ରାୟଗଡାରେ ଋଷୀୟ ସାଂସଦ ପାୱେଲ ଆନ୍ଥୋବଙ୍କ ସନ୍ଦେହଜନକ ମୃତ୍ୟୁ । ହତ୍ୟା ନା ଆତ୍ମହତ୍ୟା?


ରାୟଗଡାରେ ଦୁଇ ଋଷୀୟ ପର୍ଯ୍ୟଟକଙ୍କ ସନ୍ଦିଗ୍ଧ ମୃତ୍ୟୁକୁ ନେଇ ସନ୍ଦେହ ଘନୀଭୂତ ହେବାରେ ଲାଗିଛି । ହୋଟେଲର ତୃତୀୟ ମହଲାରୁ ଖସିପଡିବା ଯୋଗୁ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଛି । ଦୁଇ ଦିନ ତଳେ ତାଙ୍କ ବନ୍ଧୁଙ୍କ ମୃତଦେହ ମଧ୍ୟ ଉଦ୍ଧାର ହୋଇଥିଲା । ପୋଲିସର ସୂଚନା ଅନୁସାରେ ୬୫ ବର୍ଷୀୟ ପାୱେଲ ଆନ୍ଥୋବ ଶନିବାର ହୋଟଲ ବାହାରୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର ହୋଇଥିଲେ । ତାଙ୍କ ସହଯୋଗୀ ଭ୍ଲାଦିମିର ୱିଡନୋବଙ୍କ ମୃତଦେହ ଗତ ଡିସେମ୍ବର ୨୨ରେ ସେହି ହୋଟେଲରୁ ଉଦ୍ଧାର ହୋଇଥିଲା । ହୋଟଲର ପ୍ରଥମ ମହଲାରେ ତାଙ୍କ ରୁମରେ ବେହୋସ ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇଥିଲା । ତେବେ ତାଙ୍କ ଶବ ପାଖରୁ କିଛି ଖାଲି ବୋତଲ ଉଦ୍ଧାର କରାଯାଇଥିଲା । ଋଷ ଦୂତାବାସ ପକ୍ଷରୁ କୁହାଯାଇଛି ଓଡିଶା ପୋଲିସକୁ ଦୁଇ ଦିନ ଭିତରେ ରାଜ୍ୟର ଗୋଟିଏ ହୋଟେଲରୁ ଦୁଇ ନାଗରିକଙ୍କ ମୃତଦେହ ମିଳିଛି । ତେବେ କୌଣସି ଅପରାଧିକ ଘଟଣା ନେଇ କୌଣସି ପ୍ରମାଣ ମିଳିପାରିନାହିଁ ।
ସୂଚନା ଅନୁସାରେ ପାୱେଲ ଆନ୍ଥୋବ ଋଷର ଜଣେ ସାଂସଦ । ସେ ପୁଟିନଙ୍କ ଜଣେ କଡା ସମାଲୋଚକ । ଘଟଣାରେ ବର୍ତ୍ତମାନ ଏହି ଆଙ୍ଗେଲ ଯୋଡି ହେବା ପରେ ପୋଲିସ ପାଇଁ ଏହା ଜଟିଳ ପରିସ୍ଥିତି ସୃଷ୍ଟି କରିଛି । ପାୱେଲ ଆନ୍ଥୋବଙ୍କୁ ଋଷ ରାଷ୍ଟ୍ରପତିଙ୍କ ବିରୋଧୀ ଭାବେ ଦେଶରେ ଗଣତି କରାଯାଇଥାଏ । ଋଷ ଯେତେବେଳେ ୟୁକ୍ରେନ ଉପରେ ଆକ୍ରମଣ କରିଥିଲା ସେହି ସମୟରେ ପାୱେଲ ଆନ୍ଥୋବ ଏହାକୁ ‘ଆତଙ୍କ’ ଦର୍ଶାଇଥିଲେ । ପାୱେଲ ଆନ୍ଥୋବ ନିଜର ୬୬ତମ ଜନ୍ମଦିନ ପାଳନ ପାଇଁ ରାୟଗଡା ଆସିଥିଲେ । ଏଠାରେ ଛୁଟିକାଟିବା ପାଇଁ ପହଞ୍ଚିଥିଲେ । ରାୟଗଡା ଏସପି ବିବେକାନନ୍ଦ ଶର୍ମା କହିଛନ୍ତି ଯେ ୬୧ ବର୍ଷୀୟ ଭ୍ଲାଦିମିରଙ୍କୁ ଗତ ସପ୍ତାହରେ ହୃଦଘାତ ଆସିବା ପରେ ତାଙ୍କର ମୃତ୍ୟୁ ହୋଇଥିଲା । ତେବେ ଦୁଇ ପର୍ଯ୍ୟଟକଙ୍କ ମୃତ୍ୟୁ ନେଇ କୌଣସି ଅପରାଧିକ ଲିଙ୍କ କଥା ସାମ୍ନାକୁ ଆସିନାହିଁ ।
