Wed. Oct 14th, 2026

ରାୟଗଡା – ଗତ ଶନିବାର ଦିନ ଅଦ୍ବିକା ବୈଠକରେ ନିରାପଦ ଓ ସୁରକ୍ଷିତ ଭାବେ ଦୀପାବଳୀ ପାଳନ କରିବା ପାଇଁ ସମସ୍ତ କିଶୋର କିଶୋରୀ ମାନଙ୍କୁ ବୁଝାଇବା ଉଦ୍ଦେଶ୍ୟରେ ଜିଲ୍ଲାର ସମସ୍ତ ୨୦୬୩ଟି ଅଙ୍ଗନବାଡି କେନ୍ଦ୍ର ସ୍ତରରେ କିଶୋର କିଶୋରୀ ମାନଙ୍କୁ ନେଇ ଅଦ୍ବିକା ବୈଠକ ଅନୁଷ୍ଠିତ ହୋଇଥିଲା। ଅଦ୍ବିକା ବୈଠକରେ ରଙ୍ଗୋଲି କରିବା ସହିତ ଦୀପ ଜଳାଇ କିଶୋର କିଶୋରୀମାନେ ଶପଥ ଗ୍ରହଣ କରିଥିଲେ। କାରଣ ପ୍ରତି ବର୍ଷ ସାରା ଭାରତରେ ଦିପାବଳୀ ପାଳନ ସମୟରେ ନିଜର ଅବହେଳା ଯୋଗୁଁ ଅନେକ ଶିଶୁ ଶାରିରୀକ ଆଘାତର ସମ୍ମୁଖୀନ ହୋଇ ଥାଆନ୍ତି। ତେଣୁ ଦୀପାବଳୀ ପାଳନ କରିବା କରିବା ସମୟରେ ଘରର ଯେକୌଣସି ବୟସ୍କ ଲୋକ ମାନଙ୍କ ଉପସ୍ଥିତିରେ ଦିପାବଳୀ ପାଳନ କରିବା ପାଇଁ ଏହି ବୈଠକ ମାଧ୍ୟମରେ ଶିଶୁ, କିଶୋର ଓ କିଶୋରୀ ମାନଙ୍କୁ ସଚେତନ କରାଯାଇଥିଲା। କୌଣସି ପ୍ରକାରର ରସାୟନିକ ବାଣ ନ ଫୁଟାଇବା ଓ ନିଆଁ ଠାରୁ ଦୂରରେ ରହିବା ଓ ଗାଁର ଅନ୍ୟ ଶିଶୁ, କିଶୋର କିଶୋରୀ ମାନଙ୍କୁ ମଧ୍ୟ ଏହି ବାର୍ତ୍ତା ପହଞ୍ଚାଇବା ପାଇଁ ନିଷ୍ପତ୍ତି ନିଆଯାଇଛି।
ପ୍ରକାଶ ଥାଉ କି ରାୟଗଡ଼ା ଜିଲ୍ଲା ପ୍ରଶାସନ ତରଫରୁ କିଶୋର କିଶୋରୀ ସଶକ୍ତିକରଣ ଓ ବାଲ୍ୟ ବିବାହ ନିରାକରଣ ସହିତ ରାୟଗଡ଼ା ଜିଲ୍ଲାକୁ ଶିଶୁ ମିତ୍ର ଜିଲ୍ଲା ଭାବେ ଗଢ଼ି ତୋଳିବା ପାଇଁ ପ୍ରଚେଷ୍ଟା ନାମରେ ଏକ ଅଭିଯାନ ଚାଲୁ ରହିଛି।
ଆସନ୍ତା ରବିବାର ଦିନ ସାରା ଭାରତରେ ଦୀପାବଳୀ ପାଳନ ହେଉଥିବା ଯୋଗୁଁ ଶିଶୁ ମାନଙ୍କ ସୁରକ୍ଷା ସହିତ ପରିବେଶ ସୁରକ୍ଷା ଏବଂ କିଶୋର କିଶୋରୀ ମାନଙ୍କୁ ନାଗରିକ ଉତ୍ତରଦାୟିତ୍ଵ ବିଷୟ ରେ ସଚେତନ କରାଇବା ପାଇଁ ଜିଲ୍ଲା ସମାଜ ମଙ୍ଗଳ ବିଭାଗ, ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଓ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଦ୍ବାରା ମିଳିତ ଭାବେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
ଜିଲ୍ଲା ସ୍ତରରେ ଭାରପ୍ରାପ୍ତ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ କାମାକ୍ଷୀ ମଞ୍ଜରୀ ପାଢ଼ୀ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ବସନ୍ତ କୁମାର ପ୍ରଧାନ, ଆକ୍ସନ ଏଡ ତରଫରୁ ବାଲ୍ଯ ବିବାହ ନିଷେଧ ଜିଲ୍ଲା ପରାମର୍ଶଦାତା ରତ୍ନେଶ୍ବର ସାହୁ ତଦାରଖ କରିଥିବା ବେଳେ ବ୍ଲକ ଓ ଅଙ୍ଗନବାଡି କେନ୍ଦ୍ର ସ୍ତରରେ ଜିଲ୍ଲାର ସମସ୍ତ ସିଡିପିଓ ଓ ସୁପରଭାଇଜର ମାନେ ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *