Wed. Oct 14th, 2026

” ଜୀବନର ଘାସ ଗାଲିଚାରେ
ମୁକ୍ତା ପରି ଚକ୍ ଚକ୍ କରୁଥିବା
ଆମ ପ୍ରିୟ ଲୁହ ସବୁକୁ
ବାଷ୍ପ କରି ଉଡେଇ ନେବାକୁ
କଥା ଦେଇଛି ଯେଉଁ ପରିଚିତ ସୂର୍ଯ୍ୟାଲୋକ
ସେ କାଳେ ସକାଳୁ ସକାଳୁ
ଜାହିର କରୁଛି, ମୁଁ ନୂଆବର୍ଷ ”

ରବି ଶତପଥୀ,ଅଧ୍ୟାପକ ଓଡିଆ ବିଭାଗ
ନନ୍ଦପୁର କଲେଜ, କୋରାପୁଟ
ସଂପର୍କ – ୯୪୩୭୭୮୪୮୫୯

ଅଭାବର ଅମା ଅନ୍ଧାର ଭିତରେ
ଅପାଶୋରା ସମୟକୁ ସାକ୍ଷୀ ରଖି
ଯିଏ ମିଂଜି ମିଂଜି କରି ଜାଳି ଦେଉଛି
ଗୋଟେ ସ୍ୱପ୍ନର ସଂଜବତୀ
ସିଏ ହିଁ କାଳେ
ଆମ ଅସରନ୍ତି ଆଶାର ନୂଆବର୍ଷ l

ଜୀବନର ଘାସ ଗାଲିଚାରେ
ମୁକ୍ତା ପରି ଚକ୍ ଚକ୍ କରୁଥିବା
ଆମ ପ୍ରିୟ ଲୁହ ସବୁକୁ
ବାଷ୍ପ କରି ଉଡେଇ ନେବାକୁ
କଥା ଦେଇଛି ଯେଉଁ ପରିଚିତ ସୂର୍ଯ୍ୟାଲୋକ
ସେ କାଳେ ସକାଳୁ ସକାଳୁ
ଜାହିର କରୁଛି, ମୁଁ ନୂଆବର୍ଷ l

ଫଟା ମାଠିଆରୁ ଧିରେ ଧିରେ
ପାଣି ଝରିଗଲା ପରି
ଦେଖୁ ଦେଖୁ ସରି ଯାଉଥିବା
ଆଞ୍ଜୁଳାଏ ଆୟୁଷକୁ
ଆ’ ଆ’ ନଈ ପହଁରିବାକୁ
ଯିବା ବୋଲି ଡାକୁଥିବା
ଗୋଟେ ନିରୀହ ଆଲିଙ୍ଗନ ହିଁ
କହୁଛି ମୁଁ ନୂଆବର୍ଷ l

ରଙ୍ଗ ଉଡି ଯାଇଥିବା
ଗୋଟେ ଦେହ ଉପରେ
ବାକି ସବୁ ବିଶ୍ବାସର
ରଙ୍ଗ ବୋଳି ଦେବାକୁ ପ୍ରତିଶ୍ରୁତି ଦେଇ
ସବୁ ଗଲାଦିନର
ପିଠି ପଟେ ଲୁଚି ପଡୁଥିବା
ଛଳନାର ଚମତ୍କାର ଛବିଟିଏ ହିଁ
ଆମ ନିଷ୍ଠୁର ସମୟର ନୂଆବର୍ଷ ll

One thought on “କବିତା ”ନୂଆବର୍ଷ””
  1. ଭଲ ଲାଗିଲା ସବୁ ସକାଳ ତୁମ ଆଶିଷ ରେ ନୂଆ ସକାଳ ହଉ ସବୁଜ ସପନରେ ସବୁ ସଜଂ ଶୋଉ
    ଶିଶିର ବିଦୁଂ ରେ ମୁକ୍ତା ସରସିଜ ରସସିକ୍ତ କରୁଥିବା କବରକୁ ନମସ୍କାର
    ଏ ମୋର ନବବର୍ଷ ଉପହାର

Leave a Reply

Your email address will not be published. Required fields are marked *