Wed. Oct 14th, 2026

ଚମୋଲି: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଉତ୍ତରାଖଣ୍ଡ ଗସ୍ତରେ ଅଛନ୍ତି। ପ୍ରଥମେ କେଦାରନାଥ ଧାମ ଓ ପରେ ବଦ୍ରିନାଥ ଧାମରେ ଦର୍ଶନ-ପୂଜା କରିବା ସହ ୩୪୦୦ କୋଟି ଟଙ୍କାର ବିକାଶ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି। କେଦାରନାଥ- ବଦ୍ରିନାଥ ରୋପଓ୍ବେ ପ୍ରୋଜେକ୍ଟ ଓ ଚମୋଲି ଜିଲ୍ଶରେ ଥିବା ଭାରତର ସୀମାନ୍ତ ଗାଁ ‘ମାନାରେ ସଂଯୋଗୀକରଣ ପ୍ରକଳ୍ପର ଶିଳାନ୍ୟାସ କରିବା ପରେ ଏକ ଜନସଭାରେ ସମ୍ବୋଧିତ କରିଥିଲେ। ପ୍ରଧାନମନ୍ତ୍ରୀ ‘ମାନା’ ଗାଁରେ ସଡକ ଓ ହେମକୁଣ୍ଡ  ଗ୍ରାମରେ ରାସ୍ତା ଏବଂ ହେମକୁଣ୍ଡ ସାହେବ ରୋପୱେ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି।ଏହା ପରେ ସେ ଆଗମନ ପ୍ଲାଜା ଏବଂ ହ୍ରଦର ବିକାଶ କାର୍ଯ୍ୟର ଅଗ୍ରଗତିର ସମୀକ୍ଷା କରିଥିଲେ। ଏହି ସମୟରେ ପ୍ରଧାନମନ୍ତ୍ରୀ ବଡ ଘୋଷଣା କରି କହିଥିଲେ, ଦେଶରେ ଯେଉଁ ଭଳି ଭାରତମାଳା ଓ ସାଗରମାଳା ପ୍ରୋଜେକ୍ଟ ଚାଲୁଛି ସେଭଳି ‘ପର୍ବତମାଳା’ ପ୍ରୋଜେକ୍ଟ ଆରମ୍ଭ ହେବ। ‘ପର୍ବତମାଳା’ ପ୍ରକଳ୍ପକୁ ଆଗକୁ ବଢାଇବା ପାଇଁ ଉତ୍ତରାଖଣ୍ଡ ହିମାଚଳ ପ୍ରଦେଶରେ ରୋପଓ୍ବେ ଏକ ବଡ ନେଟଓ୍ବର୍କ ଆରମ୍ଭ ହୋଇଛି।

ପ୍ରଧାନମନ୍ତ୍ରୀ ମୋଦି କହିଥିଲେ, ମୋ ପାଇଁ ସୀମାରେ ଥିବା ଦେଶର ସବୁ ଗାଁ ଦେଶର ପ୍ରଥମ ଗାଁ। ସୀମାରେ ଥିବା ଲୋକ ଦେଶର ସଶକ୍ତ ପ୍ରହରୀ। ପୁରୁଣା ଦିନ କଥା ମନେ ପକାଇ ମୋଦି କହିଥିଲେ, ପ୍ରଧାନମନ୍ତ୍ରୀ ହୋଇଗଲି ବୋଲି ଏହି ଗାଁକୁ ମନେପକାଉଛି ତାହା ନୁହେଁ। ୨୫ ବର୍ଷ ପୂର୍ବେ ‘ମାନା’ରେ ମୁଁ ଉତ୍ତରାଖଣ୍ଡ ବିଜେପି କାର୍ଯ୍ୟ ସମିତି ବୈଠକ ଡକାଇଥିଲି। ସେତେବେଳେ କିଛି କର୍ମୀ ମୋ ଉପରେ ଅସନ୍ତୁଷ୍ଟ ଥିଲେ, କାହିଁକି ଏତେ ଦୂରକୁ ବୈଠକ ଡକାଗଲା, ସେହି ଦିନ ସେଠାର ଲୋକଙ୍କର ହୃଦୟରେ ବିଜେପି ସ୍ଥାନ ଗ୍ରହଣ କରିପାରିଥିଲା।ଏହି ସମୟରେ ମୋଦି କହିଥିଲେ, ‘ମାନା’ର ମାଟିରୁ ଗ୍ରାମବାସୀଙ୍କୁ କୃତଜ୍ଞତା ଜଣାଉଛି। ଆମକୁ ସେବାର ଦ୍ବିତୀୟ ଥର ସୁଯୋଗ ଦେଇଥିବାରୁ। ଏହି ପ୍ରକଳ୍ପର ଶିଳାନ୍ୟାସ କରିବାକୁ ମୋତେ ସୁଯୋଗ ମିଳିଲା। ହେମକୁଣ୍ଡ ରୋପଓ୍ବେ ତିଆରି ହେବାଫଳରେ ତୀର୍ଥଯାତ୍ରୀଙ୍କୁ ସୁବିଧା ହେବ। ଯାତ୍ରୀମାନେ ସୁଖଦ ଅନୁଭୂତି ନେଇକି ଯାଇପାରିବେ। ପ୍ରଧାନମନ୍ତ୍ରୀଙ୍କ ଜନସଭା ‘ମାନା’ ଗାଁ ଆର୍ମି କ୍ୟାମ୍ପସ ପାଖରେ ଆୟୋଜିତ ହୋଇଥିଲା। ଏଥିରେ ପ୍ରାୟ ୧୫୦୦ ରୁ ୨୦୦୦ ଲୋକ ଯୋଗ ଦେଇଥିଲେ। ମୁଖ୍ୟ ରୂପରେ ଦେଶର ଶେଷ ଗାଁ ‘ମାନା’ର ଭୋଟିୟା ଜନଜାତିର ଗ୍ରାମବାସୀ ଓ ସ୍ବଂୟ ସହାୟକ ଗୋଷ୍ଠୀର ମହିଳା ଓ ସ୍ଥାନୀୟ ନାଗରିକ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *