ସାଉଦି ଆରବକୁ ଭାରତର କଡ଼ା ଜବାବ; ଭାଙ୍ଗିଲା ଏକଛତ୍ରବାଦ

ତୈଳ ବଜାରରେ ଆଧିପତ୍ୟ ଜାହିର କରି ରଖିଥିବା ମୁସଲିମ ଦେଶସମୂହର ଏକଚ୍ଛତ୍ରବାଦ ଆଜି ଧୂଳିସାତ ହୋଇଛି। ଯାହାକୁ ଭାରତ ପ୍ରଥମଥର ଭାଙ୍ଗିରୁଜି ଚୁରମାର କରିଦେଇଛି। କାରଣ ଭାରତକୁ ରୁଷ୍ ରୂପରେ ଏଭଳି ଏକ ବିକଳ୍ପ ମିଳିଯାଇଛି, ଯାହାଦ୍ଵାରା ମୁସଲିମ ଦେଶଗୁଡ଼ିକ ଏଣିକି ଇନ୍ଧନ ତୈଳକୁ ନେଇ ଭାରତକୁ ବ୍ଲାକମେଲ କରିବା ପୂର୍ବରୁ ଶହେଥର ଚିନ୍ତା କରିବେ। ପ୍ରଥମ ଥର ଏମିତି ହୋଇଛି, ଯେତେବେଳେ ଇନ୍ଧନ ତୈଳ ଯୋଗାଣରେ ଭାରତ ନିଜର ପ୍ରମୁଖ ସହଯୋଗୀ ସାଉଦି ଆରବ ନିକଟରୁ ତୈଳ ଆମଦାନୀ ଯଥେଷ୍ଟ କମ୍ କରି ଦେଇଛି। ଅପରପକ୍ଷରେ ଯେଉଁ ରୁଷଠାରୁ ସବୁଠୁ କମ୍ ତେଲ କିଣୁଥିଲା, ଏବେ ଭାରତକୁ ତେଲ ରପ୍ତାନି କରିବା କ୍ଷେତ୍ରରେ ସେ ଦ୍ଵିତୀୟ ସ୍ଥାନ ହାସଲ କରିଛି।

ଭାରତ ସାଉଦି ଆରବର ବିକଳ୍ପ ଭାବରେ ରୁଷକୁ ବାଛିଥିବାରୁ ଏବେ ରୁଷ୍-ସାଉଦି ଆରବ ସାମ୍ନାସାମ୍ନି ହୋଇଛନ୍ତି। ବର୍ଷକ ତଳେ ଭାରତର ବାରମ୍ବାର ଅନୁରୋଧ ସତ୍ତ୍ୱେ ସାଉଦି ଆରବ ତୈଳ ଉତ୍ପାଦନ ଏବଂ ରପ୍ତାନି ନ ବଢ଼ାଇବାରୁ ଏଭଳି ଏକ ନିଷ୍ପତ୍ତି ଜରିଆରେ ଭାରତ ବି ଦେଇଛି ଏକ ବଡ଼ ଝଟକା। ସାଉଦି ଆରବର ଏହି ହୁଙ୍କାପିଟା ନୀତି ଯୋଗୁଁ ଭାରତରେ ତୈଳଦର ବି ବୃଦ୍ଧି ପାଇଥିଲା। ଏ ସମୟରେ ୟୁକ୍ରେନ-ରୁଷ୍ ଯୁଦ୍ଧ ଏବଂ ସମୟର ଚକ ଘୂରିଯିବାରୁ ଏବେ ସାଉଦି ଆରବ ଭାରତ ପରି ଏକ ବଡ଼ ବଜାରକୁ ହରାଇବାକୁ ଯାଉଛି।

