ଜରାଜୀର୍ଣ୍ଣ ଅବସ୍ଥାରେ ଉତ୍କଳମଣିଙ୍କ ବାସଭବନ

ରିପୋର୍ଟ:ପ୍ରିୟବ୍ରତ ମିଶ୍ର,ବାରିପଦା
ଇତିହାସ ର ସ୍ୱର୍ଣ୍ଣାକ୍ଷର ରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛି ଅବିଭକ୍ତ ଜିଲ୍ଲା ମୟୁରଭଞ୍ଜ । ଯାହାର ସଂସ୍ପର୍ଶରେ ଆସିଥିବା ବିଭିନ୍ନ ମହାପୁରୁଷ ମାନେ ମଧ୍ୟ ମୋହରେ ପଡି ଏଠାରେ ନିଜ ଜୀବନର କିଛି ସମୟ ଅତିବାହିତ କରି ସାରିଛନ୍ତି । ଯେଉଁ ମାନଙ୍କ ମଧ୍ୟରେ ଉତ୍କଳମଣୀ ଗୋପବନ୍ଧୁ ଦାସ ଅନ୍ୟତମ । ଏ ଜିଲ୍ଲାରେ ନିଜର କର୍ମମୟ ଜୀବନର ଅୟମାରମ୍ଭ କରି ନିଜର କିଛି ଗୌରବାନ୍ୱିତ ସ୍ମୃତିକୁ ଛାଡି ଦେଇଛନ୍ତି ଏଠାରେ । ହେଲେ ରକ୍ଷଣାବେକ୍ଷଣ ଅଭାବରୁ ଏ ସବୁ ଏବେ ଜରାଜୀର୍ଣ୍ଣ ଅବସ୍ଥାରେ ପଡି ରହିଛି । ଜିଲ୍ଲା ର ସଦର ମହକୁମା ବାରିପଦା ସହରରେ ଥିବା ଉତ୍କଳମଣିଙ୍କର ବାସଭବନ ସେଥିମଧ୍ୟରୁ ଅନ୍ୟତମ । ତତ୍କାଳୀନ ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓଙ୍କ ପାଖରେ ନିଜର ଚାକିରୀ ଜୀବନ ଆରମ୍ଭ କରିଥିବା ଏହି ମହାପୁରୁଷଙ୍କ କାର୍ଯ୍ୟଦକ୍ଷତା ଉପରେ ପ୍ରଭାବିତ ହୋଇ ତାଙ୍କୁ ୧୯୦୫ ମସିହାରେ ପ୍ରତିଷ୍ଠିତ ହୋଇଥିବା ବାରିପଦା ପୌରପରିଷଦ ର ସେ ପ୍ରଥମ ଉପନଗରପାଳ ଭାବେ ନିଯୁକ୍ତ କଲେ । ସେତେବେଳେ ନଗରପାଳ ରହିଥିଲେ ଲାଲ୍‌ସାହେବ ଗିରିଶ ଚନ୍ଦ୍ର ଭଞ୍ଜଦେଓ । କେବଳ ସେତିକି ନୁହେଁ, ଏହି ଜିଲ୍ଲାରେ ହିଁ ସେ ଜଣେ ଆଇନ ଛାତ୍ର ଭାବେ ମଧ୍ୟ ଜୀବନ ଅତିବାହିତ କରିଥିଲେ । ଜିଲ୍ଲାରେ ଥିବା ସମୟରେ ସ୍ଥାନୀୟ ଲାଲବଜାର ଠାରେ ରହୁଥିଲେ ଗୋପବନ୍ଧୁ । ତାଙ୍କ ବାସଭବନ ଏବେ ବି ମୁକସାକ୍ଷୀ ଭାବେ ଏବେ ବି ରହିଛି ଏଠାରେ । ହେଲେ ପ୍ରାଶାସନିକ ହେଉ ଅଥବା କୌଣସି ସ୍ୱେଚ୍ଛାସେବୀ ଅନୁଷ୍ଠାନ ମାନଙ୍କ ଦୃଷ୍ଟି ଆଢୁଆଳରେ ରହି ଯାଇଥିବା ଉତ୍କଳମଣୀଙ୍କ ବାସଭବନ ଏବେ ସମ୍ପୂର୍ଣ୍ଣ ଜରାଜୀର୍ଣ୍ଣ ଅବସ୍ଥାରେ ପଡି ରହିଛି ।

ଯେଉଁ ମହାତ୍ମାଙ୍କୁ ନେଇ କେବଳ ମୟୂରଭଞ୍ଜ ଜିଲ୍ଲା ନୁହେଁ, ସାରା ଓଡିଶା ଗର୍ବ ମନେ କରେ, ଆଜି ତାଙ୍କ ବାସଭବନ ପଡି ରହିଛି ଅପନ୍ତରା ଅବସ୍ଥାରେ ଜୀର୍ଣ୍ଣଶୀର୍ଣ୍ଣ ହୋଇ । ଏଥିପ୍ରତି କେହି ଯଦି ସାମାନ୍ୟ ଦୃଷ୍ଟି ଦିଅନ୍ତେ ତେବେ ଏହାର ଅବସ୍ଥାରେ ସୁଧାର ଆସି ପାରନ୍ତା ବୋଲି କହନ୍ତି ସ୍ଥାନୀୟ ବାସିନ୍ଦା । କେବଳ ସେତିକି ନୁହେଁ, ଜିଲ୍ଲାରେ ଥିବା ଉତ୍କଳମଣିଙ୍କ ବାସଭବନକୁ ପୁନରୁଦ୍ଧାର କରାଯିବା ସହିତ ଏହାକୁ ଏକ ସଂଗ୍ରହାଳୟରେ ପରିଣତ କରିବାକୁ ଦାବି କରିଛନ୍ତି । ତେବେ ପୂଜ୍ୟପୂଜାକୁ ନେଇ ଡିଣ୍ଡିମ ପିଟୁଥିବା ବେଳେ ଏଭଳି ଜଣେ ମହାତ୍ମାଙ୍କ ପ୍ରତି ସରକାରଙ୍କ ବୈମାତୃକ ମନୋଭାବ କୁ ନେଇ ଜିଲ୍ଲାବାସୀଙ୍କ ମନରେ ଦେଖା ଦେଇଛି ଗଭୀର ପ୍ରତିକ୍ରିୟା । ଆଗାମୀ ଦିନରେ ଏହି ମହାତ୍ମାଙ୍କ ବାସଭବନର ପୁନରୁଦ୍ଧାର କରାଯାଇ ଏହାକୁ ଏକ ସଂଗ୍ରହାଳୟରେ ପରିଣତ କରି ପାରିଲେ ପ୍ରକୃତରେ ଏହା ହିଁ ହେବ ପ୍ରକୃତ ପୂଜ୍ୟପୂଜା ବୋଲି ସାଧାରଣରେ ଚର୍ଚ୍ଚା ହୁଏ ।

You May Also Like

More From Author

+ There are no comments

Add yours