ଆଦ୍ୟ ଆଷାଢ଼ର ସଂକ୍ରାନ୍ତିରେ ଓଡ଼ିଶାର ପୁରପଲ୍ଲୀଠାରୁ ଆରମ୍ଭ କରି ସହରୀ ଜୀବନଚର୍ଯ୍ୟାରେ ପାଳିତ ହୁଏ ରଜପର୍ବ। ଗାଁ ପରିବେଶରେ ରଜ ଏକ ଉତ୍ସବ ନୁହେଁ ଏକ ସଂସ୍କୃତି। ସହରରେ ରଜ ଟିକେ ନିଆରା, କିଛି କୃତ୍ରିମ। ହେଲେ କେଉଁଠି ବି ହଜିନି ରଜ ମଉଜର ନିଶା।
ରଜପର୍ବର ମୁଖ୍ୟ ଆକର୍ଷଣ ହେଲା ରଜଦୋଳି । ଏହା ସହ ପୋଡପିଠା ସହ ବିଭିନ୍ନ ପ୍ରକାର ପିଠା ଓ ରଜ ପାନ। ଆମ ଐତିହ୍ୟ ଓ ପରମ୍ପରାରେ ପ୍ରାୟ ଚଉଦ ପ୍ରକାର ଦୋଳିର ପ୍ରକାର ଭେଦ ଅଛି। ରାମଦୋଳି, ବାଉଁଶ ଦୋଳି, ଦଉଡି ଦୋଳି, ଶଗଡ଼ ଅଖରେ ଦୋଳି ଇତ୍ୟାଦି। ହେଲେ ରଜଦୋଳି ରଜ ଗୀତ ବିନା ଅଧୁରା।
“ବନସ୍ତେ ଡାକିଲା ଗଜ
ବରଷକେ ଥରେ ଆସିଛି ରଜ
ଆସିଛି ରଜଲୋ
ଘେନି ନୂଆ ସଜବାଜ
ବଉଳଲୋ ଘେନି ନୂଆ ସଜବାଜ
ପଣଷ ପାଚିଲା ବନେ
ବନ ପୋଡିଗଲେ ଦୁନିଆ ଜାଣେଲୋ
ମନକଥା କିଏ ଜାଣେ ?
ଶଙ୍ଖ ମଲମଲ ଗିନା
ଦରଦ ଜାଣେଲୋ ଦରଦୀ ସିନାଲୋ
ବଣିଆ ଚିହ୍ନେଟି ସୁନା।
ନିମ୍ବର ବୁକେ ଚନ୍ଦନ
ଦେବତା ଗଢିଲା ନାରୀ ଜୀବନଲୋ
ଦେଲା ତହିଁ ଯଉବନ।
ବାଜିଲା ତେଲିଙ୍ଗି ବାଜା
ରସିକ ଯେ ଜାଣେ ସ୍ନେହର ମଜାରେ
ସେ ସିନା ମୋ ମନ ରାଜା।
ପାଚିଲା ଭଇଁଚ କୋଳି
ବେକରେ ନାଇଚି ଗଜରା ମାଳିଲୋ
ଝୁଲାଅ ରଜର ଦୋଳି।
ପୋଖରୀ ତୁଠ ପଥର
ତତେ ଦେଖିଥିଲି ବାଲିବନ୍ଧରେ ଲୋ
ଆଖିଥିଲା ଏଣେ ତୋର…”
ରଜର ମୁଖ୳ ଆକର୍ଷଣ ସାଜିଥିବା ରଜ ଗୀତ କେତେ ଶହବର୍ଷ ପୁରୁଣା ତାହା କହିବା କଷ୍ଟ। ଗାଁ ଗହଳର ଅଶିକ୍ଷିତ ଝିଅ ବୋହୁମାନେ ହିଁ ଏହି ସବୁ ଲୋକଗୀତର ସ୍ରଷ୍ଟା।
କେବଳ ଏତିକି ରେ ସରିନି ଏହି ଲୋକଗୀତ। ରଜକୁ ନେଇ କେତେ ଯେ କବି ନିଜ କଲମ ମୁନରେ ଲେଖିଯାଇଛନ୍ତି କବିତାମାଳ।
“ରଜ ତିନିଦିନ ଖାଇ ପୋଡପିଠା
ଗ୍ରାମ ଆମ୍ବତୋଟା ତଳେ
ଖେଳନ୍ତି ଉଦ୍ଦାମେ ବାଗୁଡି ,ଦାଣ୍ଡିଆ
ପଲ୍ଲୀ-ଯୁବକ ସକଳେ।”
(ପଲ୍ଲୀକବି ନନ୍ଦ କିଶୋର)
“ଆଗରୁ କହିଛି ରେବତୀ ଆଈକୁ
କାନେ କାନେ ତାର ପକାଇ ରାଣ,
ଡାକିଦେବୁ ମୋତେ ବଡି ସକାଳୁଟି
ନୋହିଲେ ଦେଖିଥା ବାଜିବ ଟାଣ ।
କାଉ ନରାବୁଣୁ ସବୁରି ଆଗରୁ,
ଉଠାଇ ଦେବୁଲୋ ଶେଯରୁ ମୋତେ
ଆଗହୋଇ ମୁହିଁ ସୁନାପାଗ ନେବି
ଦେବୁ କି ନାହିଁ ତୁ କହନି ଏତେ ?
(ପହିଲି ରଜ)ସଚ୍ଚିଦାନନ୍ଦ ରାଉତରାୟ
“ବେଶ ପରିପାଟୀ ଆଜିର ଆହା କି ମନୋହର
ଦୁର୍ଲଭ ସାରା ମରତେ ସତେ ଉପମା ତାର
ଚଳିଲେ ବାଳୀଏ ଫୁଟାଇ ପଥେ କମଳ-କଳୀ
“ରଜଘରେ” ଆଜି ଖେଳିବ ବୋଲି ହରଷେ ଦୋଳି।
(ନାରୀକବି ବିଦ୍ୟୁତ ପ୍ରଭା ଦେବୀ)
ଆଜିର ଆଧୁନିକ ସମାଜରେ ସବୁକିଛି ମଡର୍ଣ୍ଣ ହେବାରେ ବସିଲାଣି। ଏହା ସତ୍ତ୍ବେ ବି ଓଡ଼ିଆମାନେ ଜାବୁଡ଼ି ରଖିଛନ୍ତି ଏହି ପରମ୍ପରା ।
+ There are no comments
Add yours