Wed. Oct 14th, 2026

ସମ୍ମାନଜନକ କଳାନିଧି ପୁରସ୍କାରରେ ସମ୍ମାନିତ ହେଲେ ଆନ୍ଧ୍ରପ୍ରଦେଶ ଓଡିଆ କଳାକାର ମହାସଂଘର ରାଜ୍ୟ ଉପ-ସଭାପତି ତଥା ସିନେ କଳାକାର କୁମାର ନାୟକ। ରାଜମହେନ୍ଦ୍ରୀ ନରେନ୍ଦ୍ର ମଞ୍ଚ ଠାରେ ଚଳିତ ମାସ ୭ ତାରିଖରେ ଅନୁଷ୍ଠିତ ଆନ୍ତର୍ଜାତୀୟ ତେଲୁଗୁ ମହାସଭାରେ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଥିଲା । ନାଗାଲାଣ୍ଡ ରାଜ୍ୟପାଳ ମହାମହିମ ଲାଲ୍ ଗଣେଶନ୍
ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରୀ ନାୟକଙ୍କୁ ଏହି ସମ୍ମାନ ପ୍ରଦାନ କରିଥିଲେ। ଜଣେ ଓଡ଼ିଆ କଳାକାର ହୋଇ ମଧ୍ୟ ଚାଳିଶରୁ ଅଧିକ ତେଲୁଗୁ ଚଳଚ୍ଚିତ୍ର, କ୍ଷୁଦ୍ର ଚଳଚ୍ଚିତ୍ର, ଟିଭି ଧାରାବାହିକ ଇତ୍ୟାଦିରେ ଅଭିନୟ କରି ସୁନାମ ଅର୍ଜନ କରିବା ଓଡ଼ିଶା ପାଇଁ ଅତ୍ୟନ୍ତ ଗର୍ବର କଥା । ତାଙ୍କରି ଏହି ସଫଳତା ନିମନ୍ତେ ଶୁଭେଚ୍ଛା ଜଣାଇବା ପାଇଁ ସ୍ଥାନୀୟ ରାଜ ନବର ପାର୍ଶ୍ବ ସ୍ଥିତ ସୁରେଶ ହସ୍ପିଟାଲ୍ ସଭାକକ୍ଷଠାରେ ମହାସଂଘ ସଭାପତି ନାଲ୍ଲା ତିରୁପତି ରାଓଙ୍କ ଅଧ୍ୟକ୍ଷତାରେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ନିଖିଳ ଓଡ଼ିଶା ବରିଷ୍ଠ କଳାକାର ମହାସଂଘ ମହାସଚିବ ସୁବାସ ଚନ୍ଦ୍ର ସାହୁ ରୋଶନ୍ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଓଡ଼ିଆ କଳାକାର ମହାସଂଘର କାର୍ଯ୍ୟଧାରା ଏବଂ ଆନ୍ଧ୍ର ନିବାସୀ ଓଡିଆ କଳାକାରଙ୍କ ଏକତ୍ରୀକରଣ ଓ ଏକାତ୍ମତା ଅନ୍ୟମାନଙ୍କ ପ୍ରତି ଆଦର୍ଶ ଭାବେ ପ୍ରତିଭାତ ବୋଲି ମତବ୍ୟକ୍ତ କରିବା ସହ ବରିଷ୍ଠ କଳାକାର ମହାସଂଘ ପକ୍ଷରୁ ସମସ୍ତ ସହଯୋଗ ରହିବାନେଇ ପ୍ରତିଶ୍ରୁତି ଦେଇଥିଲେ। ଏହି ଅବସରରେ ବରିଷ୍ଠ ଶିକ୍ଷାବିତ୍ ନାଲ୍ଲା ନୀଳକଣ୍ଠ,ଜଳନ୍ଧର ସାହୁ, କଳାକାର ୟୁ. ବ୍ରହ୍ମାନନ୍ଦ ପ୍ରମୁଖ ଅତିଥି ଭାବରେ ମଞ୍ଚାସୀନ ଥିଲେ। କାର୍ଯ୍ୟକ୍ରମ ପ୍ରାରମ୍ଭରେ ସଂପାଦକ ସୁରେଶ କୁମାର ପାଣିଗ୍ରାହୀ ସ୍ବାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ପରିଶେଷରେ ଖଗେଶ୍ବର ଗୌଡ ଆନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିଥିଲେ। ଶତାଧିକ ଆନ୍ଧ୍ର ନିବାସୀ ଓଡିଆ କଳାକାର ଉପସ୍ଥିତ ରହି କାର୍ଯ୍ୟକ୍ରମର ଶ୍ରୀବ୍ରୁଦ୍ଧି ଘଟାଇବାରେ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *