ଅନ୍ଧାରୀ ମୂଲକ କୋରାପୁଟର ଲରେଶ ଗାଁ, ସରକାରଙ୍କୁ ପ୍ରଶ୍ନ ଆମର ଦୋଷ କଣ?

“ପଦୁଗୁଡା ର ଦୁଃଖ ଶୁଣିଲେ, ଆମ କଥା କେବେ ? ଆମେ କି ଦୋଷ କଲୁ ବାବୁ। ପାନୀୟ ଜଳ, ରାସ୍ତା, ବିଜୁଳି ସହ ସମସ୍ତ ସରକାରୀ ଯୋଜନାରୁ ବଞ୍ଚିତ । 77 ବର୍ଷର ଅଭିଶପ୍ତ କାହାଣୀ ।”

ଦଶମନ୍ତପୁର : ସତ ଅଭିନୟ ମିଛ ବିକାଶ । କୋରାପୁଟ ଜିଲ୍ଲା ସ୍ତରୀୟ ସ୍ୱାଧୀନତା ଦିବସ ଉତ୍ସବରେ କୁନି ଝିଅର ଅଭିନୟ ଭିଡିଓ ଭାଇରାଲ ପରେ ଅଭିଶପ୍ତ ଗାଁ ଦଶମନ୍ତପୁର ବ୍ଲକର ପଦୁଗୁଡାରେ ବହୁ ବିଳମ୍ୱରେ ପହଁଚିଥିଲା ପ୍ରଶାସନ । ବିଳମ୍ୱରେ ହେଉ ପଛେ ଗାଁରେ ପହଁଚି ରାସ୍ତା,ପାନୀୟ ଜଳ ଭଳି ମୌଳିକ ସୁବିଧା ପହଁଚାଇବାକୁ ଚେଷ୍ଟା କରିଥିଲା ପ୍ରଶାସନ । ଏବେ ସାମ୍ନାକୁ ଆସିଛି ସେହି ପଛୁଆ ଦଶମନ୍ତପୁର ବ୍ଲକର ଆଉ ଏକ ଅଲୋଡା, ଅଖୋଜା ଗାଁ ଲରେଶ । ପାହାଡର ଛାତି ଚିରି ଝରି ଆସୁଥିବା ଝରଣା ଯେଉଁଠି ମେଣ୍ଟାଉଛି ଶୋଷ । ମାଟିଆ ଓ ଆବଡା ଖାବଡା ରାସ୍ତା ନିତି ଦିନିଆ ଚଲାପଥ ।

ନିର୍ବାଚନ ଆଗରୁ ଆସିଥିଲେ ସରକାରୀ ବାବୁ । ତାପରେ କି ନେତା କି ସରକାରୀ ବାବୁ କାହାରି ଆଉ ଦେଖା ମିଳୁନି । ଥରେ ଆମ ଗାଁକୁ ଆସି ବୁଲି ଦେଖିଲେ ଜାଣିଥାନ୍ତେ ଯେ ଆମେ ବି ମଣିଷ, ଆମେ ବି ବଞ୍ଚିବାକୁ ଚାହୁଁ । ବିଡ଼ିଓ, ଜିଲ୍ଲାପାଳ,ବିଧାୟକଙ୍କୁ ବାରମ୍ବାର ଗୁହାରି କରି,ଥକି ପଡିଲେଣି ଲରେଶ ଗ୍ରାମବାସୀ । ଅକଥନୀୟ, ଅବିଶ୍ୱନୀୟ ଦୁର୍ଦ୍ଦଶା,ଅପହଂଚ ଇଲାକାଟିଏ ହୋଇରହିଛି କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ ପିଣ୍ଡପଦର ପଞ୍ଚାୟତ ଅନ୍ତର୍ଗତ ଲରେଶ ଗାଁ । ବ୍ଲକ ମହକୁମା ଠାରୁ  12 କିମି ଓ ପଞ୍ଚାୟତ ଠାରୁ ପାଞ୍ଚ କିମି ଦୂର ।ଗାଁରେ 35 ପରିବାରର 140 ଜଣ ବାସ କରନ୍ତି, ଏଇଗାଁରେ । ପାନୀୟ ଜଳ ପାଇଁ ନଳକୂପ ନାହିଁ,ରାସ୍ତା ନାହିଁ କି ବିଜୁଳି, ବିଜାଶ ଯୋଜନ ଦୂରରେ । ପାଠ ପଢିବାକୁ କୁନି କୁନି ପିଲାମାନେ 5 କିମି ଦୂର ମରଚିଗୁଡା ଗାଁକୁ ଚାଲି ଚାଲି ଯାଇଥାନ୍ତି। ବାଟରେ ଏକ ନାଳ ପଡେ,ତେଣୁ ଟିକିଏ ବର୍ଷା ହେଲେ ପାଠ ପଢା ବନ୍ଦ । ରାସ୍ତା ନ ଥିବା ଯୋଗୁଁ ଗର୍ଭବତୀ ମହିଳା କିମ୍ବା ଗୁରୁତର ରୋଗୀଙ୍କୁ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଯିବାକୁ ହେଲେ ଲୋଡାହୁଏ ଦୋଳା କିମ୍ବା ଖଟିଆ । ସରକାରଙ୍କ ପକ୍ଷରୁ ଦିଆଯାଉଥିବା P D. S. ଚାଉଳ ପାଇଁ ପାହାଡିଆ ରାସ୍ତାରେ  ଚାଲି ପଞ୍ଚାୟତକୁ ଯାଇ ଆଣିବାକୁ ହୁଏ । ଗାଁରେ ଦୀର୍ଘ 20 ବର୍ଷ ପୂର୍ବେ ଖୋଲାଯାଇଥିବା ଏକ ନଳକୂପ ,କେବେଠୁ ଅଚଳ ହୋଇ ପଡିଛି 

