ଯାଜପୁରରେ ଆନ୍ତର୍ଜାତୀୟ କ୍ରାଫ୍ଟ ସମିଟ, ଯୋଗଦେଲେ ନଓାଜଦ୍ଦିନ ସିଦ୍ଧିକ

ଯାଜପୁର ରୋଡ ସହର ଅନ୍ତର୍ଗତ ଯଯାତି ହୋଟେଲ ପରିସରରେ ତିନି ଦିନିଆ ଆନ୍ତର୍ଜାତୀୟ ହସ୍ତକଳା ସମିଟ ଉଦଘାଟିତ ହୋଇଯାଇଛି । ଏହି ସମିଟିକୁ ଆଭାସି ବା ଭିଡିଓ କନଫେରସିଂ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଥିଲେ । ନିଜ ବକ୍ତବ୍ୟରେ ମୁଖ୍ୟମନ୍ତ୍ରୀ ଆମ କଳା କାରିଗରି ଶ୍ରୀ ଜଗନ୍ନାଥଙ୍କୁ କେନ୍ଦ୍ର କରି ଗଢି ଉଠିଛି ବୋଲି କହିଥିଲେ । ଆମ ଶିଳ୍ପୀ ଓ ବୁଣାକାର ପିଢୀ ପରେ ପିଢୀ ରାଜ୍ୟର କଳା ପରଂପରାକୁ ବଂଚାଇ ରଖିବା ସହ ବିଶ୍ୱ ଦରବାରରେ ଓଡିଶାକୁ ଏକ ସ୍ୱତନ୍ତ୍ର ପରିଚୟ ପ୍ରଦାନ କରିଛନ୍ତି ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ । ଏହି ସମିଟର ଅନ୍ୟତମ ଉଦଘାଟକ ଭାବେ ରାଜ୍ୟ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ମନ୍ତ୍ରୀ ରୀତା ସାହୁ, ରାଜ୍ୟ ଗ୍ରାମ୍ୟ ଉନ୍ନୟନ ଓ ଦକ୍ଷତା ବିକାଶ ମନ୍ତ୍ରୀ ଇଂ ପ୍ରିତୀରଂଜନ ଘଡେଇ, ପ୍ରଫେସର କିଶୋର ବାସା, କୋରେଇ ବିଧାୟକ ଅଶୋକ ବଳ ଓ ଯାଜପୁର ଜିଲ୍ଲାପାଳ ଚକ୍ରବର୍ତୀ ସିଂହ ରାଠୋର ପ୍ରମୁଖ ଉପସ୍ଥିତ ଥିଲେ । ଉପସ୍ଥିତ ଅତିଥିମାନେ ରାଜ୍ୟର କଳାକାରିଗରୀର ଉଚ୍ଚ ପ୍ରଶଂସା କରିବା ସହ ପର୍ଯ୍ୟଟନ ଓ ନିଯୁକ୍ତି କ୍ଷେତ୍ରରେ ହସ୍ତତନ୍ତ ଓ ହସ୍ତଶିଳ୍ପର ଯୋଗଦାନ ସଂପର୍କରେ ସବିଶେଷ ଆଲୋଚନା କରିଥିଲେ । ଏହାର ଉଦଘାଟନ କାର୍ଯ୍ୟକ୍ରମର ପ୍ରମୁଖ ଆକର୍ଷଣ ଥିଲେ ପ୍ରସିଦ୍ଧ ହିନ୍ଦି ସିନେମା ଅଭିନେତା ନଓାଜଦ୍ଦିନ ସିଦ୍ଧିକ । ଆମ କାରିଗର ଓ ବୁଣାକାରଙ୍କ ହାତ ତିଆରି କଳାକୃତିକୁ ବହୁଳ ପରିମାଣରେ ବ୍ୟବହାର କଲେ ଏହି କ୍ଷେତ୍ରର ବିକାଶ ହୋଇ ପାରିବ ବୋଲି ନିଜ ବକ୍ତବ୍ୟରେ ନଓାଜଦ୍ଦିନ ସିଦ୍ଧିକ କହିଥିଲେ । ଏଥିରେ ଆୟୋଜିତ ଆଲୋଚନା ଚକ୍ରରେ ରାଜ୍ୟ ବୟନ ଶିଳ୍ପ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ଶୋଭନ କ୍ରିଷ୍ଣ ସାହୁ, ରାଜ୍ୟ ହସ୍ତତନ୍ତ ଓ ହସ୍ତଶିଳ୍ପ ବିକାଶ ଓ ଉନ୍ନୟନ ପରିଷଦର ଅଧ୍ୟକ୍ଷ ପଦ୍ମ ବିଭୂଷଣ ସୁଦର୍ଶନ ସାହୁ , ଓଡିଶା ଶିଳ୍ପୀ ମହାସଂଘର ସଭାପତି ଉଦୟ ମହାନ୍ତି, ଜାତୀୟ ପୁରସ୍କାର ପ୍ରାପ୍ତ ପଟ୍ଟଚିତ୍ର ଶିଳ୍ପୀ ସୈାଦାମିନୀ ସ୍ୱାଇଁ ପ୍ରମୁଖ ଅଂଶଗ୍ରହଣ କରି ଓଡିଶାରେ ପ୍ରଚଳିତ ବିଭିନ୍ନ ହସ୍ତଶିଳ୍ପ ଓ ବୟନକଳା ସଂପର୍କରେ ସବିଶେଷ ସୂଚନା ପ୍ରଦାନ କରିଥିଲେ । ଏହି ଆନ୍ତର୍ଜାତୀୟ ସମିଟ ୩ ଦିନ ଧରି ଚାଲିବ । ଏହି ସମିଟରେ ଭାରତ, ଅଷ୍ଟ୍ରେଲିୟା, ଜର୍ମାନୀ, ଇଟାଲୀ, ସାଉଥ କୋରିୟା. ସୁଇଜର ଲ୍ୟାଣ୍ଡ, ୟ୍ୟୁକେ ଆଦି ୧୧ ଟି ଦେଶର ପ୍ରତିନିଧୀ ଯୋଗ ଦେଇଛନ୍ତି । ଏହି ଅବସରରେ ରାଜ୍ୟର ଜାତୀୟ ଓ ରାଜ୍ୟ ହସ୍ତଶିଳ୍ପ ପୁରସ୍କାର ପ୍ରାପ୍ତ ଶିଳ୍ପୀ ମାନଙ୍କର କଳାକୃତି ନେଇ ଖୋଲିଥିବା ଷ୍ଟଲ ଲୋକଙ୍କୁ ବେଶ ଆକୃଷ୍ଟ କରୁଛି ।

You May Also Like

More From Author

+ There are no comments

Add yours