ଜଣେ ବରିଷ୍ଠ ପୋଲିସ ଅଧିକାରୀଙ୍କ କହିବାନୁସାରେ, ପାୱେଲ ଆନ୍ଥୋବଙ୍କ ମୃତ୍ୟୁ ଆତ୍ମହତ୍ୟା ହୋଇଥାଇପାରେ । ପୋଲିସ ବିଭିନ୍ନ ଦୃଷ୍ଟିଭଙ୍ଗୀକୁ ନେଇ ଯାଞ୍ଚ ଆରମ୍ଭ କରିଦେଇଛି । ତେବେ ଏହା ମଧ୍ୟ ସମ୍ଭାବନା ରହିଛି ଯେ ଛାତରୁ ପଡି ତାଙ୍କର ମୃତ୍ୟୁ ହୋଇଛି ।
ଭ୍ଲାଦିମିର ଏବଂ ପାୱେଲ ଆନ୍ଥୋବଙ୍କ ସହିତ ୪ ଜଣ ପର୍ଯ୍ୟଟକ ଡିସେମ୍ବର ୨୧ରେ କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡି ଗସ୍ତକରିବା ପରେ ରାୟଗଡାରେ ପହଞ୍ଚିଥିଲେ । ସେମାନେ ସ୍ଥାନୀୟ ହୋଟଲରେ ଚେକ ଇନ କରିଥିଲେ । ହୋଟେଲର ରିସେପସନିଷ୍ଟଙ୍କ କହିବାନୁସାରେ ଅପରାହ୍ଣ ସାଢେ ୪ଟାରେ ହୋଟେଲରେ ଚେକ୍-ଇନ କରିଥିଲେ । ସେମାନେ ନିଶାରେ ଥିଲେ ଏବଂ ତାଙ୍କ ପାଖରେ ମଦ ବୋତଲ ମଧ୍ୟ ଥିଲା । ତାଙ୍କ ମଧ୍ୟରୁ ଭ୍ଲାଦିମିରଙ୍କ ମୃତ୍ୟୁ ରାତିରେ ହୋଇଥିଲା । ରୁମ ନଂ ୨୦୩ରେ ପାୱେଲ ଆନ୍ଥୋବ ରହୁଥିଲେ
ଯାଞ୍ଚ ଅଧିକାରୀ ବିବେକାନନ୍ଦ ଶର୍ମାଙ୍କ ମୁତାବିକ, ଡିସେମ୍ବର ୨୧ରେ ୪ ଜଣ ହୋଟେଲରେ ରହିବା ପାଇଁ ଆସିଥିଲେ । ୨୨ ଡିସେମ୍ବର ସକାଳୁ ଭ୍ଲାଦିମିରଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ପୋଷ୍ଟମର୍ଟମ ପରେ ତାଙ୍କର ମୃତ୍ୟୁ ହୃଦଘାତରେ ହୋଇଥିବା ଜଣାପଡିଛି । ତାଙ୍କର ଅନ୍ତିମ ସଂସ୍କାର ମଧ୍ୟ କରାଯାଇଥିଲା । ବନ୍ଧୁଙ୍କ ମୃତ୍ୟୁ ପରେ ତାଙ୍କ ବନ୍ଧୁ ତଥା ଋଷୀୟ ସାଂସଦ ପାୱେଲ ଆନ୍ଥୋବ ଉଦାସ ନଜର ଆସୁଥିଲେ । ଡିସେମ୍ବର ୨୫ରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା ।

You May Also Like

More From Author

+ There are no comments

Add yours