Thu. Oct 15th, 2026

ଚଳିତ ବର୍ଷ ଓଡ଼ିଶାର ସାତକୋଶିଆର ଗର୍ଜ ଆର୍ଦ୍ରଭୂମିରେ ରାମସାର କ୍ଷେତ୍ରର ମୋହର ବାଜିଛି। ଏହି ଗର୍ଜ ହେଉଛି ଦୁଇ ପର୍ବତ ମଧ୍ୟରେ ସଙ୍କୁଚିତ ଜଳ ମାର୍ଗ। ଏଥି ସହିତ ଦେଶର ଆଉ ୧୦ ଆର୍ଦ୍ରଭୂମିକୁ ବି ଏହି ମାନ୍ୟତା ମିଳିଛି। ଫଳରେ ଦେଶର ମୋଟ ରାମସାର କ୍ଷେତ୍ର ସଂଖ୍ୟା ୬୪ରେ ପହଞ୍ଚିଛି। ଅନ୍ତର୍ଜାତୀୟ ଗୁରୁତ୍ୱ ବହନ କରୁଥିବା ଦେଶର ମୋଟ ୧୨,୫୦,୩୬୧ ହେକ୍ଟର ଆର୍ଦ୍ରଭୂମି ଏହି କ୍ଷେତ୍ରରେ ବର୍ତ୍ତମାନ ସୁଦ୍ଧା ସାମିଲ ହୋଇଛନ୍ତି।

ଚଳିତ ଥର ତାମିଲନାଡ଼ୁର ୬ ଆର୍ଦ୍ରଭୂମି, ଗୋଆ, କର୍ଣ୍ଣାଟକ, ମଧ୍ୟପ୍ରଦେଶର ଗୋଟିଏ ଲେଖାଏଁ ଆର୍ଦ୍ରଭୂମିକୁ ବି ଏହି ମାନ୍ୟତା ଦିଆଯାଇଛି। ସେଗୁଡ଼ିକ ମଧ୍ୟରେ ରହିଛି ତାମିଲନାଡୁର କୁନ୍ତନକୁଲମ ପକ୍ଷୀ ଅଭୟାରଣ୍ୟର ୭୨.୦୪ ହେକ୍ଟର କ୍ଷେତ୍ରଫଳ ବିଶିଷ୍ଟ ଆର୍ଦ୍ରଭୂମି। ଗତବର୍ଷ ନଭେମ୍ବର ୮ ତାରିଖରେ ଏହାକୁ ରାମସାର କ୍ଷେତ୍ର ମାନ୍ୟତା ମିଳିଛି। ସେହିପରି ଓଡ଼ିଶାର ସାତକୋଶିଆ ଗର୍ଜର ୯୮୧୯୬.୭୨ ହେକ୍ଟର କ୍ଷେତ୍ରଫଳର ଆର୍ଦ୍ରଭୂମିକୁ ଏଥିରେ ସାମିଲ କରାଯାଇଛି। ଏହାକୁ ଗତବର୍ଷ ଅକ୍ଟୋବର ୧୨ରେ ମାନ୍ୟତା ମିଳିଛି। ଗୋଆର ନନ୍ଦାହ୍ରଦାଞ୍ଚଳର ୪୨.୦୧ ହେକ୍ଟର କ୍ଷେତ୍ରଫଳ ବିଶିଷ୍ଟ ଆର୍ଦ୍ରଭୂମିକୁ ରାମସାର କ୍ଷେତ୍ରର ମୋହର ଲାଗିଛି। ଗତ ଜୁନ ୮ ତାରିଖରେ ଏହି ମାନ୍ୟତା ମିଳିଛି।


