ସନ୍ଦେହରେ ଚୀନ ମହିଳା,ଦିଲ୍ଲୀରୁ ଗିରଫ

ସନ୍ଦେହରେ ଚୀନ ମହିଳା । ଚୀନ ପାଇଁ ଗୁଇନ୍ଦାଗିରି ଆଶଙ୍କା । ଦେଶ ବିରୋଧୀ କାର୍ଯ୍ୟକଳାପରେ ଲିପ୍ତ ଥିବା ଅଭିଯୋଗ । ରାଜଧାନୀରୁ ଗିରଫ କଲା ଦିଲ୍ଲୀ ପୋଲିସ ସ୍ପେଶାଲ ସେଲ । ଗିରଫ ଚାଇନାର ମହିଳାଙ୍କ ନାମ କାୟ ରୁଓ ବୋଲି ଜଣାପଡିଛି । ଜାତୀୟ ରାଜଧାନୀ ଦିଲ୍ଲୀରେ ନେପାଳି ସନ୍ୟାସିନୀ ଛଦ୍ମବେଶ ଧାରଣ କରି ବାସ କରୁଥିଲେ ଏହି ଚୀନ ମହିଳା । ନେପାଳୀ ବୋଲି ମିଥ୍ୟା ପରିଚୟ ଦେଇ ଭାରତରେ ବସବାସ କରୁଥିଲେ କାୟ ରୁଓ । ପାଖାପାଖି ୩ବର୍ଷ ହେବ ସେ ଭାରତରେ ରହିଆସୁଥିଲେ । ଅନେକ ଭାଷା ବିଷୟରେ ତାଙ୍କର ଜ୍ଞାନ ରହିଛି । ଏପରିକି ନେପାଳୀ ଭାଷାରେ ଭଲ ଭାବେ କଥାବାର୍ତା ହୋଇପାରୁଥିଲେ ମହିଳା ଜଣକ । ହେଲେ ତାଙ୍କର ଚାଲିଚଳନ ଓ ଅଙ୍ଗଭଙ୍ଗୀ ନେଇ ବଢିଥିଲା ସନ୍ଦେହ । ଚୀନ ପାଇଁ ଗୁପ୍ତଚରଗିରି କରୁଥିବା ଜାଣିବାକୁ ପାଇଥିଲା ଦିଲ୍ଲୀ ପୋଲିସ । ଏନେଇ ଦୀର୍ଘ ସମୟ ଧରି ମହିଳାଙ୍କ ଉପରେ ନଜର ରଖିବା ସହ ଖାନତଲାସ କରିଥିଲା । ତେବେ ଦେଶ ବିରୋଧୀ କାର୍ଯ୍ୟକଳାପରେ ଲିପ୍ତ ଥିବା ଅଭିଯୋଗରେ ଦିଲ୍ଲୀର ମଞ୍ଜୁ କା ତିଲାରୁ ଗିରଫ କରିଛି ସ୍ପେଶାଲ ସେଲ । ମହିଳା ଜଣଙ୍କ ଗୁପ୍ତଚର ପାଇଁ ଭାରତ ଆସିଥିଲେ ବୋଲି ସନ୍ଦେହ କରାଯାଉଛି । ଏନେଇ ଦିଲ୍ଲୀ ପୋଲିସ ସ୍ପେଶାଲ ସେଲ୍ ଦ୍ୱାରା ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ମହିଳାଙ୍କୁ ଅଧିକ ପଚରା ଉଚରା କରାଯାଉଛି । ଏହି ସମୟରେ ପୋଲିସକୁ ମଧ୍ୟ ଆଶ୍ଚର୍ଯ୍ୟ କଲା ଭଳି ତଥ୍ୟ ଦେଇଛନ୍ତି କାୟ ରୁଓ । ଚୀନର କମ୍ୟୁନିଷ୍ଟ ପାର୍ଟିର ନେତାମାନେ ତାଙ୍କୁ ହତ୍ୟା କରିବାକୁ ଚେଷ୍ଟା କରୁଛନ୍ତି ବୋଲି ସେ କହିଛନ୍ତି । ଏହାର ସତ୍ୟତା ଜାଣିବା ପାଇଁ ଅଧିକ ଖୋଳତାଡ ଜାରି ରଖିଛି ସ୍ପେଶାଲ ସେଲ । ତେବେ ଯାଂଚ ବେଳେ ମହିଳାଙ୍କ ପାଖରୁ ଏକ ନେପାଳୀ ନାଗରିକତ୍ୱ ସାର୍ଟିଫିକେଟ ମିଳିଥିଲା । ସେଥିରେ ନେପାଳର ଠିକଣା ଲେଖାହୋଇଛି । ସେ ହେଉଛନ୍ତି କାଠମଣ୍ଡୁବାସିନୀ ଦୋଲ୍‌ମା ଲାମା । ଏକ ବୌଦ୍ଧ ଭିକ୍ଷୁ ରୂପରେ ରହୁଥିଲେ କାୟ ରୁଓ ଓରଫ ଦୋଲ୍‌ମା । ଏନେଇ ଫରେନ ରିଜିଓନାଲ ରେଜଷ୍ଟ୍ରେସନ ଅଫିସ ସହିତ ଯୋଗାଯୋଗ କରିଥିଲା ପୋଲିସ । ପରେ ଜଣାପଡିଥିଲା ଯେ, ଗିରଫ ମହିଳା ଜଣଙ୍କ ଚୀନର ନାଗରିକ । ଏବଂ ୨୦୧୯ରେ ସେ ଜଣେ ଚୀନ ବ୍ୟକ୍ତି ଭାବେ ଭାରତକୁ ଆସିଥିଲେ । ତେଣୁ ଆଇପିସି ଓ ଫରେନ ଆକ୍ଟ ଆଧାରରେ ଧାରା ୧୨୦ବି, ୪୧୯, ୪୨୦, ୪୬୭ରେ ମାମଲା ରୁଜୁ ହୋଇଛି । ୧୪ଦିନ ପାଇଁ କାୟ ରୁଓଙ୍କୁ ପୋଲିସ ହେପାଜତକୁ ପଠାଇ ଦିଆଯାଇଛି ।

You May Also Like

More From Author

+ There are no comments

Add yours