ସଞ୍ଜ ନଇଁଲେ ଗାଁ ଅନ୍ଧାରରେ ହଜିଯାଏ । ଏବେ ବି କିରୋସିନ ବୁଡା ଡିବିରି ଆଲୁଅରେ ସାରି ରାତି କାଟିବାକୁ ହୁଏ । କାରଣ ଗାଁରେ ନାହିଁ ବିଜୁଳି । ସବୁଠାରୁ ଆଶ୍ଚର୍ଯ୍ୟର କଥା, ସ୍ୱାଧୀନତା ର 77 ବର୍ଷ ପରେ ମଧ୍ୟ ଗାଁରେ ଗୋଟିଏ ବି ପ୍ରଧାନମନ୍ତ୍ରୀ ଆବାସ ଘର ନାହିଁ । 2019 ମସିହାରେ ଗ୍ରାମରେ କେତୋଟି ପ୍ରଧାନମନ୍ତ୍ରୀ ଘର ପାଇଁ ସ୍ଥିର ହୋଇଥିଲା । ହେଲେ ରାସ୍ତା ନ ଥିବା ଯୋଗୁଁ ଉକ୍ତ ଘର ଗୁଡିକୁ ଅନ୍ୟ ଗ୍ରାମରେ ବିକ୍ରି କରି ଦେଇଥିବା  ଜଣାପଡିଛି। ଗ୍ରାମରେ ଲୋକେ ବିଧବା ଭତ୍ତା, ବାର୍ଦ୍ଧକ୍ୟ ଭତ୍ତାରୁ ବଞ୍ଚିତ ହୋଇ ରହିଥିବା ଅଭିଯୋଗ ହୋଇଛି । ଗ୍ରାମର ଲୋକମାନେ କେବଳ ପୋଡୁ ଚାଷ କରି ଜୀବିକା ନିର୍ବାହ କରନ୍ତି।
ଗତ ନିର୍ବାଚନ ସମୟରେ ବିଧାୟକ ରାସ୍ତା, ପାନୀୟ ଜଳ, ବିଦ୍ୟୁତ ଇତ୍ୟାଦି ପାଇଁ ପ୍ରତିଶୃତି ଦେଇଥିଲେ କିନ୍ତୁ ଗୋଟିଏ ହେଲେ କାମ କରିନଥିବା ବେଳେ ଗ୍ରାମରେ ତାଙ୍କ ପାଦ ପଡିଲା ନାହିଁ । ଗ୍ରାମର ସମସ୍ୟା ନେଇ ସ୍ଥାନୀୟ ବିଡ଼ିଓ, କୋରାପୁଟ ଜିଲ୍ଲାପାଳ ଙ୍କୁ ମଧ୍ୟ ଗୁହାରି କରିଥିଲୁ କିନ୍ତୁ କେହି ମଧ୍ୟ ଶୁଣିଲେ ନାହିଁ। ଗତ ଅଠର ତାରିଖରେ ଗ୍ରାମବାସୀ ଦଶମନ୍ତପୁର ବିଡ଼ିଓ ଡମ୍ବୁରୁଧର ମଲିକଙ୍କୁ ବ୍ଲକ ଠାରେ ଦେଖା କରି ଗ୍ରାମର ଉନ୍ନତି ନେଇ ଏକ ଦାବି ପତ୍ର ଦେଇଥିଲେ। ଏବେ ଦାବି ପୁରଣ ନ ହେଲେ ଆସନ୍ତା ସେପ୍ଟେମ୍ୱର ମାସ ଆଠ ତାରିଖରେ ବ୍ଲକ ସମ୍ମୁଖରେ ଧାରଣା ଦେବୁ ବୋଲି ସୂଚନା ମିଳିଛି ।
ଦଶମନ୍ତପୁରରୁ ଶୈଳେଶ ଖୋଡିଆରଙ୍କ ରିପୋର୍ଟ ଶବ୍ଦ ମିଡିଆ

You May Also Like

More From Author

+ There are no comments

Add yours