାର୍ଥୀ ଗୋଟିଏ ଲେଖାଏଁ ଆସନରେ ବିଜୟୀ ହୋଇଛନ୍ତି।

Leave a Reply

Your email address will not be published. Required fields are marked *