Wed. Oct 14th, 2026

ସ୍ନାନ କରିବେ ମହାବାହୁ। ମହାପ୍ରଭୁଙ୍କ ନିଆରା ଯାତ୍ରା ସ୍ନାନଯାତ୍ରା। ଯେଉଁଥିରେ ଭକ୍ତଙ୍କୁ ଦର୍ଶନ ଦେବାପାଇଁ ସ୍ନାନବେଦୀକୁ ଓହ୍ଲାଇ ଆସନ୍ତି କାଳିଆ ସାଆନ୍ତ। ଚର୍ମ ଚକ୍ଷୁରେ ଦର୍ଶନ କରନ୍ତି ଭକ୍ତ। କଣ ଏହି ସ୍ନାନଯାତ୍ରା। କାହିଁକି ଏତେ ଗାଧୋଇବାକୁ ମହାବାହୁ ଙ୍କ ମନବଳେ। କୋଟିବ୍ରହ୍ମାଣ୍ଡ ର ନାୟକ ସ୍ଵୟଂ ଶ୍ରୀ ଜଗନ୍ନାଥ ବର୍ଷକରେ ଥରେ ଭଲଭାବେ ଗାଧୋଇ ଥାଆନ୍ତି। 108 ଗରା ସୁବାସିତ ଜଳରେ ସ୍ନାନ କରନ୍ତି । ଆଉ ତାପରେ ହାତୀବେଶ ରେ ସଜେଇ ହୋଇ ଦର୍ଶନ ଦିଅନ୍ତି। ଏହି ସ୍ନାନଯାତ୍ରାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଥାଏ ସୁନାକୂଅର । ଯେଉଁ କୂଅରୁ ମହାବାହୁ ଙ୍କ ପାଇଁ ଆସିଥାଏ ସୁବାସିତ ଜଳ। ସୁନା କୂଅ ରୁ ସୁନା ଗୋସେଇଁ ପାଣି ଆଣି ଥାଆନ୍ତି। ଆଉ ଏହା ପରେ ଏଥିରେ କର୍ପୁର , ଚନ୍ଦନ, ଅଗରୁ ଆଦି ମିଶ୍ରିତ ହେବାପରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ସ୍ନାନ କରାଯାଏ। ଇତିହାସ ତଥା ମନ୍ଦିରର କିମ୍ବଦନ୍ତୀ ଅନୁଯାୟୀ କୂଅ ର ନାମକରଣ ହେବା ପଛରେ ରହିଛି ଅନେକ ରହସ୍ୟ। ଚୋଡ଼ ଗଙ୍ଗ ଦେବ ଜୀର୍ଣ୍ଣ ପୂରାତନ ମନ୍ଦିରକୁ ଭାଙ୍ଗି ଏକ ନୁଟ ମନ୍ଦିରର ନିର୍ମାଣ ପାଇଁ ଯଥେଷ୍ଟ ପରିମାଣର ସୁନା ଏହି କୂଅରେ ଭରିଥିଲେ। ମନ୍ଦିର ନିର୍ମାଣ ପାଇଁ ଆବଶ୍ୟକୀୟ ସୁନା ହୋଇଯିବା ପରେ ଦେଉଳ ତିଆରି ହୋଇଥିଲା। ସେହଦିନଠାରୁ କୂଅର ନାମକୁ ସୁନା କୂଅ ବୋଲି କୁହାଯାଏ। ଯଦି ଏହାର ଅବସ୍ଥିତି କଥା ଦେଖାଯାଏ ତେବେ ଶ୍ରୀମନ୍ଦିରର ଉତ୍ତର ଦ୍ଵାରର ବାହାର ବେଢାରେ ଥିବା ଶୀତଳା ଦେବୀ ମନ୍ଦିର ନିକଟରେ ରହିଛି ଏହି ସୁନାକୂଅ। 50 ଫୁଟ୍ ରୁ ଅଧିକ ଗଭୀର ଥିବା ବେଳେ କେବଳ ସ୍ନାନଯାତ୍ରା ପାଇଁ ଉଦ୍ଦିଷ୍ଟ ଏହି କୂଅ ର ଜଳ। ବାକି ସମୟରେ ଏହାକୁ ଘୋଡାଇ ରଖାଯାଇଥାଏ। ସ୍ନାନ ପୂର୍ଣ୍ଣିମା ପୂର୍ବଦିନ ଅର୍ଥାତ୍ ଚତୁର୍ଦ୍ଦଶୀ ଦିନ ସୁନା କୂଅ ଉପରୁ ଘୋଡ଼ଣି କଢ଼ାଯାଇ ଉଝଳା ଯାଇଥାଏ। ଦୟଣା ମାଳି ସେବାୟତଙ୍କ ଦ୍ଵାରା ଏହି କାର୍ଯ୍ୟ ସମ୍ପାଦନ କରାଯାଇଥାଏ। ଏବଂ ପରଦିନ ଅର୍ଥାତ୍ ସ୍ନାନପୂର୍ଣ୍ଣମୀ ଦିନ 108ଗରା ସୁବାସିତ ଜଳ ମହାବାହୁ ଙ୍କ ସ୍ନାନ ପାଇଁ ଆଣିଥାନ୍ତି ସୁନା ଗୋସେଇଁ।

Leave a Reply

Your email address will not be published. Required fields are marked *