Wed. Oct 14th, 2026

ମହାପ୍ରଭୁଙ୍କ ସ୍ନାନଯାତ୍ରା ପରେ ଆରମ୍ଭ ହୋଇଥାଏ ମହାପ୍ରଭୁଙ୍କ ଗୁପ୍ତନିତି ଅଣସର ନୀତି । ଏଥିରେ ଭକ୍ତ ଭଗବାନଙ୍କୁ ସ୍ଵଚକ୍ଷୁ ରେ ଦେଖିପାରେନି। ୧୫ଦିନ ଚାଲେ ମହାପ୍ରଭୁଙ୍କ ଅନବସର ବା ଅଣସର ନୀତି। ସ୍ନାନ ପୂର୍ଣ୍ଣିମା ରେ ଅତ୍ୟଧିକ ଗାଧୋଇବା ହେତୁ ମହାବାହୁ ଜ୍ବରରେ ପଡନ୍ତି। ଏବଂ ଏହି ଅଣସର ରେ ମହାପ୍ରଭୁଙ୍କୁ ଚିକିତ୍ସା କରିବାର ବିଧି ମଧ୍ୟ ରହିଛି। ତେବେ ଏହି ସମୟରେ ଚତୁର୍ଦ୍ଧାମର୍ତ୍ତିଙ୍କ ଦର୍ଶନ ମିଳିନଥାଏ। ମହାପ୍ରଭୁଙ୍କ ପ୍ରତିବଦଳରେ ପଟିଦିଅଁ ପୂଜା ପାଇଥାନ୍ତି। ତେବେ ଏହି ସମୟରେ ବ୍ରହ୍ମଗିରିର ଅଲାରନାଥଙ୍କୁ ଦର୍ଶନ କରିବାର ଲୋକମତ ରହିଛି। ଯେଉଁ ଦର୍ଶନରେ କୋଟି ପୂଣ୍ୟ ଫଳ ମିଳେ ବୋଲି କୁହାଯାଏ। ମହାପ୍ରଭୁଙ୍କ ଅଣସର ନୀତି ଆରମ୍ଭ ହୋଇଥିବା ବେଳେ ଅଲାରନାଥଙ୍କ ଦର୍ଶନ ମଧ୍ୟ ଆରମ୍ଭ ହୋଇଛି। ଅଲାରନାଥଙ୍କ ନୀତି ନିର୍ଘଣ୍ଟ ଅନୁଯାୟୀ ଭୋରରୁ ଦ୍ଵାର ଫିଟା, ମଙ୍ଗଳ ଆଳତି, ତଡପଲାଗି ପରେ ସାଧାରଣ ଦର୍ଶନ ଆରମ୍ଭ ହୋଇଛି । ଭୋର ୪ଟାରୁ ଦ୍ବାର ଫିଟାଯିବା ପରେ ମନ୍ଦିରର ସମସ୍ତ ନୀତିକାନ୍ତି ଆରମ୍ଭ ହୋଇଛି । ପ୍ରଥମ ଦିନରେ ବହୁ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି ।
ଏହି ଦର୍ଶନ ଚତୁର୍ଦ୍ଧାମୂର୍ତ୍ତିଙ୍କ ନବ ଯୌବନ ବେଶ ଦର୍ଶନ ପର୍ଯ୍ୟନ୍ତ ଚାଲିବ । ଅଣସର ସମୟରେ ଅଲାରନାଥଙ୍କୁ ଦର୍ଶନ କଲେ କୋଟି ପୂଣ୍ୟ ପ୍ରାପ୍ତି ହୁଏ । ଶ୍ରୀମନ୍ଦିର ରତ୍ନ ସିଂହାସନରେ ତିନି ଠାକୁରଙ୍କ ଦର୍ଶନ ମିଳୁନଥିବା ବେଳେ ଅଲାରନାଥଙ୍କୁ ଦର୍ଶନ କରି ନିଜ ମନସ୍କାମନା ପୂର୍ଣ୍ଣ କରିଥାଏ । ଶ୍ରୀମନ୍ଦିର ଭୋଗନୀତି ପରି ଏଠାରେ ମଧ୍ୟ ଭୋଗ ଅନୁଷ୍ଠିତ ହୁଏ । ସକାଳ ୮ଟାରେ ବାଳଭୋଗ, ସକାଳ ଧୂପରେ ଅଣ୍ଡି, ଖେଚେଡ଼ି, ଡାଲି ଓ ତରକାରୀ ଭୋଗ କରାଯାଏ । ମଧ୍ୟାହ୍ନରେ କ୍ଷୀର ଭୋଗ କରାଯାଇ ପହୁଡ଼ ପଡ଼େ । ରାତିରେ ଦହି ପଖାଳ ଓ ଭଜା ଭୋଗ କରାଯାଏ । ଶ୍ରୀଅଲାରନାଥଙ୍କ ଦୁର୍ଲଭ କ୍ଷୀରି ଭୋଗ ସବୁଠାରୁ ପ୍ରିୟ । ଶ୍ରୀମନ୍ଦିର ଭଳି ଏଠାରେ ପ୍ରଭୁ ଅଲାରନାଥଙ୍କ ଦୈନଦିନ ଆଳତୀ, ଅବକାଶ, ବଲ୍ଲଭ, ଅନ୍ନଭୋଗ, ଚନ୍ଦନ ଲାଗି, ବଡ଼ସିଂହାର ବେଶ, ପହୁଡ଼ ଇତ୍ୟାଦି ନୀତି ଅନୁଷ୍ଠିତ ହୋଇଥାଏ । ତେବେ ମହାପ୍ରଭୁଙ୍କ ପ୍ରତ୍ୟେକ ଦିନର ଦର୍ଶନରେ ଯେତିକି ପୂଣ୍ୟ ମିଳେ ଅଣସର ସମୟରେ ଅଲାରନାଥଙ୍କ ଦୁର୍ଲଭ ଦର୍ଶନରେ ସେତେ ପୁଣ୍ୟ ଲାଭ ହୋଇଥାଏ ବୋଲି ଲୋକମତ ରହି ଆସିଛି।

Leave a Reply

Your email address will not be published. Required fields are marked *