ବର୍ତ୍ତମାନ ଭାରତକୁ ସର୍ବାଧିକ ତୈଳ ରପ୍ତାନିରେ ଇରାକ ପରେ ରୁଷର ସ୍ଥାନ ଦ୍ୱିତୀୟ। ସାଉଦି ଆରବ ତୁଳନାରେ ବ୍ୟାରେଲ ପିଛା ୧୯ ଡଲାର କମ୍ ଦାମରେ ତେଲ ବିକୁଛି ରୁଷ୍। ତେଣୁ ଏହାପୂର୍ବରୁ ଭାରତକୁ ତୈଳ ରପ୍ତାନି କ୍ଷେତ୍ରରେ ନବମ ସ୍ଥାନରେ ଥିବା ରୁଷ୍ ଏବେ ଏକାବେଳକେ ଦ୍ୱିତୀୟ ସ୍ଥାନରେ ପହଞ୍ଚି ଯାଇଛି। ସେପଟେ ଚୀନ ମଧ୍ୟ ରୁଷ୍ ତୈଳର ସବୁଠାରୁ ବଡ଼ ଉପଭୋକ୍ତା ପାଲଟିଛି। ଫଳରେ ଇସଲାମିକ୍ ଦେଶସମୂହର ଅଖଣ୍ଡ ପ୍ରଭୁତ୍ୱବିଶିଷ୍ଟ ‘ଓପେକ୍ ପ୍ଲସ’ ପାଇଁ ଭାରତ ଏବଂ ଚୀନ ହଠାତ ଅଶୋଧିତ ଇନ୍ଧନ ତୈଳ ଆମଦାନୀ କମ୍ କରିଦେବା ଏକ ଚଡ଼କ ସଦୃଶ ହୋଇଛି।

ସରକାରୀ ପରିସଂଖ୍ୟାନ କହୁଛି, ବିଶ୍ୱସ୍ତରରେ ତୈଳଦର ବୃଦ୍ଧି ସାଙ୍ଗକୁ ଇନ୍ଧନର ଚାହିଦା ବଢ଼ିବା ପରଠାରୁ ଦ୍ୱିତୀୟ କ୍ୱାର୍ଟରରେ ଅର୍ଥାତ୍ ଏପ୍ରିଲରୁ ଜୁନ୍ ମଧ୍ୟରେ ଅଶୋଧିତ ତୈଳ ଆମଦାନୀ ବିଲ୍ ହେଉଛି ୪୭.୫ ବିଲିୟନ ଡଲାର, ଯାହା ଗତବର୍ଷ ସମାନ ଅବଧିରେ ଥିଲା ୨୫.୧ ବିଲିୟନ ଡଲାର। ଉଲ୍ଲେଖନୀୟ କଥା ‌ହେଉଛି, ସେତେବେଳେ ତେଲର ଦାମ୍ ମଧ୍ୟ କମ୍ ଥିଲା। ଭାରତ ହଠାତ୍ ଆମଦାନୀ କମାଇ ଦେବାରୁ ସାଉଦି ଆରବ ୟୁରୋପୀୟ ଦେଶଗୁଡ଼ିକୁ ତୈଳ ରପ୍ତାନି କରି ନିଜ କ୍ଷତି ଭରଣା କରିବାକୁ ଚେଷ୍ଟା ଚଳାଇଛି।

ଅବଶ୍ୟ ରୁଷ୍ ଜୁନ ମାସ ପରଠାରୁ ତୈଳ ଉପରେ ରିହାତିକୁ ୧୯ ଡଲାରରୁ ୧୩ ଡଲାରକୁ କମାଇ ଦେଇଛି। ଏବେ ଭାରତ ବ୍ୟାରେଲ ପିଛା ୧୦୨ ଡଲାର ମୂଲ୍ୟରେ ରୁଷଠାରୁ ତେଲ କିଣୁଛି। ଏଥିସହ ଭବିଷ୍ୟତକୁ ଆଖି ଆଗରେ ରଖି ତେଲ ଗଚ୍ଛିତ କରି ରଖୁଛି ଭାରତ। ସେଇଥିପାଇଁ ହିଁ ଚାଲିଛି ଅଧିକରୁ ଅଧିକ ତେଲକିଣା।

You May Also Like

More From Author

+ There are no comments

Add yours