ସେହିପରି ତାମିଲନାଡୁର ମନ୍ନାର ତଟବର୍ତ୍ତୀ ସାମୁଦ୍ରିକ ଜୈବ ମଣ୍ଡଳ ଅଭୟାରଣ୍ୟର ୫୨୬୭୧.୮୮ ହେକ୍ଟର କ୍ଷେତ୍ରଫଳ ବିଶିଷ୍ଟ ଆର୍ଦ୍ରଭୂମି ବି ଏହି ମାନ୍ୟତା ହାସଲ କରିଛି। ଏହି ମାନ୍ୟତା ମିଳିଛି ଗତ ଏପ୍ରିଲ ୮ ତାରିଖରେ। କର୍ଣ୍ଣାଟକର ରଙ୍ଗନାତିଟ୍ଟୁ ବିଏସ ଅଞ୍ଚଳର ୫୧୭.୭୦ ହେକ୍ଟର କ୍ଷେତ୍ରଫଳ ବିଶିଷ୍ଟ ଆର୍ଦ୍ରଭୂମିକୁ ଗତ ଫେବୃଆରୀ ୧୫ ତାରିଖରେ ଏହି ମାନ୍ୟତା ମିଳିଛି। ତାମିଲନାଡୁର ଭେମ୍ବାନସୁର ଆର୍ଦ୍ରଭୂମି ପରିସରର ୧୯.୭୫ ହେକ୍ଟର କ୍ଷେତ୍ରଫଳକୁ ଗତ ଏପ୍ରିଲ ୮ ତାରିଖରେ ରାମସାର କ୍ଷେତ୍ରର ମାନ୍ୟତା ମିଳିଛି।

ଅନ୍ଯପକ୍ଷେ ତାମିଲନାଡୁର ଭେଲ୍ଲୋଡ଼ ପକ୍ଷୀ ଅଭୟାରଣ୍ୟର ୭୭.୧୯ ହେକ୍ଟର କ୍ଷେତ୍ରଫଳ ବିଶିଷ୍ଟ ଆର୍ଦ୍ରଭୂମିକୁ ଗତ ଏପ୍ରିଲ ୮ ତାରିଖରେ ଏହି ମାନ୍ୟତା ମିଳିଛି। ମଧ୍ୟପ୍ରଦେଶର ସିରପୁର ଅଞ୍ଚଳର ୧୬୧ କ୍ଷେତ୍ରଫଳ ବିଶିଷ୍ଟ ଆର୍ଦ୍ରଭୂମିକୁ ଗତ ଜାନୁ୍ଆରୀ ୭ ତାରିଖରେ ଏହି ମାନ୍ୟତା ମିଳିଛି। ତାମିଲନାଡୁର ବେଦାନ୍ତଙ୍ଗଲ ପକ୍ଷୀ ଅଭୟାରଣ୍ୟର ୪୦.୩୫ ହେକ୍ଟର କ୍ଷେତ୍ରଫଳ ବିଶିଷ୍ଟ ଆର୍ଦ୍ରଭୂମିକୁ ଗତ ଏପ୍ରିଲ ୮ ତାରିଖରେ ଏହି ମୋହର ଲାଗିଛି। ସେହିପରି ତାମିଲନାଡୁର ଉଦୟମାର୍ତ୍ତଣ୍ଡପୁରମ ପକ୍ଷୀ ଅଭୟାରଣ୍ୟର ୪୩.୭୭ ହେକ୍ଟର କ୍ଷେତ୍ରଫଳ ବିଶିଷ୍ଟ ଆର୍ଦ୍ରଭୂମିକୁ ବି ସେହି ସମାନ ତାରିଖରେ ରାମସାର କ୍ଷେତ୍ର ରୂପେ ଗଢାଯାଇଛି। ୧୯୭୧ ମସିହାରେ ଇରାନରେ ରାମସାର କନଭେନ୍ସନ ସ୍ବାକ୍ଷରିତ ହୋଇଥିଲା । ଏଥିରେ ଭାରତ ଅନ୍ୟତମ ଚୁକ୍ତିବଦ୍ଧ ପକ୍ଷ ରହିଛି । ଫେବୃଆରୀ ପହିଲା ୧୯୮୨ରେ ଭାରତ ଏଥିରେ ସ୍ୱାକ୍ଷର କରିଥିଲା ।

Leave a Reply

Your email address will not be published. Required fields are marked *